ଏକ ମହାବିଲୁପ୍ତି ଆଡ଼କୁ ପୃଥିବୀ!

ବିଜୟ କେତନ ପଟ୍ଟନାୟକ

ଜୈବ ବିବିଧତା ଏକ ସୌଖୀନ ବିଳାସ ନୁହେଁ! ବର˚ ସାମାଜିକ, ଜୈବିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଏହା ଏକ ଜରୁରୀ ଆବଶ୍ୟକତା। ୧୯୮୦ ମସିହା ପର ଠାରୁ ବିଶ୍ବ ଶବ୍ଦକୋଷରେ ‘ଜୈବିକ ବିଭିନ୍ନତା’ ଓ ‘ଜୈବ ବିବିଧତା’ ଶବ୍ଦର ପ୍ରଚଳନ ଊଣା ଅଧିକେ ପ୍ରବେଶ କରି ସାରିଥିଲା। କିନ୍ତୁ ୧୯୯୨ ମସିହାରେ ବ୍ରାଜିଲ୍‌ର ‘ରିଓ-ଡି-ଜାନେରୋ’ଠାରେ ଅନୁଷ୍ଠିତ ‘ଧରିତ୍ରୀ ସମ୍ମିଳନୀ’ ଅବକାଶରେ ମିଳିତ ଜାତିସ˚ଘ ତରଫରୁ ହୋଇଥିବା ‘ପରିବେଶ ଓ ପ୍ରଗତି’ ଶୀର୍ଷକ ଆଲୋଚନାରେ ‘ଜୈବ ବିବିଧତା’ ଶବ୍ଦର ଗୁରୁତ୍ବ ଓ ଲୋକପ୍ରିୟତା ବୃଦ୍ଧି ପାଇଲା।

ପୃଥିବୀ ପୃଷ୍ଠରେ ୩୫୦ କୋଟି ବର୍ଷ ପୂର୍ବେ ଜୀବନର ସଙ୍କେତ ମିଳିଥିଲା ବୋଲି ଅବିସମ୍ବାଦିତ ତଥ୍ୟ ଉପଲବ୍‌ଧ ରହିଛି। ପଶ୍ଚିମ ଅଷ୍ଟ୍ରେଲିଆରେ ୩୪୬ କୋଟି ବର୍ଷ ପୂର୍ବର ଜୀବାଣୁକୁ ପ୍ରଥମ ଜୀବନ ଆକୃତି ବୋଲି ଧରାଯାଏ। ଡାରଉଇନ୍‌ଙ୍କ ମତବାଦ ଅନୁସାରେ ବିଗତ ୩୦୦ କୋଟି ବର୍ଷର ବିବର୍ତ୍ତନ ଧାରାରେ ପ୍ରାକୃତିକ ମନୋନୟନ, ପରିବର୍ତ୍ତନ ତଥା ସ˚ଯୋଗୀକରଣ ପ୍ରକ୍ରିୟାରେ ପୃଥିବୀର ଜୈବ ବିବିଧତା ପରିପୃଷ୍ଟ ହୋଇଛି। ପଞ୍ଚ ମହାଭୂତର ସ˚ଯୁକ୍ତିରେ ସୃଷ୍ଟିରେ ଜୈବ ବିବିଧତାର ସଞ୍ଚାର ଘଟିଛି। ଜୀବ ବିଜ୍ଞାନୀମାନଙ୍କ ଗବେଷଣାରୁ ଜଣାଯାଏ ଯେ ପୃଥିବୀରେ ପ୍ରାୟ ୧ କୋଟିରୁ ୮ କୋଟି ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ପ୍ରଜାତିର ବୃକ୍ଷ, ଲତା, ଗୁଳ୍ମ, ଜୀବଜନ୍ତୁ ଓ ଅଣୁଜୀବମାନେ ଅଛନ୍ତି। କିନ୍ତୁ ସେମାନଙ୍କ ଭିତରୁ ଆଜି ପର୍ଯ୍ୟନ୍ତ ମାତ୍ର ୧୪ ଲକ୍ଷରୁ ୧୭ ଲକ୍ଷ ପ୍ରଜାତିଙ୍କୁ ଚିହ୍ନଟ କରାଯାଇପାରିଛି ବା ସେମାନଙ୍କ ସମ୍ପର୍କରେ ତଥ୍ୟ ସ˚ଗୃହୀତ ହୋଇପାରିଛି। ମୋଟ ଜୈବ ବିବିଧତାର ଏହା ମାତ୍ର ୨୦ ପ୍ରତିଶତ ମଧୢରେ ସୀମିତ। ପ୍ରକୃତିର ଯେଉଁ ପରିସ˚ସ୍ଥାମାନଙ୍କରେ ଏହି ଜୈବ ବିବିଧତା ଦେଖିବାକୁ ମିଳିଥାଏ, ସେଗୁଡ଼ିକ ହେଉଛି ସମୁଦ୍ର, ଆର୍ଦ୍ରଭୂମି, ଜଙ୍ଗଲ, ପାହାଡ଼ ପର୍ବତ, କୃଷିକ୍ଷେତ୍ର, ଚାରଣଭୂମି, ପ୍ରବାଳ ପ୍ରାଚୀର, ହେନ୍ତାଳବନ ଇତ୍ୟାଦି। ଭୂ ଭାଗରେ ମୁଖ୍ୟ ପରିସ˚ସ୍ଥା ହେଉଛି ଜଙ୍ଗଲ। ସେଠାରେ ବୃକ୍ଷ, ଲତା, ଗୁଳ୍ମ ସହିତ ୮୦ ପ୍ରତିଶତ ଉଭୟଚର ପ୍ରାଣୀ, ୭୫ ପ୍ରତିଶତ ପକ୍ଷୀ ଓ ୬୮ ପ୍ରତିଶତ ସ୍ତନ୍ୟପ୍ରାୟୀ ପ୍ରାଣୀ ଦେଖିବାକୁ ମିଳିଥାଆନ୍ତି।

ଅଦ୍ୟାବଧି ଆମେ ଚିହ୍ନିଥିବା ୨୦ ପ୍ରତିଶତ ଜୈବ ବିବିଧତାରୁ ମନୁଷ୍ୟ ସେବା (ପରିସ˚ସ୍ଥୀୟ ସେବା) ପାଇ ଆସୁଛି। ମନୁଷ୍ୟର ତିନିଟି ଯାକ ମୌଳିକ ଆବଶ୍ୟକତା ଯଥା: ଖାଦ୍ୟ, ବସ୍ତ୍ର ଓ ବାସଗୃହ ଯୋଗାଣ ହିଁ ମୁଖ୍ୟ ପରିସ˚ସ୍ଥୀୟ ସେବା ବା ସାଧନ। ମାତ୍ର ୨୦ଟି ପ୍ରଜାତିର ଉଦ୍ଭିଦରୁ ବିଶ୍ବର ୯୦ ପ୍ରତିଶତ ଖାଦ୍ୟ ଆବଶ୍ୟକତା ପୂରଣ ହୋଇପାରୁଛି। ୭୫ ପ୍ରତିଶତ ପାରମ୍ପରିକ ଔଷଧୀୟ ଆବଶ୍ୟକତା ପ୍ରାୟ ୩୦୦୦ ଔଷଧୀୟ ବୃକ୍ଷ, ଲତା, ଗୁଳ୍ମରୁ ମିଳିପାରୁଛି। ବିଶ୍ବର ୭୦ ପ୍ରତିଶତ ଜନସାଧାରଣ ଔଷଧୀୟ ବୃକ୍ଷ, ଲତା, ଗୁଳ୍ମରୁ ମିଳୁଥିବା ପାରମ୍ପରିକ ଔଷଧ ଉପରେ ବା ସେଥିରୁ ପ୍ରସ୍ତୁତ ରାସାୟନିକ ଔଷଧ ଉପରେ ଏବେବି ନିର୍ଭରଶୀଳ। ଜଙ୍ଗଲ, ପାହାଡ଼, ପର୍ବତ, ନଦୀ, ନାଳ ସମୁଦ୍ର, ପ୍ରବାଳ ପ୍ରାଚୀର ଆଦି ପରିସ˚ସ୍ଥା ଜୀବଜନ୍ତୁ, ପଶୁପକ୍ଷୀ, କୀଟପତଙ୍ଗ, ଜଳଚର ଜୀବମାନଙ୍କ ନିମନ୍ତେ ଉପଯୁକ୍ତ ଆବାସସ୍ଥଳୀର ପ୍ରାବଧାନ କରିଥାଏ। ଏ ସବୁ ବ୍ୟତୀତ ପରିସ˚ସ୍ଥୀୟ ସେବାର ଅନ୍ତର୍ନିହିତ ଦିଗକୁ ବିଚାର ପରିସରକୁ ନେଲେ, ତନ୍ମଧୢରେ ରହିଛି ଜଳଚକ୍ର ଓ ବାୟୁଚକ୍ରର ସଞ୍ଚାଳନ, ଖାଦ୍ୟ ଶୃଙ୍ଖଳର ସୁପରିଚାଳନା, ଆବଶ୍ୟକ ବର୍ଷା, ସ୍ଥିର ଜଳବାୟୁ, ନିର୍ମଳ ଜଳ ଏବ˚ ବିଶୁଦ୍ଧ ବାୟୁ ପ୍ରଦାନ ଇତ୍ୟାଦି। ଏହା ବ୍ୟତୀତ ଉଭୟ ଜଙ୍ଗଲ ଏବ˚ ସାମୁଦ୍ରିକ ପରିସ˚ସ୍ଥା, ‘ଅଙ୍ଗାରକ କୁଣ୍ତ’ ହିସାବରେ କାର୍ଯ୍ୟ କରି ବାୟୁମଣ୍ତଳରୁ ଅଙ୍ଗାରକାମ୍ଳ ଶୋଷି ନେଇଥାନ୍ତି। ଉଦ୍ଭିଦ ଜଗତ୍‌ ଏବ˚ ଜଳଜ ଉଦ୍ଭିଦ ‘ଆଲ୍‌ଗେ’ ବାୟୁମଣ୍ତଳରୁ ବିଷାକ୍ତ ସବୁଜଗୃହ ବାଷ୍ପ ଅଙ୍ଗାରକାମ୍ଳ ଗ୍ରହଣ କରି ତା ପ୍ରତିବଦଳରେ ଅମ୍ଳଜାନ ପ୍ରଦାନ କରିଥାନ୍ତି। ପରାଗ ସଙ୍ଗମ ଜରିଆରେ କୀଟପତଙ୍ଗ ଏବ˚ ମହୁମାଛିମାନେ ଖାଦ୍ୟ ଉତ୍ପାଦନରେ ମୁଖ୍ୟ ଭୂମିକା ତୁଲାଇଥାନ୍ତି। ଏବେ ମଧୢ ୭୦ ପ୍ରତିଶତରୁ ଅଧିକ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକମାନେ କୃଷି, ମତ୍ସ୍ୟପାଳନ, ଜଙ୍ଗଲ ଓ ଜଙ୍ଗଲ ଜାତ ଲଘୁବନଜାତ ଦ୍ରବ୍ୟ ଆଦି ପ୍ରାକୃତିକ ସମ୍ବଳ ଉପରେ ନିର୍ଭର କରିଥାନ୍ତି। ସାମଗ୍ରିକ ଦୃଷ୍ଟିକୋଣରୁ ଏହିସବୁ ବିଷୟକୁ ବିଚାରକୁ ନେଲେ ବୁଝି ହୁଏ ଯେ ବିଶ୍ବରେ ମନୁଷ୍ୟ ସମେତ ସମସ୍ତ ପ୍ରାଣୀଙ୍କ ସୃଷ୍ଟି, ସ୍ଥିତି ଓ ବିକାଶରେ ପରିସ˚ସ୍ଥୀୟ ସେବାର ପ୍ରମୁଖ ଭୂମିକା ରହିଛି।

