ମଦ ଦୁର୍ନୀତି ମାମଲାରେ ‘ଆପ୍‌’ ବିଧାୟକ ଦୁର୍ଗେଶ ପାଠକଙ୍କୁ ‘ଇଡି’ ସମନ୍‌; ‘ବିଜେପି’କୁ ସମାଲୋଚନା କଲେ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲା ବିଷୟରେ ପଚରାଉଚରା ପାଇଁ ସମନ୍‌ ପାଇଥିବା ‘ଆପ୍‌’ ବିଧାୟକ ଦୁର୍ଗେଶ ପାଠକ ଆଜି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କାର୍ଯ୍ୟାଳୟରେ ଉପସ୍ଥିତ ହୋଇଛନ୍ତି।

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ମଦ ଦୁର୍ନୀତି ଅଭିଯୁକ୍ତ ବିଜୟ ନାୟର୍‌ଙ୍କ ମୁମ୍ବାଇ ଘର ତଲାସ ବେଳେ ‘ଆପ୍‌’ ନେତା ଦୁର୍ଗେଶ ତାଙ୍କ ଘର ଭିତରେ ଥିଲେ। ବିଜୟ ନାୟର୍‌ଙ୍କ ସହିତ ତାଙ୍କର ସମ୍ପର୍କ ବିଷୟରେ ଜେରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ ପାଠକଙ୍କୁ ଡାକିଛି।

ପାଠକଙ୍କୁ ସମନ୍‌ ଜାରି କରାଯିବା ଘଟଣାରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ‘ବିଜେପି’କୁ କଟୂ ସମାଲୋଚନା କରିଛନ୍ତି।

Image Courtesy of Jagaran English

ସିସୋଦିଆ କହିଛନ୍ତି, ଦିଲ୍ଲୀର ଅବକାରୀ ନୀତି ପ୍ରସ୍ତୁତିରେ ପାଠକଙ୍କର କୌଣସି ସମ୍ପର୍କ ନାହିଁ। ‘ମୁନିସ୍‌ପାଲ୍‌ କର୍ପୋରେସନ୍‌ ଅଫ୍‌ ଦିଲ୍ଲୀ’ (ଏମ୍‌ସିଡି) ନିର୍ବାଚନ ଦାୟିତ୍ବରେ ଥିବାରୁ ରାଜନୈତିକ ଆକ୍ରୋଶ ରଖି ‘ବିଜେପି’ ପାଠକଙ୍କୁ ଟାର୍ଗେଟ୍‌ କରିଛି।

ଟୁଇଟ୍‌ କରି ସେ ଲେଖିଛନ୍ତି: ‘ଆପ୍‌’ର ‘ଏମ୍‌ସିଡି’ ନିର୍ବାଚନ ଦାୟିତ୍ବରେ ଥିବା ଦୁର୍ଗେଶ ପାଠକଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ସମନ୍‌ କରିଛି। ଦିଲ୍ଲୀ ସରକାରଙ୍କ ମଦ ନୀତିରେ ଆମ ‘ଏମ୍‌ସିଡି’ ନିର୍ବାଚନ ଭାରପ୍ରାପ୍ତଙ୍କର କି ଭୂମିକା ଅଛି? ସେମାନଙ୍କର ଟାର୍ଗେଟ୍‌ ମଦ ନୀତି ନା, ‘ଏମ୍‌ସିଡି’ ନିର୍ବାଚନ?

ସୂଚନାଯୋଗ୍ୟ, ୩୪ ବର୍ଷିୟ ଦୁର୍ଗେଶ ପାଠକ ଦିଲ୍ଲୀ ବିଧାନସଭା ରାଜିନ୍ଦର ନଗର ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ବ କରୁଛନ୍ତି। ସେ ‘ବିଜେପି’ ପ୍ରାର୍ଥୀ ରାଜଶେ ଭାଟିଆଙ୍କୁ ଗତବର୍ଷ ଅନୁଷ୍ଠିତ ଉପନିର୍ବାଚନରେ ୧୧,୦୦୦ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର