ଏକ ଦେଶର ସାମଗ୍ରିକ ଅର୍ଥନୀତିର ଅନୁଶୀଳନ କରୁଥିବା ଅର୍ଥନୀତିଜ୍ଞ ବା ‘ମାକ୍ରୋଇକନମିଷ୍ଟ୍’ମାନେ ଅର୍ଥନୀତିକୁ ଅସଂଖ୍ୟ ଯନ୍ତ୍ରାଂଶ-ସମ୍ବଳିତ ଏକ ବିଶାଳ ଜଟିଳ ଯନ୍ତ୍ର ରୂପେ ଦେଖିଥା’ନ୍ତି। ଏହି ଯନ୍ତ୍ର ରୂପକଳ୍ପକୁ ଯଦି ହାଲୁକା ଢଙ୍ଗରେ ଆଉ ଟିକିଏ ଆଗେଇ ନିଆଯାଏ, କୁହାଯାଇପାରେ ଯେ ଯନ୍ତ୍ରଟିଏ ସାବଲୀଳ ଭାବରେ କାର୍ଯ୍ୟ କରିବା ପାଇଁ ତୈଳ ଏକ ମସୃଣକାରୀ ଭୂମିକା ନିର୍ବାହ କରୁଥିବା ଭଳି ଅର୍ଥନୀତି-ଯନ୍ତ୍ର ପାଇଁ ତୈଳର ଭୂମିକା ମଧ୍ୟ ଅନୁରୂପ ହୋଇଥାଏ। ଏହି ତୁଳନା ମଧ୍ୟ ବିଶେଷ ଭ୍ରମାତ୍ମକ ନୁହେଁ, କାରଣ ଅଧିକାଂଶ ପରିବହନ ପାଇଁ ତୈଳ ଇନ୍ଧନ ରୂପେ ବ୍ୟବହୃତ ହୋଇଥାଏ। ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଭାରତୀୟ ଅର୍ଥନୀତି ବର୍ତ୍ତମାନ କିନ୍ତୁ ଏପରି ଏକ ସମ୍ଭାବ୍ୟ ପରିସ୍ଥିତିର ସମ୍ମୁଖୀନ ହୋଇଛି, ତୈଳ ଏହି ଅତିକାୟ ଯନ୍ତ୍ରକୁ ଗତିଶୀଳ କରିବା ପରିବର୍ତ୍ତେ ଏକ ଅଠା ଭଳି କାର୍ଯ୍ୟ କରି ଏହାର ଗତିରୋଧ କରିପାରେ।
କୋଭିଡ୍ ଆକ୍ରାନ୍ତ ମାନ୍ଦା ଅବସ୍ଥାରୁ ମୁୁକୁଳି ପୁଣି ଗୁଳାରେ ପଡ଼ି ଗଡ଼ିବାକୁ ଆରମ୍ଭ କରିଥିବା ଏହି ଭାରତୀୟ ଅର୍ଥନୈତିକ ଯନ୍ତ୍ର ଚାଲିବା ପାଇଁ ଏବେ ଯେତିକି ତୈଳ ଆବଶ୍ୟକ କରିବ ତାହାର ପରିମାଣ ବାର୍ଷିକ ପ୍ରାୟ ୧୪୦-୧୫୦ କୋଟି ବ୍ୟାରେଲ୍ ହେବ ବୋଲି ଅନୁମାନ କରାଯାଉଛି। ଏହା ଲେଖାଯିବା ସମୟରେ ଆନ୍ତର୍ଜାତିକ ତୈଳ ବଜାରରେ ଭାରତ ଆମଦାନି କରୁଥିବା ‘ବ୍ରେଣ୍ଟ୍’ ଅଶୋଧିତ ତୈଳ (କ୍ରୁଡ୍)ର ଦର ବ୍ୟାରେଲ୍ ପିଛା ୧୨୩ରୁ ୧୪୦ ଡଲାର୍ ମଧ୍ୟରେ ଉଠ୍-ପଡ୍ ହୋଇ ଚାଲିଥିଲା। ଯଦି ଏହି ଦରକୁ ବ୍ୟାରେଲ୍ ପିଛା ୧୨୦ ଡଲାର୍ ବୋଲି ଧରିନିଆଯାଏ, ତାହା