ଆମର ପୂର୍ବଜମାନେ ପ୍ରକୃତି, ପରିବେଶ ଓ ପ୍ରାକୃତିକ ସମ୍ପଦର ପରିସ˚ସ୍ଥାଗତ ସେବା ସମ୍ପର୍କରେ ସମ୍ପୂର୍ଣ୍ଣ ଭାବେ ଅବଗତ ଥିଲେ। ବେଦର ଅନେକ ସୂକ୍ତ ପ୍ରକୃତି ତଥା ପ୍ରାକୃତିକ ବିଭବ ପ୍ରତି ସମର୍ପିତ। ଋଗ୍‌ବେଦରେ କୁହାଯାଇଛି, ଯେ ମୃତ୍ତିକା, ଜଳ, ବାୟୁ, ଅଗ୍ନି ଏବ˚ ଆକାଶ ଭଳି ଯେଉଁ ପାଞ୍ଚଟି ଉପାଦାନରୁ ପୃଥିବୀ ସୃଷ୍ଟ, ତହିଁରୁ ମନୁଷ୍ୟ ତାର ସମସ୍ତ ପରିସ˚ସ୍ଥୀୟ ସେବା ଆହରଣ କରିଚାଲିଛି। କିନ୍ତୁ ମନୁଷ୍ୟର ଅବିବେକୀ ଦୋହନପ୍ରବଣ ମାନସିକତା ଲାଗି ପ୍ରକୃତି ଓ ପ୍ରାକୃତିକ ପରିସ˚ସ୍ଥା ଆଜି ସଙ୍କଟାପନ୍ନ। ବିଗତ ଦୁଇ ଶତାବ୍ଦୀ ଭିତରେ ଜନସ˚ଖ୍ୟା‌ର ଅହେତୁକ ବୃଦ୍ଧି ପ୍ରାକୃତିକ ସମ୍ବଳ ବିନିଯୋଗ ଉପରେ ଅକଳ୍ପନୀୟ ଚାପ ସୃଷ୍ଟି କରିଛି। ପରିସ˚ସ୍ଥାର ସ˚କୋଚନ ଓ ପରିବର୍ତ୍ତନ ଘଟୁଥିବା କାରଣରୁ କ୍ରାନ୍ତୀୟ ଅଞ୍ଚଳରେ ପ୍ରତି ଘଣ୍ଟାରେ ୨ରୁ ୫ଟି ପ୍ରଜାତି ଲୋପ ପାଇ ଯାଉଛନ୍ତି। ଯଦି ହାରାହାରି ଦେଖାଯାଏ, ବିଶ୍ବରେ ଘଣ୍ଟାକୁ ୩ଟି ପ୍ରଜାତି ଲୋପ ପାଉଛି, ଅର୍ଥାତ୍‌ ଦିନକୁ ପ୍ରାୟ ୭୫ ପ୍ରଜାତି ଏବ˚ ବର୍ଷକୁ ୨୭,୦୦୦ ପ୍ରଜାତି ବିଲୁପ୍ତ ହେଉଛନ୍ତି। ଅବଶ୍ୟ ଏହା ପୂର୍ବରୁ ୫୪୦ ନିୟୁତ ବା ୫୪ କୋଟି ବର୍ଷ ଅବଧିରେ ପୃଥିବୀରେ ୫ ଗୋଟି ମହା-ବିଲୁପ୍ତି ଘଟି ସାରିଛି, ଯେଉଁଥିରେ ଅଧିକା˚ଶ ଜୈବ ବିବିଧତା ଧ୍ବ˚ସ ପାଇଯାଇଛି। ଉଦାହରଣ ସ୍ବରୂପ ସବୁଠାରୁ ଅଧିକ ଭୟଙ୍କର ‘ପ୍ରିମିୟାନ’ ବିଲୁପ୍ତି ସମୟରେ ୯୦ରୁ ୯୬ ପ୍ରତିଶତ ଜୈନ ବିବିଧତା ଧ୍ବ˚ସ ପାଇଯାଇଥିଲା ଏବ˚ ପଞ୍ଚମ ତଥା ‘କ୍ରେଟାସିୟମ’ ବିଲୁପ୍ତି ଅବକାଶରେ ୭୫ ପ୍ରତିଶତ ଜୈବ ବିବିଧତା ନଷ୍ଟ ହୋଇଥିଲା। ଏହି ସମୟରେ ‘ଡାଇନୋସର’ ଲୋପ ପାଇଯାଇଥିଲା। ଏ ସବୁର କାରଣ ପ୍ରାକୃତିକ ଥିଲା। କିନ୍ତୁ ଯେଉଁ ବିଲୁପ୍ତିର ଧାରା ବି˚ଶ ଶତାବ୍ଦୀର ପ୍ରାରମ୍ଭରୁ ଆରମ୍ଭ ହୋଇଛି ଏବ˚ ଯାହାକୁ ‘ହୋଲୋସିନ୍‌’ ମହା ବିଲୁପ୍ତି କୁହାଯାଉଛି, ତାହା ସମ୍ପୂର୍ଣ୍ଣ ରୂପେ ମନୁଷ୍ୟର କାର୍ଯ୍ୟକଳାପ ଆଧାରିତ।

