୧୧ ବାଇକ ଓ ୭ ମୋବାଇଲ ସହ ୫୩୭୦ ଟଙ୍କା ଜବତ, ୭ କୋର୍ଟ ଚାଲାଣ

ଦେଓଗାଁ ପୁଲିସ ହାତରେ ଲାଗିଲା ଅନ୍ତଃଜିଲ୍ଲା ଲୁଟେରା ଦଳ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ପୁଲିସ ହାତରେ ଲାଗିଛି ଅନ୍ତଃଜିଲ୍ଲା ଲୁଟେରା ଦଳ। ପୁଲିସ ସେମାନଙ୍କଠାରୁ ୧୧ଟି ଚୋରି ବାଇକ୍‌, ୭ଟି ମୋବାଇଲ ଫୋନ୍‌ ସହ ୫୩୭୦ ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଦେଓଗାଁ ଥାନା ଅନ୍ତର୍ଗତ ଧଣ୍ଡାମାଲ ଗାଁର ଅବିନାଶ ନାଗ(୨୧), ଦେଷଣ୍ଢ ଗାଁର ସନ୍ତୋଷ କଲେଟ (୨୬), ସେବକ ନାଏକ (୨୫), ସଇନ୍ତଲା ଥାନା ରେଙ୍ଗାଲି ନୂଆଁ ବସ୍ତିର ରାକେଶ ହରପାଲ(୨୫), ସୁବରାଜ ବାରିକ (୨୬), କେନ୍ଦୁଉଡ଼ାରର ଈଶ୍ୱର ଚନ୍ଦ୍ର ଗୁର୍ଦ୍ଦା(୩୧), ବେଲପଡ଼ା ଥାନା ଡୁଙ୍ଗୁରିଗୁଡ଼ା ଗାଁର ପ୍ରତାପ ସୁନା (୨୩)।

ଏ ସଂପର୍କରେ ଦେଓଗାଁ ଥାନାରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ‌ସବିଶେଷ ସୂଚନା ଦେଇଛନ୍ତି। ଏସ୍‌ଡିସଙ୍କ କହିବା ଅନୁସାରେ, ବନ୍ଧପଡ଼ା ଫାଣ୍ଡି ଅଧିକାରୀ କମଳ ଲୋଚନ ମାଝୀ ଗତ ବୁଧବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଦେଷଣ୍ଢ-ବନ୍ଧପଡ଼ା ରାସ୍ତାରେ ଏକ ନମ୍ବର ବିହୀନ ବାଇକ୍‌ରେ ଆସୁଥିବା ଅଭିଯୁକ୍ତ ସନ୍ତୋଷ କଲେଟକୁ ସନ୍ଦେହରେ ଅଟକାଇ ପଚରା ଉଚରା କରିଥିଲେ। ପରେ ତାହା ଏକ ଚୋରି ବାଇକ୍‌ ବୋଲି ଜାଣିବାକୁ ପାଇଥିଲେ। ତାକୁ ଅଟକ ରଖି ପଚରାଉଚରା କରିଥିଲେ। ପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରିଥିଲେ।

ଦେଓଗାଁ ଥାନା ଅଞ୍ଚଳରୁ ଗତ ଦୁଇମାସ ମଧ୍ୟରେ ହୋଇଥିବା ଚୋରି, ଡକାୟତି ଘଟଣାଗୁଡ଼ିକରେ ଏହି ଗ୍ୟାଙ୍ଗ୍‌ ସମ୍ପୃକ୍ତ ଥିଲା ବୋଲି ଏସିଡିପିଓ ଶ୍ରୀ ବାରିକ କହିଥିଲେ। ଏହି ମାମଲାର ତଦନ୍ତ ଭାର ବନ୍ଧପଡ଼ା ଫାଣ୍ଡି ଅଧିକାରୀ ଶ୍ରୀ ମାଝୀ ନେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ତୁଷୁରା ଆଇଆଇସି ଯଶୋବନ୍ତ ପ୍ରଧାନୀ, ଦେଓଗାଁ ଓଆଇସି ରଞ୍ଜନ ବରିହା, ଏସ୍‌ଆଇ ବିଚିତ୍ରାନନ୍ଦ ପଧାନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର