ଲଙ୍ଗଳପାଖନା ଘାଟିରେ ଦୁର୍ଘଟଣା, ଟ୍ରକ ଓଲଟି ଦୁଇ ଗୁରୁତର

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅନ୍ତର୍ଗତ ଲଙ୍ଗଳପାଖନା ଘାଟିରେ ପୁଣି ଦୁର୍ଘଟଣା ଘଟିଛି। ଲୁହା ପାଇପ୍ ବୋଝେଇ ଟ୍ରକ ଓଲଟିବାରୁ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘାଟରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ଏହାକୁ ରୋକିବା ପାଇଁ ବିକଳ୍ପ ବ୍ୟବସ୍ଥା କରିବା ନିମନ୍ତେ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିରବତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣା ଅନୁଯାୟୀ, ଗତକାଲି ରାତି ଆଠଟା ସମୟରେ ଲୁହା ପାଇପ୍ ବୋଝେଇ କରି ଟିଏସ୍ ୦୫ ୟୁସି ୫୫୮୯ ନମ୍ବର ବିଶିଷ୍ଟ ଷୋହଳ ଚକିଆ ଟ୍ରକ ରାଉରକେଲା ଠାରୁ ଓ୍ବାରାଙ୍ଗଲ ଯାଉଥିବା ବେଳେ ଲଙ୍ଗଳପାଖନା ଘାଟିରେ ନିୟନ୍ତ୍ରଣ ହରାଇବାରୁ ଓଲଟି ପଡିଥିଲା। ଦୁର୍ଘଟଣାରେ ଟ୍ରକ ଡ୍ରାଇଭର କେ. ଦେବେନ୍ଦର (୪୦) ଏବଂ କେ. ପ୍ରଦୀପ (୩୫) ଗୁରୁତର ଭାବେ ଆହତ ହୋଇଛନ୍ତି। କେ. ଦେବେନ୍ଦରଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ କେ. ପ୍ରଦୀପଙ୍କ ମୁଣ୍ଡ, ବେକ ଏବଂ ଛାତିରେ ଆଘାତ ଲାଗିଛି।

ଖବର ପାଇ ବୈପାରିଗୁଡା ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ଦୁଇ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସୂଚନାଯୋଗ୍ୟ, ଦୁର୍ଘଟଣା ପ୍ରବଣ ସ୍ଥାନ ରୂପେ ଚିହ୍ନଟ ଏହି ଜାଗାରେ ବାରମ୍ବାର ଦୁର୍ଘଟଣା ଘଟି ଦୁଇ ଜଣଙ୍କ ଜୀବନହାନୀ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ତେବେ ଗତ ୨୦୨୧ ମସିହାରେ ଏହି ସ୍ଥାନରେ ନଅଟି ଦୁର୍ଘଟଣା ଘଟିଥିବା ବେଳେ ୨୦୨୨ ଜାନୁଆରି ମାସ ଠାରୁ ଗତକାଲି ଯାଏ ତିନୋଟି ଦୁର୍ଘଟଣା ଘଟି ସାରିଥିଲେ ମଧ୍ୟ ଜାତୀୟ ରାଜପଥ ବିଭାଗ ଦୁର୍ଘଟଣା ଏଡାଇବା ପାଇଁ କୈାଣସି ପଦକ୍ଷେପ ନେଉନଥିବା ଅଭିଯୋଗ ଆସିଛି। ଏସମ୍ପର୍କରେ ଜାତୀୟ ରାଜପଥ ବିଭାଗର ଏସଡିଓଙ୍କ ସହ ଯୋଗାଯୋଗ କରିବାରୁ ଜାତୀୟ ରାଜପଥ ଉପରେ ରହିଥିବା ହମ୍ପସ୍ ପ୍ରଥମେ ଉଠାଇବା ପାଇଁ ନିର୍ଦ୍ଦେଶ ରହିଛି। ତାହା ସମ୍ପୂର୍ଣ୍ଣ ହେବା ପରେ ଏସମ୍ପର୍କରେ ବିଚାରକୁ ନିଆଯିବ ବୋଲି ପ୍ରକାଶ କରିଥିଲେ। ତେବେ ଦୁର୍ଘଟଣା ପ୍ରବଣ ଘାଟି ରାସ୍ତାର ବିକଳ୍ପ ବ୍ୟବସ୍ଥା କେବେ ସୁଦ୍ଧା କରାଯିବ, ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର