ଡିଆଇଜିଙ୍କୁ ଭେଟିଲେ ଗାଁରୁ ବାସନ୍ଦ ସମାଜସେବୀ

ରାଉରକେଲା: ଗାଁରୁ ବାସନ୍ଦ ସମାଜସେବୀ ଚାନ୍ଦମଣି ସାଣ୍ଡିଲ ନ୍ୟାୟ ପାଇବାକୁ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ପରେ ଆଜି  ପଶ୍ଚିମାଞ୍ଚଳ ଡିଆଇଜିଙ୍କ ଅଫିସର ଦ୍ବାରସ୍ଥ ହୋଇଛନ୍ତି। ଡିଆଇଜି ଅନୁପସ୍ଥିତ ଥିବାରୁ  ଅଫିସ୍‌ରେ କାର୍ଯ୍ୟରତ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି। ଅଧିକାରୀ ଜଣକ ଘଟଣାର ତଦନ୍ତ ପାଇଁ ଚାନ୍ଦିପୋଷ ଥାନା ଅଧିକାରୀଙ୍କୁ କହିଛନ୍ତି। ଡିଆଇଜିଙ୍କ ଅଫିସ୍‌ରୁ ନ୍ୟାୟ ନ ମିଳିଲେ ଚାନ୍ଦମଣି ମୁଖ୍ୟମନ୍ତ୍ରୀ ଭେଟିବେ ବୋଲି କହିଛନ୍ତି।

ତାଙ୍କ ଅଭି‌ଯୋଗ ଅନୁଯାୟୀ ଗତ ଶିବରାତ୍ରୀ ଦିନ ଗାଁର କିଛି ଯୁବକ ରାତିତମାମ ଡିଜେ ବଜାଇଥିଲେ। ଯାହାକୁ ଚାନ୍ଦମଣି ବିରୋଧ କରିଥିଲେ।  ହେଲେ ଗ୍ରାମର ଲୋକମାନେ ଚାନ୍ଦମଣିଙ୍କର କୌଣସି କଥାକୁ ଶୁଣି ନଥିଲେ। ଚାନ୍ଦମଣି ଏ ସଂକ୍ରାନ୍ତରେ ସ୍ଥାନୀୟ ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଥାନାରେ ଅଭିଯୋଗ ପହଞ୍ଚିବା ପରେ ଗାଁର ୫ ବସ୍ତିର କିଛି ମୁଖିଆ ଗତ ୧୦ ରେ ଏକ ଗୁପ୍ତ ବୈଠକ ଡାକିଥିଲେ। ଚାନ୍ଦମଣିଙ୍କୁ ଗାଁରୁ ବାସନ୍ଦ କରାଯାଇଥିଲା। ୫ ବସ୍ତିର କୌଣସି କାର୍ଯ୍ୟକ୍ରମରେ ଚାନ୍ଦମଣିକୁ ସାମିଲ ନ କରିବା। ଯେଉଁମାନେ ଚାନ୍ଦମଣିଙ୍କୁ ସହାୟତା କରିବେ କିମ୍ବା ତାଙ୍କ ଦୋକାନରୁ ଜିନିଷ କିଣିବେ ତାଙ୍କୁ ୫ ହଜାର ଜରିମାନା ଦେବା ଆଦି ବୈଠକରେ କଠୋର ନିଷ୍ପତ୍ତି ନିଆଯାଇଥିଲା। ବସ୍ତିବାସିନ୍ଦାଙ୍କ ଏଭଳି ନିଷ୍ପତ୍ତି ଯୋଗୁ ଚାନ୍ଦମଣି ଓ ତାଙ୍କ ପଡୋଣୀ ସରୋଜ କାଣ୍ଡୁଲାନା ପରିବାର ଗାଁରେ ଏକାକୀ ହୋଇଯାଇଥିଲେ। ଚାନ୍ଦମଣିଙ୍କ ସହ ମିଶୁଥିବାରୁ ପଡୋଶୀ ସରୋଜକୁ ୫ ହଜାର ଟଙ୍କା ଦେବାକୁ ଗାଁର ଲୋକମାନେ ଧମକ ଦେଇଥିଲେ। ଚାନ୍ଦମଣି ଗାଁରୁ ବାସନ୍ଦ ହେବା ପରେ ଚାନ୍ଦିପୋଷ ଥାନାର ଦ୍ବାରସ୍ଥ ହୋଇଥିଲେ। ହେଲେ ଥାନା ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିଲା।

ସମ୍ବନ୍ଧିତ ଖବର