ଗତ ବର୍ଷ ଶେଷ ଚଉଠରେ ପ୍ରଚଳିତ ଥିବା ହାରାହାରି ଦର ଠାରୁ ୪୦ ଡଲାର୍ ଅଧିକ ହେବ। ଏଥିଯୋଗୁଁ ଭାରତର ତୈଳ ଆମଦାନି ଖର୍ଚ୍ଚରେ ବାର୍ଷିକ ୬୦ ବିଲିଅନ୍ ଡଲାର୍ ବୃଦ୍ଧି ଘଟିବ। ଅଶୋଧିତ ତୈଳ ବାଦ୍ ଭାରତ ମଧ୍ୟ ଆମଦାନି କରୁଥିବା କୋଇଲା, ଗ୍ୟାସ୍, ସାର, ଖାଇବା ଦେଲ ଆଦିର ଦର ବୃଦ୍ଧି ଯୋଗୁଁ ଭାରତକୁ ଆଉ ୩୫ ବିଲିଅନ୍ ଡଲାର୍ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ।
ଆମଦାନି ପାଇଁ ଆମକୁ ବୈଦେଶିକ ମୁଦ୍ରା (ଡଲାର୍ ଭଳି) ଖର୍ଚ୍ଚ କରିବାକୁ ହୁଏ। ରପ୍ତାନି ମାଧ୍ୟମରେ ଆମେ ବୈଦେଶିକ ମୁଦ୍ରା ଅର୍ଜନ କରିଥାଉ। ଯୁଦ୍ଧ ପ୍ରଭାବରେ ସାରା ପୃଥିବୀର ଅର୍ଥନୈତିକ ଅଭିବୃଦ୍ଧିରେ ମନ୍ଥରତା ଦେଖାଦେବ, ଯେଉଁଥିଯୋଗୁଁ ବିଶ୍ବବ୍ୟାପୀ ରପ୍ତାନି ପ୍ରତି ଚାହିଦା ସଂକୁଚିତ ହେବାରେ ଲାଗିବ। ଭାରତୀୟ ରପ୍ତାନି ଏଥିରୁ ବର୍ତ୍ତି ପାରିବ ନାହିଁ। ଏହି ପ୍ରଭାବ ସବୁଠାରୁ ଅଧିକ ପରିଲକ୍ଷିତ ହେବ ଯୁଦ୍ଧ କ୍ଷେତ୍ରର ନିକଟବର୍ତ୍ତୀ ଅଞ୍ଚଳ ରୁଷିଆ ଓ ୟୁରୋପ୍ମୁହାଁ ଆମର ରପ୍ତାନି ବାଣିଜ୍ୟରେ। ବିସ୍ଫାରିତ ଆମଦାନି ଖର୍ଚ୍ଚ ଓ ସଂକୁଚିତ ରପ୍ତାନି ଅର୍ଜନ ଯୋଗୁଁ ଦେଶର ଚଳନ୍ତି ବୈଦେଶିକ ଆୟବ୍ୟୟ ହିସାବ ଖାତାରେ ନିଅଣ୍ଟ ଆକାର ବୃଦ୍ଧି ପାଇବାର ଦୃଢ଼ ସମ୍ଭାବନା ରହିଛି। ଏକ ଆକଳନ ଅନୁସାରେ ଯଦି ତୈଳ ଦର ବ୍ୟାରେଲ୍ ପିଛା ୧୦୦ ଡଲାର୍ ପାଖାପାଖି ରହେ, ତେବେ ଆମର ‘ଚଳନ୍ତି ହିସାବ ନିଅଣ୍ଟ’ (‘କରେଣ୍ଟ୍ ଆକାଉଣ୍ଟ୍ ଡେଫିସିଟ୍’- ‘ସିଏଡି’) ଅନୁପାତ ୨୦୨୩ ବିତ୍ତ ବର୍ଷରେ ଆମ ଦେଶର ‘ମୋଟ ବାର୍ଷିକ ଉତ୍ପାଦ’ (‘ଜିଡିପି’)ର ୨.୮-୩.