ଲଦାଖରେ ବରଫ ଅତଡ଼ା ଖସି ୪ ମୃତ, ୬ ନିଖୋଜ; ଉଦ୍ଧାର କାର୍ଯ୍ୟ ଜାରି

ଳଦାଖ/ କଶ୍ମୀର: ଜମ୍ମୁ- କଶ୍ମୀରର ଲଦାଖ ନିକଟବର୍ତ୍ତୀ ଖାର୍‌ଡ଼ୁଙ୍ଗ୍‌ ଲା ପାସ୍‌ ନିକଟରେ ଆଜି (ଶୁକ୍ରବାର) ପୂର୍ବାହ୍ଣରେ ଏକ ତୁଷାରାବୃତ୍ତ ଗିରିଶୃଙ୍ଗ ଉପରୁ ଏକ ବଡ଼ ବରଫ ଅତଡ଼ା ତଳକୁ ଖସି ପଡ଼ିବା ଫଳରେ ଏହା ତଳେ ୧୦ ଜଣ ବ୍ୟକ୍ତି ଚାପି ହୋଇ ରହି ଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣ ମୁତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଏବେ ବି ଜୀବନ ମୁତ୍ୟୁ ସହ ସଂଗ୍ରାମ ଚଳାଇଛନ୍ତି। ଘଟଣା ସଂପର୍କରେ ଖବର ମିଳିବା ପରେ ଉଦ୍ଧାରକାରୀ ଦଳ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିବା ସହ ବରଫ ଅତଡ଼ା ତଳେ ଫସି ରହିଥିବା ବ୍ୟକ୍ତି ବିଶେଷଙ୍କୁ ଉଦ୍ଧାର କରିବା ପାଇଁ ଜୋରସୋରରେ ପ୍ରୟାସ ଆରମ୍ଭ କରି ଦେଇଛନ୍ତି। ୧୦ ଜଣ ବ୍ୟକ୍ତି ବିଶେଷଙ୍କ ସହ କିଛି ଯାତ୍ରୀବାହୀ ଯାନ ମଧ୍ୟ ଏହି ବରଫ ଅତଡ଼ା ତଳେ ଫସି ରହିଥିବା କହିଛନ୍ତି ଉଦ୍ଧାରକାରୀ ଦଳ। ଉଦ୍ଧାରକାରୀ ଦଳଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି।

ସଂପ୍ରତି ସମଗ୍ର ଜମ୍ମୁ- କଶ୍ମୀର ଉପତ୍ୟକାରେ ପ୍ରବଳ ଶୀତଲହରି ଜାରି ରହିବା ସହ ତୁଷାରପାତ ମଧ୍ୟ ଅବ୍ୟାହତ ରହିଛି। ଏହାକୁ ଦୃଷ୍ଟିରେ ରଖି ଜମ୍ମୁ- କଶ୍ମୀରର ଅନନ୍ତନାଗ, ବଡ଼ଗାମ୍‌, ବାରମୁଲ୍ଲା, ବାନ୍ଦିପୋରା, ଗନ୍ଦେରବାଲ, କାରଗିଲ୍‌, କୁଲଗାମ୍‌, କୁପ୍‌ଓ୍ଵାରା ଓ ଲେହେ ଅଞ୍ଚଳରେ ବରଫ ଅତଡ଼ା ଧସିବାର ସମ୍ଭାବନା ରହିଥିବା ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

ସମ୍ବନ୍ଧିତ ଖବର