ସର୍ପ ଶାସନ

ଚିନ୍ମୟ ଚେତନା - ଚିନ୍ମୟ ହୋତା

ବିହାର ପ୍ରଦେଶରେ ଏବେ ସର୍ପ ଶାସନ ଚାଲିଛି- ଯଦି ନିକଟରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ସର୍ବସାଧାରଣଙ୍କୁ ସ୍ମରଣ କରାଇ ଦେଇଥିବା ଲାଲୁ ପ୍ରସାଦ ଯାଦବଙ୍କର ଏକ ପୁରୁଣା ସନ୍ଦେଶକୁ ଆମେ ବିଶ୍ୱାସ କରିବା। ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଲାଲୁଙ୍କର ଏହି ଘୋଷଣା ଅନୁସାରେ ବିହାରରେ ସଦ୍ୟ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ନୀତୀଶ କୁମାର କୁଆଡ଼େ ଗୋଟାଏ ସାପ। ଗାଁ ମାଟି ସହ ନିବିଡ଼ ଭାବରେ ଜଡ଼ିତ ଓ ଗାଉଁଲି ମନୋଭାବକୁ ଠିକ୍‌ ଠଉରେଇପାରୁଥିବା ପୁରୁଣା ରାଜନୈତିକ ଖେଳୁଆଡ୍ ଲାଲୁ ଦାବି କରିଥିଲେ ଯେ ନୀତୀଶ ସାପମାନଙ୍କ ପରି ପ୍ରତି ଦୁଇ ବର୍ଷରେ ତାଙ୍କର ପୁରୁଣା କାତି ଛଡ଼ାଇ ନୂଆ ଚମଡ଼ା ଗ୍ରହଣ କରନ୍ତି। ତୁଳନାତ୍ମକ ଦୃଷ୍ଟିକୋଣରୁ ଲାଲୁଙ୍କ ଉପମାଟି ଯଥାର୍ଥ, କାରଣ ଗତ କିଛି ବର୍ଷ ଭିତରେ ନୀତୀଶ ଆଠ ଥର ମୁଖ୍ୟମନ୍ତ୍ରୀ ହେଲେଣି, ନୂଆ ନୂଆ ସାଥୀମାନଙ୍କ ସହ ହାତ ମିଳେଇ। କିନ୍ତୁ ଗିରିରାଜଙ୍କ କଟାକ୍ଷ ଏଇଥି ପାଇଁ ଯୁକ୍ତିଯୁକ୍ତ ଯେ ଯେଉଁ ନୀତୀଶଙ୍କ ସାଙ୍ଗରେ ଅହି-ନକୁଳର ସମ୍ପର୍କ ଥିଲା ଏବେ ଲାଲୁଙ୍କ ବିରାଦରି ସେହି ସାପକୁ ନିଜ ଘରେ ପୂରାଇବାକୁ ଉଚ୍ଛନ୍ନ ହୋଇ ପଡ଼ିଛନ୍ତି। ଧନ୍ୟ କ୍ଷମତା ରାଜନୀତିର ବିଚିତ୍ର ଗତି!

ରାଜନୀତିର ଚରାଭୂଇଁରେ ଚରିତ୍ରମାନଙ୍କର ଅସଲ ସ୍ୱରୂପ ଦର୍ଶାଇବା ପାଇଁ ସେମାନଙ୍କୁ ବିଭିନ୍ନ ପଶୁପକ୍ଷୀଙ୍କ ନାମ ଦେବା ଏକ ପୁରୁଣା ପରମ୍ପରା। ନିଜର ବିଷ ସଞ୍ଚାର କରି ରାମଚନ୍ଦ୍ରଙ୍କୁ ସିଂହାସନରୁ ବଞ୍ଚିତ କରିବାରେ ସଫଳ ହେଲା ପରେ କୈକେୟୀ ଏକ ସଦ୍ୟ କାତି ତ୍ୟାଗ କରିଥିବା ସାପଟି ଭଳି ବିଚରଣ କରିବେ ବୋଲି ରାମାୟଣରେ ବାଲ୍ମୀକି ଲେଖିଛନ୍ତି। ତା’ ଛଡ଼ା ମହାଭାରତରେ ମଧ୍ୟ ଅନେକ ଚରିତ୍ରମାନଙ୍କୁ ସାପ, ଶୃଗାଳ, ମତ୍ତହସ୍ତୀ ଇତ୍ୟାଦି ରୂପରେ ଚିତ୍ରଣ କରାଯାଇଛି। ହେଲେ ଆଜିର କ୍ଷମତା ରାଜନୀତିରେ ଅସଲ ଖେଳୁଆଡ୍‌ମାନଙ୍କୁ ଏମିତି ରୂପରେ ବର୍ଣ୍ଣନା କରିବା ସେହି ପଶୁମାନଙ୍କ ପ୍ରତି ଅନ୍ୟାୟ ହେବ; କାରଣ ଦୁଇ ଗୋଡ଼ିଆ ମଣିଷମାନଙ୍କର ଦୁର୍ଦ୍ଦାନ୍ତ ଓ ଧୂର୍ତ୍ତ ସ୍ବଭାବ ଓ ମାରକ ଶକ୍ତି ନିରୀହ ପ୍ରାଣୀମାନଙ୍କ ଠାରୁ ବହୁ ଉଚ୍ଚରେ।

ଏଇ ଯେମିତି ଭାରତୀୟ ରାଜନୀତିରେ ନିଜର ପ୍ରତିବାଦୀମାନଙ୍କୁ ‘କୁକୁର’ ଆଖ୍ୟା ଦେବାର ଅଭ୍ୟାସ। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅଭିଯୋଗ, କମଳ ନାଥ କୁଆଡ଼େ ତାଙ୍କୁ ‘କୁତ୍ତା’ ବୋଲି ବର୍ଣ୍ଣନା କରିଛନ୍ତି। ଟିକେ ଭାବି ଦେଖନ୍ତୁ ତ ବିବାଦାସ୍ପଦ ଚରିତ୍ରମାନଙ୍କ କଳିରେ ସେହି ବିଶ୍ୱସ୍ତ, ଶୃଙ୍ଖଳିତ ଓ ‘ମଣିଷର ଶ୍ରେଷ୍ଠ ବନ୍ଧୁ’ ହିସାବରେ ପରିଗଣିତ ପ୍ରାଣୀଟି କାହିଁକି ବଦନାମ ହେବ? ବଶମ୍ବଦ କୁକୁରର ସେବା ତଥା ନିଜ ମାଲିକ ପାଇଁ ତ୍ୟାଗ ଓ ନିଷ୍ଠାର କାଣିଚାଏ ବି ଆଜିର ମଣିଷ ପାଖରେ ଖୋଜି ପାଇବା କଷ୍ଟକର, ଆଉ ରାଜନେତାଙ୍କ କଥା ତ କହିଲେ ନ ସରେ। ଓଡ଼ିଶାର ନେତାମାନେ ସଖା ସହୋଦରମାନଙ୍କୁ କଙ୍କଡ଼ା ଆଖ୍ୟା ଦେଉଥିବାର ନଜିର ଅଛି। କିନ୍ତୁ ରାଜନୈତିକ କୁତ୍ସା ରଟନା କ୍ଷେତ୍ରରେ ଏସବୁ ପ୍ରାଣୀମାନଙ୍କ ଠାରୁ ଢେର ଅଧିକ ମାତ୍ରାରେ ସର୍ପ କୁଳର ନାଁ ନିଆଯାଏ। କାରଣ ହିନ୍ଦୁ ଧର୍ମ ଓ ପୁରାଣ ସବୁଥିରେ ସାପ ଏକ ମାରାତ୍ମକ, ଧୂର୍ତ୍ତ ଓ ଅବିଶ୍ୱାସନୀୟ ଖଳ ଚରିତ୍ର। ସର୍ପକୁ କାଳ ବୋଲି ବିବେଚନା କରାଯାଏ। ସେମିତି ବାଇବେଲ୍‌ର ବର୍ଣ୍ଣନା ଅନୁସାରେ ସଇତାନ ସାପ ବେଶରେ ଆଦମ ଓ ଇଭ୍‌ଙ୍କୁ ପ୍ରଲୋଭିତ କରିଥିବାରୁ ମଣିଷ ଜାତିର ପତନ ଓ ଦୁଃଖ ଆରମ୍ଭ ହେଲା। ଏହି ସବୁ ଧାରଣା ଯୋଗୁଁ ସର୍ପ ଜାତିକୁ ସମସ୍ତ ଘୃଣ୍ୟ ଆଚରଣ ସହ ଯୋଡ଼ି ଦିଆଯାଇଛି। ଏମିତି କି କବି ତା’ର ପ୍ରିୟ ଠାକୁରର ଉଦାସୀନତା ଦେଖି କବି ବଳଦେବ ରଥ ‘ସର୍ପ ଜଣାଣ’ ଲେଖିବାକୁ ପଛାଇ ନାହାନ୍ତି।

