ଇସ୍ପାତ ସହରକୁ ରେଳବାଇର ଉପେକ୍ଷା, ଅଧା ଟ୍ରେନ୍‌ ବନ୍ଦ ରହିଛି

ଦୈନିକ ୫୮ରୁ ଚାଲୁଛି ୨୭ ଟ୍ରେନ୍‌
ପୂର୍ବରୁ ମାସକୁ ଯାତ୍ରା କରୁଥିଲେ ୨ ଲକ୍ଷ ୩୭ ହଜାର ଯାତ୍ରୀ
ଏବେ ମାସକୁ ଯାତ୍ରା କରୁଛନ୍ତି ପ୍ରାୟ ୨୫ ହଜାର ଯାତ୍ରୀ
ଅସୁବିଧା ‌ଭୋଗୁଛନ୍ତି ୧୦ରୁ ଅଧିକ ରାଜ୍ୟର ଲୋକ

ରାଉରକେଲା : ଦକ୍ଷିଣପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ଅଧୀନରେ ରହିଛି ରାଉରକେଲା ରେଳଷ୍ଟେସନ। ସ୍ମାର୍ଟସିଟି ରାଉରକେଲାରେ ବସବାସ କରୁଥିବା ଓଡ଼ିଶା ସମେତ ଦେଶର ପ୍ରାୟ ୧୦ରୁ ଅଧିକ ଅନ୍ୟ ରାଜ୍ୟର ହଜାର ହଜାର ଲୋକ ଏହି ରେଳ ଷ୍ଟେସନ ଉପରେ ନିର୍ଭରଶୀଳ। କିନ୍ତୁ କରୋନା ଆଳ ଦେଖାଇ ରେଳ ବିଭାଗ ଅଧିକାଂଶ ଟ୍ରେନ୍‌ ଚଳାଚଳକୁ ଅନୁମତି ଦେବାକୁ ପଛଘୁଞ୍ଚା ଦେଉଛନ୍ତି।

ରାଉରକେଲା ଦେଇ ଦୈନିକ ଯାତାୟତ କରୁଥିବା ୫୮ଟି ଏକ୍ସପ୍ରେସ, ପାସେଞ୍ଜର, ଇଣ୍ଟରସିଟି ଟ୍ରେନ୍‌ ମଧ୍ୟରୁ ଏବେ ଚାଲୁଛି ମାତ୍ର ୨୭ଟି। ରାଉରକେଲାରୁ ଦେଶର ପ୍ରମୁଖ ସହରକୁ ଦୈନିକ ଓ ସାପ୍ତାହିକ ଯାତାୟତ କରୁଥିବା ଅଧିକାଂଶ ପ୍ରମୁଖ ଟ୍ରେନ୍‌ ଚଳାଚଳ କୋଭିଡ୍‌ ପରଠାରୁ ସମ୍ପୂର୍ଣ୍ଣ ବନ୍ଦ ରହିଛି। ରାଜଧାନୀ ଭୁବନେଶ୍ବରକୁ ଯାଉଥିବା ଅଧିକାଂଶ ଟ୍ରେନ୍‌ ବନ୍ଦ ହୋଇ ଯିବାରୁ ସହରର ଲୋକେ ନାହିଁ ନଥିବା ଅସୁବିଧାରେ ପଡୁଛନ୍ତି। ପୂର୍ବରୁ ରାଉରକେଲାରୁ ମାସକୁ ୨ ଲକ୍ଷ ୩୭ ହଜାର ୭୧୯ ଟିକେଟ୍‌ ବୁକିଂ ହେଉଥିଲା। ଦୈନିକ ପ୍ରାୟ ୭ ହଜାରରୁ ଅଧିକ ଟିକେଟ୍‌ ବିକ୍ରି ହେଉଥିଲା। ଆୟ ହେଉଥିଲା ୬ ଲକ୍ଷରୁ ଅଧିକ। ଗତ ୨୦୨୦ ଜାନୁଆରିରେ କେବଳ ୪୮ ହଜାର ୪୮୩, ଫେବ୍ରୁଆରିରେ ୪୭ ହଜାର ୩୦୪ ଟିକେଟ୍‌ ବୁକିଂ ହୋଇଛି।

ଟ୍ରେନ୍‌ ଚଳାଚଳ କରୁ ନଥିବାରୁ ୨୦୨୧ ଜାନୁଆରିରେ ମାତ୍ର ୧୯ ହଜାର ୨୭୨, ଫେବ୍ରୁଆରିରେ ୨୪ ହଜାର ୪୬୬ ଆରକ୍ଷଣ ଟିକେଟ ବୁକିଂ ହୋଇଛି। ଟ୍ରେନ୍‌ ଯାତ୍ରା ସ୍ବାଭାବିକ ହେଉ ନଥିବାରୁ ଯାତ୍ରୀ ଦୁର୍ଦ୍ଦଶା ‌ଭୋଗୁଛନ୍ତି। ରେଳ ବିଭାଗର ରାଜସ୍ବ କମୁଛି। ଖଟିଖିଆ, ଦିନ ମଜୁରିଆ, ଚାକିରିଆ, ବ୍ୟବସାୟୀ, ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବିଶେଷକରି ରାଉରକେଲା ସହର ଉପରେ ନିର୍ଭରଶୀଳ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ଶହ ଶହ ବ୍ୟବସାୟୀ ଦୁର୍ଦ୍ଦଶା ଭୋଗୁଛନ୍ତି। ଇସ୍ପାତ କାରଖାନା ସମେତ ଏହାର ଚତୁଃପାର୍ଶ୍ବରେ ଗଢ଼ି ଉଠିଥିବା କଳକାରଖାନାରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ, ହରିୟାନା, ରାଜସ୍ତାନ, କେରଳ, ଗୁଜୁରାଟ, ଆନ୍ଧପ୍ରଦେଶ ଆଦି ରାଜ୍ୟର ଲୋକମାନେ ମଧ୍ୟ ସମଦଶା ଭୋଗୁଛନ୍ତି। କୁଲି, ଅଟୋ ଚାଳକ, ଅନ୍ୟ ଛୋଟ ବଡ ବ୍ୟବସାୟୀଙ୍କ ବେଉସା ବୁଡିଛି। ରେଳବାଇର ଏଭଳି ଅବହେଳାକୁ ନେଇ ଜନ ଅସନ୍ତୋଷ ତେଜୁଛି।

ସମ୍ବନ୍ଧିତ ଖବର