ଜଣ୍ଡିସ ଚିହ୍ନଟ ପରେ : ନାଳି – ପାଇଖାନା ଟାଙ୍କି ସଂଯୋଗ ଥିଲେ କାର୍ଯ୍ୟାନୁଷ୍ଠାନ

oବିଭିନ୍ନ ପଡ଼ାରେ ସ୍ୱାସ୍ଥ୍ୟ ସଚେତନତା ବୈଠକ o ଚଢ଼ଉ ପାଇଁ ପ୍ରସ୍ତୁତ ଏସଏମସି

ସମ୍ବଲପୁର: ସର୍ବସାଧାରଣ ନାଳି ସହିତ ପାଇଖାନା ଟାଙ୍କିର ସିଧାସଳଖ ସଂଯୋଗ ଥିଲେ କାର୍ଯ୍ୟାନୁଷ୍ଠାନ ନେବ ଏସଏମସି। ଏଥି ଅନ୍ତର୍ଗତରେ ପ୍ରାଥମିକ ପର୍ଯ୍ୟାୟରେ ଗୋବିନ୍ଦତୁଲା, ମୋତିଝିରା, ଷ୍ଟେସନପଡ଼ାର ସ୍ଥିତି ଅନୁଧ୍ୟାନ କରାଯାଇଛି। ଆଗାମୀ ଦିନରେ ଅନ୍ୟ ଅଞ୍ଚଳ ପ୍ରତି ଦୃଷ୍ଟି ଦିଆଯିବ। ନାଳିରେ ପିଏଚଡି ପାଇପ ଛିଦ୍ର ହୋଇଥିଲେ ତୁରନ୍ତ ସୂଚନା ଦେବା ପାଇଁ ଓ୍ଵାର୍ଡ ସ୍ତରରେ ଗ୍ୟାଙ୍ଗ ମେନମାନଙ୍କୁ ନିର୍ଦେଶ ହୋଇଛି। ଆସନ୍ତାକାଲି ଠାରୁ ଖାଦ୍ୟ ଷ୍ଟଲଗୁଡ଼ିକ ଯାଞ୍ଚ କରିବ ବୋଲି କହିଛନ୍ତି ଏସଏମସି ଏନଫୋର୍ସମେଣ୍ଟ ଅଧିକାରୀ ଶୁଭ୍ରକାନ୍ତ ମହାନ୍ତି। ଅନ୍ୟଦିଗରେ ଏସଏମସି ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଡ଼ାସ୍ତରରେ ସଚେତନତା ସଭା କରାଯାଇ ୯ ବିନ୍ଦୂରେ ଆଲୋଚନା କରାଯାଉଥିବା କହିଛନ୍ତି ସିପିଏମ ଗୁରୁଦତ୍ତ ପୁରୋହିତ। ବର୍ତ୍ତମାନ ସୁଦ୍ଧା ସଦର ଡାକ୍ତରଖାନାରେ ଜଣ୍ଡିସର କୌଣସି ନୂଆ ରୋଗୀ ଆସି ନାହାନ୍ତି। ଶନିବାର ନିଆଯାଇଥିବା ଜଳନମୂନା ସଂଗ୍ରହ ରିପୋର୍ଟ ସୋମବାର ଜଣାପଡ଼ିବ ବୋଲି କହିଛନ୍ତି ଏଡିଏମଓ ପିଏଚ ଡା.ପଞ୍ଚାନନ ନାୟକ କହିଛନ୍ତି। ସମ୍ବଲପୁର ସହରର ମାୟାବଗିଚା ଏବଂ ପେନସନପଡ଼ାରେ ଜଣ୍ଡିସ ଚିହ୍ନଟ ପରେ ଏସଏମସିର ଅନ୍ୟ ଅଞ୍ଚଳ ପ୍ରତି ଦୃଷ୍ଟି ଦେବା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ।

ଏଥି ଅନ୍ତର୍ଗତ ସାହୁ କଲୋନି, ମାଲିବାରି, ଚନ୍ଦନନଗର, ଝୁପୁଡ଼ିପଡ଼ା, ଷ୍ଟେସନ ପଡ଼ା, ଠେଲକୋପଡ଼ା ସମେତ ସମ୍ବେଦନଶୀଳ ଅଞ୍ଚଳକୁ ଟାର୍ଗେଟ କରାଯାଇଛି। ଜଣ୍ଡିସ ଥିବା ସହିତ ଖୋଲାରେ ଶୌଚ, ପିଏଚଡି ପାଇପ ଦୁର୍ବଳ ସ୍ଥିତି ସ୍ଥାନଗୁଡ଼ିକ ମୁଖ୍ୟ ଭାବରେ ଦେଖାଯାଉଛି। ଅଙ୍ଗନବାଡି କର୍ମୀଙ୍କ ଓ୍ଵାର୍ଡସ୍ତରୀୟ ସଚେତନତା ବୈଠକ ସାହୁ କଲୋନି ଏବଂ ମାଲିବାରି କରାଯାଇ ଥିଲା। ଆଗାମୀ ଦିନରେ ଅନ୍ୟ ସ୍ଥାନରେ କରାଯିବ। ଏହି ଅବସରରେ ଘରୋଇ କୂଅ, ନଳକୂଅକୁ ବ୍ଲିଚିଂ ପାଉଡରରେ ବିଶୋଧନ, ୧୫ ମିନିଟ ପର୍ଯ୍ୟନ୍ତ ପାଣି ପାଇପ ଫୁଟାଇବା,ଗୋଳିଆ ଏବଂ ଗନ୍ଧଯୁକ୍ତ ପାଣି ନେଇ ଜନସ୍ୱାସ୍ଥ୍ୟ ବିଭାଗକୁ ସୂଚନା, ପାଇପରେ ଛିଦ୍ର ଥିଲେ ଜନସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ଆଦି ରହିଛି। ବସ୍ତି ଅଞ୍ଚଳରେ ନାଳିରେ ଶୌଚ କରାଯାଉଛି।

ଏଥି ଦେଇ ପାଣି ପାଇପ ଯାଇଛି। ପାଣି ପାଇପ ଛିଦ୍ର ହେଲେ ଏହା ଜଣ୍ଡିସର କାରଣ ହେଉଛି। ଅନ୍ୟଦିଗରେ ଏସଏମସିର ଏନଫୋର୍ସମେଣ୍ଟ ସେଲ, ଖାଦ୍ୟ ସେଲ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବରେ ସୋମବାର ଠାରୁ ଅସୁରକ୍ଷିତ ଖାଦ୍ୟ ବିକ୍ରି ଉପରେ ଚଢାଉ ପାଇଁ ଯୋଜନା କରାଯାଇଛି। ଏଥିପୂର୍ବରୁ ଗୁପଚୁପ ଏବଂ ଆଖୁ ରସ ବିକ୍ରି ବେଳେ ମାଟିପାତ୍ରରେ ପାଣି ନରଖିବା ଏବଂ ଗ୍ଲୋବ୍ସ ପିନ୍ଧିବା ପାଇଁ ମାଇକ ଯୋଗେ ପ୍ରଚାର କରାଯାଉଛି। ଏଥିରେ ମୁଖ୍ୟ ଭାବରେ ଲକ୍ଷ୍ମୀଟକିଜ, ବୁଢାରଜା ହାଇସ୍କୁଲ ସମ୍ମୁଖ, ଷ୍ଟେସନପଡ଼ାର ଖାଦ୍ୟ ଷ୍ଟଲଗୁଡ଼ିକ ପ୍ରତି ଦୃଷ୍ଟି ଦିଆଯାଇଛି। ମାୟାବଗିଚାରେ ପାଣି ଅବ୍ୟବସ୍ଥା ଏବଂ ନାଳି ସଫେଇ ନେଇ ପୂର୍ବରୁ ଗୁରୁତ୍ୱ ଦିଆଯାଉନଥିଲା। ଏଥିସହିତ ଏଠାରେ ସ୍ଥିତ ଏକ ଦୋକାନରୁ ନିଷ୍କାସିତ ବିଶାକ୍ତ ପାଣି ଯୋଗୁଁ ସ୍ଥିତି ଗୁରୁତର ହେଉଛି। ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ସ୍ଥାନୀୟ ଅଧିବାସୀ କହିଛନ୍ତି।

ସମ୍ବନ୍ଧିତ ଖବର