ପ୍ରବଳ ହିଂସା ମଧ୍ୟରେ ସାବରିମାଲାର ଦ୍ୱାର ଖୋଲିଲା, ୫୦ରୁ ଅଧିକ ବିକ୍ଷୋଭକାରୀ ଗିରଫ

ତିରୁଅନନ୍ତପୁରମ : କେରଳର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ସାବରିମାଲା ଆଜି ଖୋଲିଛି । କିନ୍ତୁ ମହିଳାମାନଙ୍କ ପ୍ରବେଶକୁ ନେଇ ବିବାଦ ବେଳକୁ ବେଳ ଅଣାୟତ୍ତ ହେବାରେ ଲାଗିଛି । ସୁପ୍ରିମକୋର୍ଟର ଏହି ରାୟକୁ ବିରୋଧ କରୁଥିବା ହଜାର ହଜାର ଲୋକ ରାସ୍ତାକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୁଲିସ ଏହି ବିକ୍ଷୋଭକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିବାବେଳେ ଭୀଡ ହିଂସାତ୍ମକ ହୋଇଯାଇଛି ଓ ପାଖରେ ଥିବା ଯାନବାହାନ ଭାଙ୍ଗିବା ସହ କେତେକ ମହିଳା ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ରିପୋର୍ଟ ମିଳିଛି । ଏହି ହିଂସାକାଣ୍ଡ ଅଭିଯୋଗରେ ପୁଲିସ ଏପର୍ଯ୍ୟନ୍ତ ୫୦ରୁ ଅଧିକ ଲୋକଙ୍କୁ ଗିରଫ କରିସାରିଲାଣି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶହ ଶହ ଆଦିବାସୀ ଲୋକ ଏକାଠି ହୋଇ ଏହି ବିକ୍ଷୋଭରେ ଯୋଗ ଦେଇଛନ୍ତି । ଏହି ବିକ୍ଷୋଭ କରିବାକୁ ସେମାନେ ଭଗବାନ ଅୟାପ୍ପାଙ୍କଠାରୁ ଶକ୍ତି ପାଉଛନ୍ତି ବୋଲି ଦାବି କରିଛନ୍ତି । ଆଜି ଅପରାହ୍ନ ୫ଟା ରେ ପ୍ରଥମ ଥର ପାଇଁ ଏହି ମନ୍ଦିର ସବୁ ବୟସର ମହିଳାଙ୍କ ପାଇଁ ଖୋଲିବାକୁ ଯାଉଛି । ପୂର୍ବରୁ ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ପାଇଁ ଏହି ମନ୍ଦିରକୁ ଯିବା ନିଷିଦ୍ଧ ଥିଲା, କିନ୍ତୁ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସବୁ ବୟସର ମହିଳାଙ୍କ ପ୍ରବେଶ ଅନୁମତି ଦେଇଥିଲେ । କିନ୍ତୁ ଏହାକୁ ସମଗ୍ର ଦକ୍ଷିଣ ଭାରତ ବିଶେଷକରି ଆୟାପ୍ପା ଭକ୍ତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।

ସମ୍ବନ୍ଧିତ ଖବର