ଆମେରିକୀୟ ପରିବେଶବିତ୍‌ ଚିଫ୍‌ ସିଏଟଲ୍‌ଙ୍କ ଭାଷାରେ- ‘ଏ ପୃଥିବୀ କେବଳ ମଣିଷର ନୁହେଁ, ବର˚ ମଣିଷ ଏ ପୃଥିବୀର ଅ˚ଶ ବିଶେଷ। ମଣିଷ ଏ ପୃଥିବୀରେ ଜୀବନ ଜାଲ ବିଛାଇ ନାହିଁ, ବର˚ ପୃଥିବୀର ଜୀବନ ଜାଲରେ ମଣିଷ ଗୋଟିଏ ସୂତାଖିଅ ମାତ୍ର। ଏ ସୁନ୍ଦର ପୃଥିବୀ ଆମେ ଆମର ପୂର୍ବଜଙ୍କ ଠାରୁ କେବଳ ଉତ୍ତରାଧିକାର ରୀତିରେ ପାଇନାହୁଁ, ବର˚ ଏହାକୁ ଆମେ ଆମର ଉତ୍ତର ପିଢ଼ିଙ୍କ ପାଇଁ ଋଣ ସାମଗ୍ରୀ ଭାବରେ ଗ୍ରହଣ କରିଛୁ। ପ୍ରକୃତି କଦାଚିତ୍‌ ମନୁଷ୍ୟର ଅଧୀନ ନୁହେଁ, ବର˚ ମନୁଷ୍ୟ ହିଁ ପ୍ରକୃତିର ଦାସ- ଏହି ବାସ୍ତବ ସତ୍ୟଟିକୁ ସେ ସମ୍ପୂର୍ଣ୍ଣ ରୂପେ ଭୁଲିଯାଇଛି।’ ସମ୍ପ୍ରତି ମନୁଷ୍ୟର ଅପରିଣାମଦର୍ଶୀ ଏବ˚ ଅସହନୀୟ କାର୍ଯ୍ୟକଳାପ ଫଳରେ ଜୈବ ବିବିଧତାର ଯେଉଁ ହାରରେ ବିଲୁପ୍ତି ଘଟୁଛି, ତାହା ମନୁଷ୍ୟ ଇତିହାସରେ ଅନ୍ୟ କୌଣସି ସମୟରେ ଘଟିଥିବା ବିଲୁପ୍ତିର ହାର ଠାରୁ ୧୦୦୦ ଗୁଣ ଅଧିକ। ବର୍ତ୍ତମାନ ସ୍ଥିତିରେ ପ୍ରାୟ ୧୦ ଲକ୍ଷ ଜୈବ ବିବିଧତାର ସ୍ଥିତି ସ˚କଟାପନ୍ନ ବା ସେମାନେ ବିଲୁପ୍ତି ଦିଗରେ ଅଗ୍ରସର ହେଉଛନ୍ତି। ଏହି ପରିସ୍ଥିତି ଜାରି ରହିଲେ, ଏକବି˚ଶ ଶତାବ୍ଦୀ ଶେଷ ବେଳକୁ ବିଶ୍ବର ୫୦ ପ୍ରତିଶତ ଜୈବ ବିବିଧତା ସମ୍ପୂର୍ଣ୍ଣ ଧ୍ବ˚ସ ପାଇଯିବାର ଆଶଙ୍କା ରହିଛି। କିନ୍ତୁ ମନେ ରଖିବାକୁ ହେବ ଯେ ପ୍ରକୃତି ତଥା ପରିବେଶ ସୁରକ୍ଷିତ ନ ରହିଲେ ଜୀବମଣ୍ତଳ ସହିତ ମନୁଷ୍ୟ ତାର ସତ୍ତା ହରାଇପାରେ।

ପୂର୍ବତନ ପ୍ରଧାନ ମୁଖ୍ୟ ବନସ˚ରକ୍ଷକ
ବନ୍ୟପ୍ରାଣୀ, ଓଡ଼ିଶା
ମୋ:୯୪୩୭୦୦୦୯୦୪

ସମ୍ବନ୍ଧିତ ଖବର