ଜାତିସଂଘରେ ପାକିସ୍ତାନୀ ଆତଙ୍କବାଦୀଙ୍କ ସପକ୍ଷରେ ପୁଣି ଛିଡ଼ା ହେଲା ଚୀନ

ନ୍ୟୁୟର୍କ : ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ଉପମୁଖ୍ୟ ଅବଦୁଲ ରଫ୍ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ମାନ୍ୟତା ପ୍ରସ୍ତାବ ଜାତିସଂଘରେ ଅଟକି ଯାଇଛି । ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ମାନ୍ୟତା ପାଇଁ ଭାରତ ଓ ଆମେରିକା ଦୁଇ ସପ୍ତାହ ତଳେ ନିରାପତ୍ତା ପରିଷଦରେ ଏକ ପ୍ରସ୍ତାବ ଆଗତ କରିଥିଲେ । ଗୁରୁବାରଦିନ ନିରାପତ୍ତା ପରିଷଦରେ ଏହି ପ୍ରସ୍ତାବ ସଂପର୍କରେ ଆଲୋଚନା ବେଳେ ଚୀନର ଉଦ୍ୟମ ଯୋଗୁଁ ଏହା ସ୍ଥଗିତ ହୋଇଯାଇଛି ।

ଭାରତ ଓ ଆମେରିକାର ଏହି ପ୍ରସ୍ତାବ ଗୃହୀତ ହେବା ପାଇଁ ନିରାପତ୍ତା ପରିଷଦ କଟକଣା କମିଟିର ୧୫ ସଦସ୍ୟ ଦେଶଙ୍କ ମଂଜୁରୀ ଆବଶ୍ୟକ । କିନ୍ତୁ ଚୀନର ଆପତ୍ତି ଯୋଗୁଁ ଏହି ପ୍ରସ୍ତାବ ଅଟକି ଯାଇଛି ।

ଏହି ପ୍ରସ୍ତାବ ଗୃହୀତ ହୋଇଥିଲେ ରଫ୍ ଆଝାରର ସଂପତ୍ତି ଅଚଳ ହେବା ସହ ଅନ୍ୟ ଦେଶକୁ ଯାତ୍ରା ଉପରେ କଟକଣା ଲାଗିଥାନ୍ତା ।

ରଫ୍ ଆଝାର ହେଉଛି କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରର ସାନ ଭାଇ । ୧୯୯୯ରେ କାଠମାଣ୍ଡୁରୁ ଅପହରଣ ହୋଇଥିବା ଏୟାର ଇଣ୍ଡିଆ ବିମାନ ଅପହରଣ ପଛରେ ତାର ହାତ ଥିଲା । ଏହି ଅପରହରଣ ଓ ଯାତ୍ରୀଙ୍କ ମୁଣ୍ଡ ଜାମିନ ଯୋଗୁଁ  ଭାରତୀୟ ଜେଲରେ ବନ୍ଦୀ ଥିବା ମାସୁଦ ଆଝାରକୁ ମୁକ୍ତ କରାଯାଇଥିଲା । ମୁକ୍ତ ହେବା ପରେ ମାସୁଦ ଆଝାର ଓ ରଫ ଆଝାର ମିଶି ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ଗଠନ କରିଥିଲେ । ୨୦୦୧ରେ ହୋଇଥିବା ଭାରତୀୟ ସଂସଦ ଭବନ ଆକ୍ରମଣ ପଛରେ ଏହି ସଂଗଠନର ହାତ ଥିଲା ।

 

ସମ୍ବନ୍ଧିତ ଖବର