ପ୍ରେକ୍ଷାଳୟ ମରାମତି ପାଇଁ ସରିଲା ଟେଣ୍ଡର, ୮୦ଲକ୍ଷ ବ୍ୟୟ ବରାଦ

ଜୟପୁର: ସହରବାସୀଙ୍କ ଲାଗି ଖୁସି ଖବର। ମରାମତି ହେବ ସ୍ଥାନୀୟ ଘୋଡ଼ାଶାଳ ପଡ଼ିଆରେ ଥିବା ପ୍ରତାପ ନାରାୟଣ ସିଂଦେଓ ଅଡିଟୋରିୟମ। ଏଥିଲାଗି ପଦକ୍ଷେପ ନେଇଛି ପୌରପାଳିକା। ମରାମତି ଲାଗି ୮୦ ଲକ୍ଷ ଟଙ୍କାର ବ୍ୟୟଅଟକଳ କରିଛି। ଟେଣ୍ଡର ପ୍ରକ୍ରିୟା ଶେଷ ହେବା ସହ ଚୁକ୍ତି ବି ହୋଇ ସାରିଛି। ଅତିଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ।

ଅଡିଟୋରିୟମ୍‌ ମରାମତି ଲାଗି ସ୍ଥାନୀୟ କଳାକାରଙ୍କ ଦୀର୍ଘଦିନର ଦାବି ରହିଥିଲା। ଏହାକୁ ଆଖିଆଗରେ ରଖି ଯୋଜନା କରାଯାଇଛି। ୧୪୦ ଜଣଙ୍କ ବସିବା ଲାଗି ପୁସ୍‌ବ୍ୟାକ୍ ଚେୟାର, ସେଣ୍ଟ୍ରାଲ ଏସି, କୋଠାର ଛାତ ଗ୍ରେଡିଂ, ଛାତ ଉପରେ ଟିଣ ସେଡ୍, ଗ୍ରୀନରୁମ୍ ମରାମତି, ଶୌଚାଳୟ, ସିଲିଂ, ବିଦ୍ୟୁତ ୱେୟାରିଂ, ବଡ଼ ପରଦା, ଶବ୍ଦ ନିରୋଧକ ବ୍ୟବସ୍ଥା ଏବଂ ଦରକାର ପଡୁଥିବା ଆନୁସଙ୍ଗିକ ସୁବିଧା କରାଯିବ। ଖୋଲା ପଡିଆ ଥିବାରୁ ପାର୍କିଂ ସମସ୍ୟା  ହେବ ନାହିଁ । ଧାର୍ଯ୍ୟ ସମୟରେ ମରାମତି କାମ କିଭଳି ଶେଷ ହେବ, ସେଥିଲାଗି ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଟ୍ଟନାୟକ।

ସୂଚନାଯୋଗ୍ୟ, ପୌରପାଳିକା ପକ୍ଷରୁ ୨୦୧୦ରେ ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଅଡିଟୋରିୟମ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଆରମ୍ଭର ଅଳ୍ପ କିଛି ମାସ ମଧ୍ୟରେ ହିଁ ଖରାଫ ହୋଇ ଯାଇଥିଲା। ବୈଷୟିକ ଓ ପରିଚାଳନାଗତ ତ୍ରୁଟି ଯୋଗୁ ଏହା ଅଧିକ ଦିନ କାର୍ଯ୍ୟକ୍ଷମ ହୋଇପାରିନଥିଲା। ଛାତରୁ ପାଣି ଗଣିବା ସହ ସିଲିଂ ଖସିବା ଆରମ୍ଭ ହୋଇଥିଲା। କୌଣସି ଅଘଟଣ ଘଟିବା ଆଶଙ୍କାରେ ଏହାକୁ ବନ୍ଦ କରିଦିଆଯାଇଥିଲା। ଏହାର ସୁଯୋଗ ନେଇ କେତେକ ଅସାମାଜିକ ଏସି, ଫ୍ୟାନ এ ଅନ୍ୟାନ୍ୟ ସାମଗ୍ରୀ ଚୋରିକରି ନେଇଥି ଲେ । ଶେଷରେ ବାଧ୍ୟ ହୋଇ ବଳକା ଏସି ସହ ଚେୟାର ଓ ଅନ୍ୟାନ୍ୟ ସାମଗ୍ରୀ ନେଇଯାଇଥିଲା ପୌରପାଳିକା। ସଂପ୍ରତି ଅସମାଜିକତତ୍ତ୍ବ, ବୁଲା କୁକୁର, ଗାଇ ଆଦିର ଆଡ୍ଡା ପାଲଟି ଯାଇଛି। ଦିନ ତମାମ କୁକୁର, ଗାଇ ଗୋରୁ ଏଠାରେ ବସା ବାନ୍ଧୁଥିବା ବେଳେ ସଂଧ୍ୟା ନଇଁବାମାତ୍ରକେ ନିଶାଡି, ମଦୁଆଙ୍କ ଆଡ୍ଡା ଜମୁଛି। ସହରରେ କିଛି ବଡ଼ କାର୍ଯ୍ୟକ୍ରମ କରିବା ପାଇଁ ବଡ ଅଡିଟୋରିୟମ ଟିଏ ବି ନାହିଁ। ଦିନକୁ ଦିନ ନାଟକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଭଲ ସ୍ଥାନ ଖଣ୍ଡିକ ନଥିବାକୁ ନେଇ  କେଏଫଡିସି ସହ ବିଭିନ୍ନ କଳାକାର , ସଂଗଠନ ପକ୍ଷରୁ ପୃଥକ ପୃଥକ ଭାବେ ବିଧାୟକ ତାରାପ୍ରସାଦ ବାହିନୀପତି ଓ ରାଜ୍ୟସରକାରଙ୍କ ଦୃଷ୍ଟି ଆକର୍ଷଣ ବି କରିଥିଲେ। ନୂଆ ପାରିଷଦ ଗଠନ ହେବା ପରେ ପୁରୁଣା ଅଡିଟୋରିୟମକୁ ପୁନଃରୁଦ୍ଧାର କରିବା ପାଇଁ ବି ପାରିଷଦ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହାର ଟେଣ୍ଡର ହୋଇ କାମ ଆରମ୍ଭ ହେବା ଖବର ପ୍ରଚାର ହେବା ପରେ ସାଧାରଣରେ ଏହାକୁ ସ୍ବାଗତ କରାଯାଇଛି।

 

ସମ୍ବନ୍ଧିତ ଖବର