୦ ଶତାଂଶ ଛୁଇଁବ। ଚଳିତ ବିତ୍ତ ବର୍ଷରେ ଆମର ଏହି ନିଅଣ୍ଟ ଅନୁପାତ ଯାହା ହେବ ବୋଲି ଅନୁମାନ କରାଯାଉଛି, ଉପରୋକ୍ତ ଅନୁପାତ ତାହା ଠାରୁ ୧.୧୦-୧.୩୦ ଶତାଂଶ ଅଧିକ ହେବାକୁ ଯାଉଛି। ଏହା ଜଣାଶୁଣା ଯେ ‘ସିଏଡି’ରେ ବୃଦ୍ଧି ସମ୍ପୃକ୍ତ ଦେଶର ମୁଦ୍ରାର ବିନିମୟ ମୂଲ୍ୟରେ ସ୍ଖଳନ ଘଟାଇଥାଏ- ଅର୍ଥାତ୍ ଉଦାହରଣ ସ୍ବରୂପ ଡଲାର୍ ତୁଳନାରେ ଭାରତୀୟ ଟଙ୍କା ଏଥିଯୋଗୁଁ ଦୁର୍ବଳ ହେବ। ସାଧାରଣ ସମୟରେ ଏପରି ପରିସ୍ଥିତି ଆମ ରପ୍ତାନି ପ୍ରତି ସହାୟକ ହୁଅନ୍ତା। ବିଦେଶ ବଜାରରେ ଡଲାର୍ ଆକାରରେ ଭାରତୀୟ ରପ୍ତାନି ଦ୍ରବ୍ୟ ଶସ୍ତା ହୋଇ ଅଧିକ ପ୍ରତିଯୋଗିତାକ୍ଷମ ହୁଅନ୍ତା। ବର୍ତ୍ତମାନ ସମୟ କିନ୍ତୁ ସାଧାରଣ ନୁହେଁ। ବର୍ତ୍ତମାନ ଭାରତର ପ୍ରତିଦ୍ବନ୍ଦ୍ବୀ ଦେଶମାନଙ୍କର ମୁଦ୍ରାମାନଙ୍କର ବିନିମୟ ମୂଲ୍ୟରେ ମଧ୍ୟ ସ୍ଖଳନ ଘଟିବାରେ ଲାଗିଛି। ଏଣୁ ଏଥିଯୋଗୁଁ ଭାରତୀୟ ରପ୍ତାନିର ପ୍ରତିଯୋଗିତା କ୍ଷମତାରେ କୌଣସି ଉନ୍ନତି ଘଟିବା ସମ୍ଭାବନା କ୍ଷୀଣ। ରୁଷିଆ ବିରୋଧରେ ଲାଗୁ ହୋଇଥିବା ଅର୍ଥନୈତିକ ବାସନ୍ଦ ମଧ୍ୟ ସେ ଦେଶ ସହିତ ଭାରତର ରପ୍ତାନି ବାଣିଜ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବା ନିଶ୍ଚିତ।
ଯଦି ବର୍ତ୍ତମାନର ଧାରା ଅନୁସରଣ କରି ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦର ୧୨୦ ଡଲାର୍ ବା ତତୋଧିକ ହୁଏ, ତେବେ ଆମର ମୁଦ୍ରାସ୍ଫୀତି ପରିସ୍ଥିତି ଉପରେ ତାହାର ପ୍ରତିକୂଳ ପ୍ରଭାବ ଅନିବାର୍ଯ୍ୟ ହୋଇ ପଡ଼ିବ। ଏହାର ଆଘାତରେ ବଜାରରେ ଅଧିକାଂଶ ଦ୍ରବ୍ୟ ଓ ସେବା ମହଙ୍ଗା ହୋଇଯିବ। ବଜାରରେ ଏଥିଯୋଗୁଁ ଚାହିଦା ଆହୁରି ଦୁର୍ବଳ ହେବାରେ ଲାଗିବ। ଏଭଳି ପରିସ୍ଥିତିରେ ସରକାରଙ୍କୁ ତେଣୁ ଅର୍ଥନୀତିରେ ଇନ୍ଧନଜନିତ ଖର୍ଚ୍ଚକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ହେବ। ଯଦି ସରକାର ତାହା ନ କରନ୍ତି ଏବଂ ଏଥିଯୋଗୁଁ ମୁଦ୍ରାସ୍ଫୀତି ହାର ଉପରମୁହାଁ ହୋଇ ୬ ଶତାଂଶ ସୀମା ଅତିକ୍ରମ କରେ ତେବେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (‘ଆର୍ବିଆଇ’) ଏହି ଚିତ୍ରରେ ପ୍ରବେଶ କରିବାକୁ ବାଧ୍ୟ ହେବ। କାରଣ, ନିର୍ଦ୍ଧାରିତ ନିୟମ ଅନୁସାରେ ‘ଆର୍ବିଅାଇ’ ମୁଦ୍ରାସ୍ଫୀତି ହାରକୁ ୨-୬ ଶତାଂଶ ବଳୟ ମଧ୍ୟରେ ସୀମିତ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବାଧ୍ୟ।
ଏହି ପଦକ୍ଷେପ ମଧ୍ୟରେ ମୁଖ୍ୟ ହେଉଛି- ସୁଧ ହାରରେ ବୃଦ୍ଧି ଘଟାଇ ଋଣକୁ ମହଙ୍ଗା କରିବା, ଯାହା ନିବେଶ ପାଇଁ ଆବଶ୍ୟକ ସମ୍ବଳକୁ ମହଙ୍ଗା କରିଥାଏ। ଆସନ୍ନ ମୁଦ୍ରାସ୍ଫୀତିର ପଦ ଶବ୍ଦ କେବେ ଠାରୁ ଶୁଭିବାକୁ ଆରମ୍ଭ କରିଥିଲେ ହେଁ ଏବଂ ସୁଧ ହାର ବୃଦ୍ଧି କରି ପ୍ରତିଷେଧମୂଳକ ପଦକ୍ଷେପ ନେବା ପାଇଁ ରିଜର୍ଭ ବ୍ୟାଙ୍କ୍ ଉପରେ ଚାପ ପଡ଼ି ଆସୁଥିଲେ ମଧ୍ୟ ରିଜର୍ଭ ବ୍ୟାଙ୍କ୍ ଏ ପର୍ଯ୍ୟନ୍ତ ଏଥିରୁ ନିବୃତ୍ତ ରହି ଆସିଛି। କାରଣ ଉଚ୍ଚା ସୁଧ ହାର ଉପର ସୂଚିତ କାରଣ ଯୋଗୁଁ ଦେଶରେ ଅର୍ଥନୈତିକ ଅଭିବୃଦ୍ଧିର କଣ୍ଠରୋଧ କରିବ। କିନ୍ତୁ ଯୁଦ୍ଧ-ପ୍ରସୂତ ଉଚ୍ଚା ତୈଳ ଦର ଯୋଗୁଁ ପରିସ୍ଥିତି ଯଦି ଆଶଙ୍କା କରାଯାଉଥିବା ଭଳି ଉପରୋକ୍ତ ମୋଡ଼ ନିଏ, ତେବେ ସୁଧ ହାର ଉପରମୁହାଁ ହେବା ନିଶ୍ଚିତ।
