‘ଆପ୍‌’ ଆରମ୍ଭ କଲା ’ଆପ୍‌ କା ରାମରାଜ୍ୟ’ ୱେବସାଇଟ୍‌

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି ‘ଆପ୍‌’ ବୁଧବାର ‘ଆପ୍‌ କା ରାମରାଜ୍ୟ’ ୱେବସାଇଟ୍‌ ଉନ୍ମୋଚନ କରି କହିଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାତୀୟ ରାଜଧାନୀରେ ଭଗବାନ ରାମଙ୍କ ଆଦର୍ଶକୁ ସାକାର କରିବାକୁ ଚେଷ୍ଟା କରିଛନ୍ତି।

ଲୋକସଭା ନିର୍ବାଚନ ପୂର୍ବରୁ ଏହି ୱେବସାଇଟ୍‌ ଉନ୍ମୋଚନ କରାଯାଇଛି, ଯାହାର ପ୍ରଥମ ପର୍ଯ୍ୟାୟ ଶୁକ୍ରବାର ଅନୁଷ୍ଠିତ ହେବ ଏବଂ ଆଜି ଦେଶର ବିଭିନ୍ନ ସ୍ଥାନରେ ରାମନବମୀ ପର୍ବ ପାଳନ କରାଯାଉଛି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି ଯେ ଏହି ୱେବସାଇଟରେ ଆପ୍‌ର ରାମରାଜ୍ୟ ସଂକଳ୍ପ ଏବଂ ଦଳର ସରକାରଙ୍କ କାର୍ଯ୍ୟକୁ ଦର୍ଶାଯିବ।

ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ଗତ ୧୦ ବର୍ଷ ମଧ୍ୟରେ ରାମରାଜ୍ୟକୁ ସାକାର କରିବା ପାଇଁ ଭଲ ସ୍କୁଲ, ମୋହଲ୍ଲା କ୍ଲିନିକ୍‌, ମାଗଣା ପାଣି ଓ ବିଜୁଳି ଏବଂ ମହିଳାଙ୍କ ପାଇଁ ମାଗଣା ବସ୍‌ ଯାତ୍ରା ଭଳି ଚମତ୍କାର କାର୍ଯ୍ୟ କରିଛନ୍ତି।

ପ୍ରଥମ ଥର ପାଇଁ ରାମନବମୀ ପାଳନ ଅବସରରେ କେଜ୍ରିୱାଲ ତାଙ୍କ ଲୋକଙ୍କ ମଧ୍ୟରେ ନାହାନ୍ତି ବୋଲି ଶ୍ରୀ ସିଂହ ଅଭିଯୋଗ କରିଛନ୍ତି ଏବଂ ମିଥ୍ୟା ସାକ୍ଷୀଙ୍କ ବୟାନ ଆଧାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଭିତ୍ତିହୀନ ମାମଲାରେ ଜେଲ୍‌ ପଠାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଆପ୍‌ ନେତା ଆତିଶୀ, ସୌରଭ ଭରଦ୍ୱାଜ ଓ ଜସ୍ମିନ ଶାହା ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର