କରୋନାଭୂତାଣୁର ନୂଆ ଭେଦ ଖୋଲିଲା

ନୂଆଦିଲ୍ଲୀ: କରୋନାଭୂତାଣୁ ସାର୍ସ-କୋଭ୍-୨ର ସ୍ପାଇକ୍‌ ପ୍ରୋଟିନ ଗଠନର ଏକ ନୂଆ ଭେଦକୁ ବୈଜ୍ଞାନିକମାନେ ଠାବ କରିବାରେ ସକ୍ଷମ ହୋଇଛନ୍ତି। ଏଥିରୁ ଉକ୍ତ ଘାତକ ଭୂତାଣୁ କିପରି ଆଶ୍ରୟଦାତାର ଶରୀରରେ ପ୍ରବେଶ କରୁଛି, ତାହା ଜଣାପଡ଼ିଛି। ଏହାଦ୍ବାରା କୋଭିଡ୍‌-୧୯ ଉପଚାରରେ ନିର୍ଦ୍ଦିଷ୍ଟ ଉପାୟ ମିଳିଯିବ ବୋଲି ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି। ଆମେରିକାର ନର୍ଥ ୱେଷ୍ଟର୍ଣ୍ଣ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଅନୁଧ୍ୟାନ ଅନୁଯାୟୀ, ଏହି ସ୍ପାଇକ୍‌ ପ୍ରୋଟିନ୍‌ ଉକ୍ତ ଭୂତାଣୁର ବାନ୍ଧିରଖିବା ସ୍ଥଳକୁ ବହନ କରି ମନୁଷ୍ୟର ଜୀବକୋଷରେ ଲାଖି ରହିଯାଇଥାଏ।

ଧୀରେ ଧୀରେ ତାହା ସଂକ୍ରମିତର ଶରୀରକୁ ପ୍ରବେଶ କରି ସାରା ଶରୀରକୁ ବ୍ୟାପିଯାଏ। ବୈଜ୍ଞାନିକମାନେ କରୋନାଭୂତାଣୁର ସ୍ପାଇକ୍‌ ପ୍ରୋଟିନ୍‌ର ପ୍ରକୃତ ବନ୍ଧନସ୍ଥଳ ଠାରୁ ୧୦ ନାନୋମିଟର ଦୂରରେ ପଲିବେସିକ୍‌ କ୍ଲିଭେଜ୍‌ ସ୍ଥଳ ନାମରେ ଏକ ଯୁକ୍ତାତ୍ମକ ଚାର୍ଜଯୁକ୍ତ ସ୍ଥଳ ରହିଛି। ସେଗୁଡ଼ିକ ମନୁଷ୍ୟ ଶରୀରର ବିଯୁକ୍ତାତ୍ମକ ଚାର୍ଜଯୁକ୍ତ କୋଷଗ୍ରାହୀ ଦ୍ବାରା ଆକର୍ଷିତ ହୋଇ ଏକ ଦୃଢ଼ ବନ୍ଧନ ଗଠନ କରିବା ସହ ଧୀରେ ଧୀରେ ମନୁଷ୍ୟ ଶରୀରରେ ପ୍ରବେଶ କରିଥାନ୍ତି। ଉକ୍ତ ପଲିବେସିକ୍‌ କ୍ଲିଭେଜ୍‌ ସ୍ଥଳଗୁଡ଼ିକୁ କୃତ୍ରିମ ଉପାୟରେ ଅନ୍ୟ କୌଣସି ବିଯୁକ୍ତାତ୍ମକ ଚାର୍ଜୟୁକ୍ତ ଅଣୁଦ୍ବାରା ଆକର୍ଷିତ କରାଇପାରିଲେ ତାହା ସେଠାରେ ଅଟକି ଆଉ ମନୁଷ୍ୟର କୋଷଗ୍ରାହୀ ସହ ବନ୍ଧନ ସୃଷ୍ଟି କରିପାରିବ ନାହିଁ କି ମନୁଷ୍ୟ ଶରୀରରେ ପ୍ରବେଶ କରିପାରିବ ନାହିଁ।

ସମ୍ବନ୍ଧିତ ଖବର