ଦେଶରେ ଶିଳ୍ପ ବ୍ୟବସାୟ ଏହାଦ୍ବାରା କିପରି ବାଧାପ୍ରାପ୍ତ ହେବ, ତାହାର ଗୋଟିଏ ନମୁନା ଏଇଭଳି ହୋଇପାରେ। ସୁଧ ହାରରେ ବୃଦ୍ଧି ଘଟିଲେ ଗୃହ ନିର୍ମାଣ ଋଣ ମହଙ୍ଗା ହେବ; ପ୍ରତିକ୍ରିୟାରେ ଏହି ଋଣ ପ୍ରତି ଚାହିଦା ହ୍ରାସ ପାଇବ; ଫଳରେ ଦେଶରେ ଗୃହ ନିର୍ମାଣ କାର୍ଯ୍ୟକଳାପରେ ସଂକୋଚନ ଘଟିବ; ଫଳରେ ସିମେଣ୍ଟ୍, ଲୁହା, ନିର୍ମାଣ ଶ୍ରମ ଆଦି ପ୍ରତି ଚାହିଦାରେ ସଂକୋଚନ ଘଟିବ; ଏ ସମସ୍ତ ଶିଳ୍ପରେ ସଂକୋଚନ ଘଟିବ; ନିଯୁକ୍ତି ହ୍ରାସ ପାଇବ...। ବିଶେଷ କରି କ୍ଷୁଦ୍ର ଓ ମଧ୍ୟମ ଆକାରର ଶିଳ୍ପ ସଂସ୍ଥାମାନଙ୍କ ପକ୍ଷରେ ଏହି ଆଘାତ ସମ୍ଭାଳିବା ଅତ୍ୟନ୍ତ କଷ୍ଟକର ହେବ। ଏଭଳି ସଂକଟ ଟାଳିବାର ଏକ ଉପାୟ ହେଉଛି, ତୈଳ ଆମଦାନି ଦରରେ ବୃଦ୍ଧି ଘଟିଲେ ମଧ୍ୟ ସରକାର କୌଣସି ଏକ ପଦକ୍ଷେପ ନେଇ ଏ ବୃଦ୍ଧିକୁ ସମ୍ପୂର୍ଣ୍ଣ ବା ଆଂଶିକ ଭାବରେ ନିଜ ପାଖରେ ଅଟକାଇ ଦେଇ ଉଭୟ ଦେଶର ଉତ୍ପାଦନକାରୀ ଓ ଖାଉଟିମାନଙ୍କୁ ଏଥିରୁ ସୁରକ୍ଷିତ ରଖିବା।
ଏଭଳି ଏକ ସମ୍ଭାବ୍ୟ ଉପାୟ ଏଠାରେ ପ୍ରଣିଧାନଯୋଗ୍ୟ। ସରକାର େପଟ୍ରୋଲ୍ ଓ ଡିଜେଲ୍ ଉପରେ ଆଦାୟ କରୁଥିବା ବିିଭିନ୍ନ ଶୁଳ୍କ ଏହି ପଦାର୍ଥମାନଙ୍କର ବିକ୍ରୟ ମୂଲ୍ୟର ଏକ ବିଶେଷ ଅଂଶ ହୋଇଥାଏ। ବର୍ତ୍ତମାନ ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଲିଟର ପିଛା ଯଥାକ୍ରମେ ଟ. ୨୭.୯୦ ପ ଓ ଟ. ୨୧.୮୦ ପ ମାହାସୁଲ ଆଦାୟ କରୁଛନ୍ତି, ଯାହା ତୈଳର ବ୍ୟାରେଲ୍ ପିଛା ଦର ୮୦ ଡଲାର୍ ସହିତ ସଂଯୁକ୍ତ। ଭବିଷ୍ୟତ୍ରେ ତୈଳ ଦରରେ ଅତିରିକ୍ତ ବୃଦ୍ଧି ଘଟିବା ପରେ ମଧ୍ୟ ସରକାର ଏହି ଶୁଳ୍କକୁ ଏହି ସ୍ତରରେ ଅପରିବର୍ତ୍ତିତ ରଖନ୍ତୁ। ଅନ୍ୟାନ୍ୟ ସୂତ୍ରରୁ ସରକାର ସଂଗ୍ରହ କରୁଥିବା ଆୟ ଯେଉଁ ଭଳି ଆଶାଜନକ ହେବା ଦେଖାଯାଉଛି, ସରକାରଙ୍କ ପକ୍ଷରେ ଅର୍ଥନୀତିକୁ ଯୁଦ୍ଧଜନିତ ତୈଳ-ଧକ୍କାରୁ ସୁରକ୍ଷିତ ରଖିବା ପାଇଁ ଏତିକି ତ୍ୟାଗ କରିବା କଷ୍ଟକର ହେବା ଉଚିତ ନୁହେଁ।