ଉନ୍ନାଓ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲା, ୨୦ରେ ଅଭିଯୁକ୍ତ କୁଲଦୀପ ସିଂହ ସେଙ୍ଗରଙ୍କ ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବହୁଚର୍ଚିତ ଉନ୍ନାଓ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଡିସେମ୍ବର ୨୦ ତାରିଖରେ ଅଭିଯୁକ୍ତ କୁଲଦୀପ ସିଂହ ସେଙ୍ଗରଙ୍କ ଦଣ୍ଡ ଶୁଣାଣି ହେବ ବୋଲି ଜଣାଯାଇଛି। ଗତକାଲି ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗର ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆଇପିସିର ଧାରା ୩୭୬ ଏବଂ ପୋକ୍ସୋ ଆଇନର ଧାରା ୫ ଏବଂ ୬ ଅଧୀନରେ ଦିଲ୍ଲୀର ତିସ୍ ହଜାରୀ କୋର୍ଟ ସେଙ୍ଗର୍ଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
ସୂଚନାଯୋଗ୍ୟ,ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ସେଙ୍ଗରଙ୍କୁ ଗିରଫ କରିଥିଲା ଏବଂ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା। ପ୍ରଥମେ ଲକ୍ଷ୍ନୌ କୋର୍ଟରେ ଉକ୍ତ ମାମଲାରେ ଶୁଣାଣି ଚାଲିଥିଲେ ମଧ୍ୟ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଲକ୍ଷ୍ନୌ କୋର୍ଟରୁ ଦିଲ୍ଲୀ କୋର୍ଟକୁ ସମସ୍ତ ମାମଲା ସ୍ଥାନାନ୍ତର କରାଯାଇଥିଲା। ଉକ୍ତ ଦୁଷ୍କର୍ମ ମାମଲା ବାଦ୍ ଅନ୍ୟ ୪ଟି ମାମଲା ତଥା ପୀଡ଼ିତାଙ୍କ ବାପାଙ୍କୁ ବେଆଇନ ଅସ୍ତ୍ର କାରବାର ମାମଲାରେ ଫସାଇବା ଏବଂ ଜେଲ୍ରେ ତାଙ୍କର ମୃତ୍ୟୁ ମାମଲା, ଗତ ଜୁଲାଇରେ ପୀଡ଼ିତାଙ୍କ କାର୍ ଦୁର୍ଘଟଣାରେ ସେଙ୍ଗରଙ୍କ ଷଡ଼ଯନ୍ତ୍ର ଏବଂ ଅନ୍ୟ ୩ ଜଣଙ୍କ ଦ୍ବାରା ପୀଡ଼ିତାଙ୍କୁ ଦୁଷ୍କର୍ମ ମାମଲାରେ ବିଚାର ଜାରି ରହିଛି। ଉକ୍ତ ମାମଲାରେ ପୀଡ଼ିତାଙ୍କ ମା’ ଏବଂ ତାଙ୍କ ମାମୁଁ ମୁଖ୍ୟ ସାକ୍ଷୀ ଥିଲେ।

kuldeep singh sengar
Image Source-Live Hindustan

ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ଜୁଲାଇରେ ଉତ୍ତରପ୍ରଦେଶର ରାଏବରେଲିରେ ପୀଡ଼ିତାଙ୍କ କାର୍କୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଥିଲା। ଏହା ଫଳରେ ପୀଡ଼ିତାଙ୍କ ଦୁଇ ମାଉସୀଙ୍କର ମୃତ୍ୟୁ ହୋଇଯାଇଥିଲା ଏବଂ ପୀଡ଼ିତା ଓ ତାଙ୍କ ଆଇନଜୀବୀ ଗୁରୁତର ଥିଲେ।

ସମ୍ବନ୍ଧିତ ଖବର