ସମସ୍ତଙ୍କ ମିଳିତ ଉଦ୍ୟମ ଯୋଗୁଁ କରୋନା ବିରୋଧୀ ଲଢେଇରେ ଅନେକ ଜୀବନ ରକ୍ଷା କରାଯାଇପାରିଛି : ରାଷ୍ଟ୍ରପତି

ନୂଆଦିଲ୍ଲୀ : ଭାରତର କରୋନା ବିରୋଧୀ ଲଢେଇରେ ଆମେ ଯେତେ ଜୀବନ ହରାଇଛୁ ତାହାଠାରୁ ବହୁ ଅଧିକ ଜୀବନ ରକ୍ଷା କରିବାରେ ସଫଳ ହୋଇଛୁ । ଦ୍ୱିତୀୟ ଲହରକୁ ପ୍ରତିହତ କରିବାରେ ଆମର ମିଳିତ ଉଦ୍ୟମ ଓ ଦୃଢ ବିଚାର ବିଶେଷ ସହାୟକ ହୋଇଛି । ପୁଣି ଥରେ  ଆମର କରୋନା ଯୋଦ୍ଧା, ଚିକିତ୍ସକ, ସେବିକା, ସ୍ୱାସ୍ଥ୍ୟକର୍ମୀ, ପ୍ରଶାସକ ଓ ଅନ୍ୟମାନେ ଅପୂର୍ବ ନିଷ୍ଠା ଓ ସାହସ ପ୍ରଦର୍ଶନ କରି ନିଜ ଜୀବନକୁ ବିପନ୍ନ କରିବା ସହିତ ଦ୍ୱିତୀୟ ଲହରର ପ୍ରଭାବକୁ ନିୟନ୍ତ୍ରିତ କରିବାରେ ସଫଳ ହୋଇଛନ୍ତି  ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ।

 

ସ୍ବାଧୀନତା ଦିବସ ପୂର୍ବ ସଂଧ୍ୟାରେ ଦେଶବାସୀଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି ଯେ ଗତବର୍ଷ ଭଳି ଏବର୍ଷ ମଧ୍ୟ ମହାମାରୀ ଯୋଗୁଁ ସ୍ୱାଧୀନତା ଦିବସ ପାଳନର ପରିସର ସୀମିତ ହୋଇଛି । ତଥାପି ଆମର ହୃଦୟ ଏହି ପବିତ୍ର ଦିବସ ପାଇଁ ସଦାସର୍ବଦା ଉତ୍ସାହରେ ଭରି ରହିଛି । ଏବେ ଦେଶରେ ମହାମାରୀର ପ୍ରକୋପ ହ୍ରାସ ପାଇଛି; ହେଲେ କରୋନା ଭୂତାଣୁ ଏଯାଏଁ ଯାଇନାହିଁ । ଏହାର ମହାମାରୀ ପ୍ରଭାବରୁ ଆମେ ଏଯାଏଁ ମୁକ୍ତି ପାଇନାହୁଁ । ଗତବର୍ଷ ସମସ୍ତଙ୍କ ସହଯୋଗ ଫଳରେ ଆମେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାକୁ ସଫଳ ହୋଇଥିଲୁ । ଆମ ବୈଜ୍ଞାନିକମାନେ ଖୁବ୍‌ କମ୍‌ ସମୟରେ ଟିକା ତିଆରି କରିବାରେ ସଫଳ ହୋଇଥିଲେ । ତେଣୁ ଚଳିତବର୍ଷର ପ୍ରାରମ୍ଭରେ ଆମେ ବିଶେଷ ଆଶାବାଦୀ ହୋଇ ବିଶ୍ୱର ସର୍ବବୃହତ୍‌ ଟିକାକରଣ ଅଭିଯାନ ଆରମ୍ଭ କରିଥିଲୁ । ତଥାପି ନୂଆ ପ୍ରକାରର ଭୂତାଣୁଙ୍କ ଆବିର୍ଭାବ ଏବଂ ଅନ୍ୟ କେତେକ ଅନିଚ୍ଛାକୃତ କାରଣ ଯୋଗୁଁ ଭାରତ ଏକ ଭୟାନକ ଦ୍ୱିତୀୟ ସଂକ୍ରମଣର ସମ୍ମୁଖୀନ ହୋଇଥିଲା ।

 

ନିକଟରେ ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଆମର କ୍ରୀଡାବିତ୍‌ମାନେ ଉତ୍ତମ କ୍ରୀଡ଼ା ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଛନ୍ତି । ଏହି କ୍ରୀଡାର ୧୨୧ ବର୍ଷର ଇତିହାସରେ ଭାରତ ଏଥର ସର୍ବାଧିକ ପଦକ ଅର୍ଜନ କରିଛି । ଆମ ଝିଅମାନେ କ୍ରୀଡାଙ୍ଗନରେ ଅନେକ ବାଧା ଓ ପ୍ରତିକୂଳ ସ୍ଥିତିକୁ ଅତିକ୍ରମ କରି ବିଶ୍ୱସ୍ତରୀୟ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି । ଖେଳକୁଦ ସହିତ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଅଂଶଗ୍ରହଣ କରି ସଫଳତାର ନୂଆ ନୂଆ କାହାଣୀ ରଚନା କରୁଛନ୍ତି । ଉଚ୍ଚଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ପ୍ରତିରକ୍ଷାବାହିନୀ, ପରୀକ୍ଷାଗାରଠାରୁ ଖେଳପଡିଆ- ଆମ ଝିଅମାନେ ସବୁ କ୍ଷେତ୍ରରେ ତାଙ୍କର ଉପସ୍ଥିତି ଜାହିର କରି ସଫଳ ହେଉଛନ୍ତି । ଆମ କନ୍ୟାମାନଙ୍କର ଏହି ସଫଳତାରେ ମୁଁ ଭବିଷ୍ୟତର ବିକଶିତ ଭାରତର ଝଲକ ଦେଖିପାରୁଛି । ସବୁ ପିତାମାତା ଏଭଳି ସଫଳ ଝିଅମାନଙ୍କର ପରିବାରଠାରୁ ଶିକ୍ଷାଲାଭ କରି ସେମାନଙ୍କ କନ୍ୟାମାନଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ସେମାନଙ୍କର ଅଭିବୃଦ୍ଧିର ମାର୍ଗ ନିର୍ଦ୍ଧାରଣ କରିବାକୁ ମୁଁ ଆହ୍ୱାନ ଜଣାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି ।

ସମ୍ବନ୍ଧିତ ଖବର