ସର୍ପ କୁଳ ପାଇଁ ଏହି ସମଷ୍ଟିଗତ ନକାରାତ୍ମକ ଧାରଣା ସତ୍ତ୍ୱେ ଅନେକ ଭଲ ସାପମାନଙ୍କ କଥା ମଧ୍ୟ ଭାରତୀୟ ସଂସ୍କୃତିରେ ରହିଛି, ଯେମିତି ସମୁଦ୍ର ମନ୍ଥନ ବେଳେ ନିଜକୁ ରଜ୍ଜୁ ହିସାବରେ ବ୍ୟବହାର କରିବାକୁ ଦେଇଥିବା ବାସୁକି, ଶିଶୁ କୃଷ୍ଣଙ୍କୁ ବର୍ଷା ମୁଖର କାଳ ରାତ୍ରିରେ ସୁରକ୍ଷା ଦେଇଥିବା ଅଦିଶେଷ, ବିଷ୍ଣୁ ଶୟନ କରୁଥିବା ଅନନ୍ତ ଓ ରାଜା କପିଳେନ୍ଦ୍ର ଦେବଙ୍କ ପିଲା ଦିନେ ତାଙ୍କ ମୁଣ୍ଡକୁ ଫଣାରେ ଘୋଡ଼ାଇ ରଖିଥିବା ଶୁଭଙ୍କର ନାଗ ସାପ ଇତ୍ୟାଦି। ଏହି ଭଲ ସାପମାନେ ଏବେ ସଂଖ୍ୟାଲଘୁ ହୋଇ ମଣିଷର ଚେତନାର ପଛକୁ ଚାଲିଗଲେଣି। ସାପଙ୍କ ବିଷୟରେ ଉଭୟ ଭଲ ଓ ଖରାପ ଭାବନାରେ ସନ୍ତୁଳନ ଆଣିବା ପାଇଁ ନିର୍ବାଚନ କମିସନ ସର୍ବସାଧାରଣଙ୍କ ପାଇଁ ସାପ-ଶିଡ଼ି ଖେଳ ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ। ଭୋଟ ଦେବାର ଅଧିକାରକୁ ସଫାସୁତୁରା କରେଇବାକୁ ଏହି ପ୍ରଚେଷ୍ଟା ସେତେଟା ସଫଳ ହେଲା ଭଳି ଲାଗୁନାହିଁ। ଖରାପ ସାପଙ୍କ ସଂଖ୍ୟା ଦ୍ରୁତ ଭାବେ ବଢ଼ିବାରେ ଲାଗିଛି। ସେଇଥି ପାଇଁ ତ ରାଜନୈତିକ ଛକାପଞ୍ଝା ଭିତରେ ଲାଲୁ ଓ ଗିରିରାଜ ସିଂହ ସେମାନଙ୍କର ଶତ୍ରୁ ପକ୍ଷକୁ ସର୍ପ କୁଳରେ ଅନ୍ତର୍ଭୁକ୍ତ କରିପକାଉଛନ୍ତି।

ଲାଲୁ-ନୀତୀଶ କୋଳାକୋଳିରୁ ଯେଉଁ କଥାଟି ବୁଝିବା କଷ୍ଟକର ହେଉଛି, ତାହା ହେଲା, ଅତୀତରେ ଶତ୍ରୁ ସମ୍ପର୍କ ଥିବା ଏହି ସାପକୁ ଲାଲୁ କି ପଦ୍ମତୋଳା ଶୁଣାଇ ଅବା କି ଗଦ ଶୁଙ୍ଘାଇ ବଶ କରିପକାଇଲେ ଯେ ସାପଟି ଏବର ସମସ୍ତ ସମ୍ପର୍କ ଛିନ୍ନ କରି ତାଙ୍କ ବସା ଆଡ଼େ ଧାଇଁ ଆସିଲା। ରାଜନୀତିର ସୂକ୍ଷ୍ମ ଜ୍ଞାନରେ ବିଚକ୍ଷଣ ଲାଲୁ କ’ଣ ଏ କଥା ଜାଣି ନାହାନ୍ତି ଯେ ସର୍ପ ଯେତେ ଅନୁଗତ ବୋଲି ଦାବି କଲେ ବି ତା’ କଥାରେ ପରତେ ଯିବା ବୋକାମି? ‘ଭାଗବତ’ରେ ପରା ଅଛି, “ସର୍ପରେ ଜାତ କଲୁ ମୋତେ, ସ୍ବଭାବ ଛାଡ଼ିବି କେମନ୍ତେ?”

ସାପ ଯେ ଅନ୍ଧାରରେ କେତେବେଳେ ଚୋଟ ମାରିବ ସେ କଥା କିଏ ବା କହିପାରିବ? ହୁଏତ ଲାଲୁ ଭାବିଛନ୍ତି ଯେ ଯେତେ ଦିନ ତାଙ୍କ ହାତରେ ଲଣ୍ଠନ ରହିଛି ସେ ସାପ ଚୋଟରୁ ନିଜ ପରିବାରକୁ ରକ୍ଷା କରିପାରିବେ। ସେ ଜାଣିଛନ୍ତି ସାପ ମୁହଁରେ ଆଲୁଅ ପଡ଼ିଲେ ସିଏ ନାଚାର ହୋଇଯାଏ ଓ ତା’ର ସବୁ ବୁଦ୍ଧି ହଜିଯାଏ। ତା’ ଛଡ଼ା ଲାଲୁ ଭାବିଥିବେ ତାଙ୍କ ଲଣ୍ଠନ କାମ ନ ଦେଲେ ସେ ‘ସ୍ନେକ୍‌ ହେଲ୍‌ପଲାଇନ୍‌’ର ସାହାଯ୍ୟ ନେବେ, ଯେଉଁଗୁଡ଼ିକ ଆଜିର ରାଜନୀତିରେ ସହଜରେ ମିଳିଯାଉଛନ୍ତି। ପୁରୁଣା ସାଥୀ ବିଶ୍ବାସଘାତ କଲେ ଏହି ହେଲ୍‌ପଲାଇନ୍‌ଗୁଡ଼ିକ ସମର୍ଥନ ଦେବା ପାଇଁ ସହସା ସଦଳବଳେ ପହଞ୍ଚି ଯାଉଛନ୍ତି।

ମୋ: ୯୪୩୭୦୮୯୬୫୫

ସମ୍ବନ୍ଧିତ ଖବର