ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ଯାଜପୁରଟାଉନ/ସଦର: ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳା ପାଇଁ ‌ଜଣେ ରୋଗୀଙ୍କ ମୃତ ହୋଇଥିବା ନେଇ ଅଭିଯୋଗ ହେବା ସହ ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଖବର ପାଇଁ ଟାଉନ ପୁଲିସ ପହଞ୍ଚି ସମସ୍ତୁ ବୁଝାସୁଝା କରି ପରିସ୍ଥିତି ଶାନ୍ତ କରିଥିଲା ।

ସୂଚନା ଅନୁସାରେ ଯାଜପୁର ପୌରାଞ୍ଚଳ ବଡଶାସନ ଅନ୍ତର୍ଗତ କପିଳେଶ୍ବରପୁର ଗ୍ରାମର ବିଷ୍ଣୁ ପଲେଇ(୬୦) ଆଜି ସକ‌ାଳେ ନିଶ୍ବାସପ୍ରଶ୍ବାସରେ ସମସ୍ୟା ହେବାକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭତ୍ତି ହୋଇଥିଲେ। ତେବେ ସାଲାଇନ ଓ ଅକ୍ସିଜେନ ସହଯୋଗରେ ସେ ଧୀରେଧୀରେ ସୁସ୍ଥ ହୋଇଥିଲେ। ପରେ ଡାକ୍ତରଖାନା ପକ୍ଷରୁ ତାଙ୍କ ଅକ୍ସିଜେନ ଆବଶ୍ୟକତା ନଥିବା କହି କାଢ଼ି ଦିଆଯାଇଥିଲା। କିନ୍ତୁ ରୋଗୀ ଅକ୍ସିଜେନ ଲଗାଇ ରଖିବାକୁ କହିଥିଲେ। ପରେ ଅପରାହ୍ନରେ ହଠାତ୍ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଗଲା ବେଳକୁ ଡାକ୍ତର ରୋଗୀ ଗୁରୁତର କହି କଟକ ସ୍ଥାନାନ୍ତରିତ କରି ଦେଇଥିଲେ।

ତେବେ ରୋଗୀ ଜଣକ ଆମ୍ବୁଲାନସକୁ ଯିବା ପୂର୍ବରୁ ମୃତ୍ୟୁବରଣ କରିଥିଲେ। ଯାହାକୁ ନେଇ ମୃତକଙ୍କ ପରିବାର ଲୋକ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ କରିଥିଲେ । ଖବର ପାଇଁ ଟାଉନ ପୁଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହ ଏନେଇ ଥାନାରେ ଅଭିଯୋଗ କରିବାକୁ କହିଥିଲେ। ପରେ ତାଙ୍କ ପରିବାର ପକ୍ଷରୁ ଟାଉନ ଥାନାରେ ଯାଜପୁର ମୁଖ୍ୟଚିକିତ୍ସାଳୟରେ ‌ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ସେବା ପାଇଁ ରୋଗୀ ମୃତ୍ୟୁବରଣ କରିଥିବା ଅଭିଯୋଗ କରାଯାଇଛି।

ସମ୍ବନ୍ଧିତ ଖବର