ଅମିତ ଖାରେ ମୋଦୀଙ୍କ ନୂଆ‌ ପରାମର୍ଶଦାତା: ଗୋଖାଦ୍ୟ ଦୁର୍ନୀତି ପଦାକୁ ଆଣିଥିଲେ

ନୂଆ ଆଇଟି ନିୟମ, ଶିକ୍ଷା ନୀତିର ବିନ୍ଧାଣୀ ଥିଲେ

ନୂଆଦିଲ୍ଲୀ: ପୂର୍ବତନ ସୂଚନା-ପ୍ରସାରଣ ଏବଂ ଉଚ୍ଚ ଶିକ୍ଷା ସଚିବ ଅମିତ ଖାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଭାବେ ଦୁଇ ବର୍ଷ ପାଇଁ ନିଯୁକ୍ତ ହୋଇଛନ୍ତି। ବିହାର-ଝାଡ଼ଖଣ୍ଡ କ୍ୟାଡର୍‌ ୧୯୮୫ ବ୍ୟାଚ୍‌ର ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଖାରେ ୨୦୧୯ ଡିସେମ୍ବରରେ ଶିକ୍ଷା ମନ୍ତ୍ରାଳୟ ଏବଂ ଉଚ୍ଚ ଶିକ୍ଷା ବିଭାଗରେ ସଚିବ ପଦରେ ଅବସ୍ଥାପିତ ହୋଇଥିଲେ। କ୍ୟାବିନେଟ୍‌ର ନିଯୁକ୍ତି କମିଟି ଖାରେଙ୍କ ନିଯୁକ୍ତିକୁ ମଞ୍ଜୁରି ଦେଇଛି। ପୂର୍ବତନ କ୍ୟାବିନେଟ୍‌ ସଚିବ ପିକେ ସିହ୍ନା ଏବଂ ପୂର୍ବତନ ସଚିବ ଅମରଜିତ ସିହ୍ନା ପିଏମ୍‌ଓଙ୍କ ପରାମର୍ଶଦାତା ଭାବେ ଇସ୍ତଫା ଦେବାପରେ ଖାରେ ପିଏମ୍‌ଓରେ ଯୋଗ ଦେଇଛନ୍ତି। ଚଳିତବର୍ଷ ସେପ୍ଟେମ୍ବର ୩୦ରେ ସେ ଅବସର ଗ୍ରହଣ କରିଥିଲେ।

ବିହାରର ଗୋଖାଦ୍ୟ ଦୁର୍ନୀତିକୁ ପଦାରେ ପକାଇବାଠାରୁ ଆରମ୍ଭ କରି ଦେଶର ନୂଆ ଶିକ୍ଷାନୀତି ପ୍ରସ୍ତୁତ କରିବା ଏବଂ ସାମାଜିକ ଗଣମାଧ୍ୟମ କମ୍ପାନି ଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ପାଇଁ ନୂଆ ଆଇଟି ନିୟମ ପ୍ରସ୍ତୁତିର ସେ ବିନ୍ଧାଣୀ ରହିଥିଲେ। ଅବିଭକ୍ତ ବିହାରର ପଶୁ ସଂପଦ ବିଭାଗରେ ହୋଇଥିବା ଗୋଖାଦ୍ୟ ଦୁର୍ନୀତିକୁ ପଦାକୁ ଆଣିବା ବେଳେ ୧୯୯୫ରୁ ୧୯୯୭ ମସିହା ମଧ୍ୟରେ ସେ ପଶ୍ଚିମ ସିଂହଭୂମ (ଚାଇବାସା)ର ଡେପୁଟି କମିସନର ଥିଲେ। ୨୦୧୯ ଡିସେମ୍ବରରେ ସେ ଉଚ୍ଚଶିକ୍ଷା ସଚିବ ଭାବେ ନିଯୁକ୍ତ ହୋଇଥିଲେ। ଉଚ୍ଚଶିକ୍ଷା ସଚିବ ଭାବେ ଦେଶର ନୂଆ ଶିକ୍ଷା ନୀତିକୁ ରୂପ ଦେବାରେ ତାଙ୍କର ବଳିଷ୍ଠ ଯୋଗଦାନ ରହିଛି। ସେହିଭଳି ୨୦୧୮ ମେ ମାସରୁ ୨୦୧୯ ଡିସେମ୍ବର ପର୍ଯ୍ୟନ୍ତ ସେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ସଚିବ ଭାବେ କାମ କରିଥିଲେ। ସେହି ସମୟରେ ସାମାଜିକ ଗଣମାଧ୍ୟମ କମ୍ପାନି, ଡିଜିଟାଲ କଣ୍ଟେଣ୍ଟ୍‌ର ନିୟନ୍ତ୍ରଣ ପାଇଁ ନୂଆ ଆଇଟି ନିୟମ ପ୍ରସ୍ତୁତ ‌‌‌ହୋଇଥିଲା। ପୂର୍ବରୁ ସେ ରାଞ୍ଚି ବିଶ୍ବବିଦ୍ୟାଳୟର କୁଳପତି ଏବଂ ଝାଡ଼ଖଣ୍ଡ ସରକାରଙ୍କ ଉନ୍ନୟନ କମିସନର ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି।

ସମ୍ବନ୍ଧିତ ଖବର