ବେକାରୀ, ଋଣଗ୍ରସ୍ତ  ହୋଇ ୨୦୧୮-୨୦୨୦ ମଧ୍ୟରେ ୨୫ ହଜାରରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି

ନୂଆଦିଲ୍ଲୀ : ବେକାରୀ, ଋଣଗ୍ରସ୍ତ  ଓ ଦେବାଳିଆ ହୋଇ ଦେଶରେ ପ୍ରତିବର୍ଷ ହଜାର ହଜାର ଲୋକ ଆତ୍ମହତ୍ୟା କରୁଛନ୍ତି । ଏପରି ଏକ ଚିନ୍ତାଜନକ ତଥ୍ୟ ମିଳିଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ରିପୋର୍ଟରୁ ।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟକୁ ଉଦ୍ଧାର କରି ସରକାର ଆଜି ରାଜ୍ୟସଭାରେ କହିଛନ୍ତି ଯେ, ବେକାରୀ, ଋଣଗ୍ରସ୍ତ  ଓ ଦେବାଳିଆ ହୋଇ ଗତ ୨୦୧୮ରୁ ୨୦୨୦ ମଧ୍ୟରେ ଦେଶରେ ପ୍ରାୟ ୨୫୨୩୧ ଲୋକ ଆତ୍ମହତ୍ୟା କରିଛନ୍ତି । ତା’ ମଧ୍ୟରୁ ୨୦୧୮ରେ ବେକାରୀ ଯୋଗୁଁ ୨୭୪୧ ଏବଂ ଋଣଗସ୍ତ ଓ ଦେବାଳିଆ ହୋଇ ୪୯୭୦ ଜଣ ଆତ୍ମହତ୍ୟା କରିଥିଲେ । ୨୦୧୯ରେ ଯଥାକ୍ରମେ ୨୮୫୧ ଓ ୫୯୦୮ ଥିଲା । ସେହିପରି ୨୦୨୦ରେ ଏହି ସଂଖ୍ୟା ଯଥାକ୍ରମେ ୩୫୪୮ ଓ ୫୨୧୩ ଥିଲା ।

ମାନସିକ ବିଷାଦର ମୁକାବିଲା କରିବାକୁ ସରକାର ଜାତୀୟ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହା ମାଧ୍ୟମରେ ଦେଶର ୬୯୨ଟି ଜିଲ୍ଲାରେ ଜିଲ୍ଲା ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ଲୋକମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ବିଷାଦଗ୍ରସ୍ତ ହୋଇ ଆତ୍ମହତ୍ୟା ନ କରିବାକୁ ପ୍ରବର୍ତ୍ତାଯାଉଛି । ଲୋକମାନଙ୍କ ଦକ୍ଷତା ବିକାଶ କରି ସେମାନଙ୍କ ମନୋବଳ ବୃଦ୍ଧି କରାଯାଉଛି ।

ସମ୍ବନ୍ଧିତ ଖବର