କେଜ୍ରିୱାଲ୍‌ଙ୍କ ଆଦେଶ ନାକଚ କଲେ ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣର୍: ଦିଲ୍ଲୀ ଡାକ୍ତରଖାନାରେ ଯେକୌଣସି ରାଜ୍ୟର କୋଭିଡ୍-୧୯ ଆକ୍ରାନ୍ତଙ୍କ ଚିକିତ୍ସା ହୋଇପାରିବ

ନୂଆଦିଲ୍ଲୀ: ଦିଲ୍ଲୀର ସରକାରୀ ଡାକ୍ତରଖାନାମାନଙ୍କରେ ଅନ୍ୟ ରାଜ୍ୟର କୋଭିଡ୍-୧୯ ଆକ୍ରାନ୍ତଙ୍କ ଚିକିତ୍ସା କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଜାରି କରିଥିବା ଆଦେଶକୁ ଲେଫ୍‌ଟ୍‌ନାଣ୍ଟ୍‌-ଗଭର୍ଣ୍ଣର୍ ଅନୀଲ ବୈଜଲ୍ ଖାରଜ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଦିଲ୍ଲୀର ବାସିନ୍ଦା ହୋଇ ନ ଥିବା ଦୃଷ୍ଟିରୁ ଯେମିତି କୌଣସି ରୋଗୀଙ୍କୁ ଚିକିତ୍ସା ପାଇଁ ମନା ନ କରାଯାଏ, ସେ ବିଷୟରେ ସୁନିଶ୍ଚିତ ହେବାକୁ ସୋମବାର ଦିନ ଲେଫ୍‌ଟ୍‌ନାଣ୍ଟ୍‌-ଗଭର୍ଣ୍ଣର୍ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳର ସମ୍ପୃକ୍ତ ବିଭାଗ ଏବଂ କର୍ତ୍ତୃପକ୍ଷମାନଙ୍କୁ ନିଦେର୍ଶ ଦେଇଛନ୍ତି।

ମହାମାରୀ ସମୟରେ ଚିକିତ୍ସା ଚାହୁଁଥିବା ଦିଲ୍ଲୀ ବାହାରର ରୋଗୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଏହି ନିଷ୍ପତ୍ତି ଆଶ୍ବସ୍ତି ଦେବ। ଏଠାରେ ପ୍ରକାଶଯୋଗ୍ୟ କି, ଏହି କଟକଣା ଜାରି କରିବା ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଥିଲେ କି, ଯଦି ଦିଲ୍ଲୀ ଅନ୍ୟ ରାଜ୍ୟର ଲୋକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚାଲିବ ତେବେ, ଡାକ୍ତରଖାନାରେ ଆଉ ଶଯ୍ୟା ମିଳିବ ନାହିଁ।

Image Courtesy of Hindustan Times

ସେ ଯାହାହେଉ, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଉପରେ ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣର୍ କର୍ତ୍ତୃତ୍ବ ଜାହିର କରି କହିଛନ୍ତି ଯେ, ଦିଲ୍ଲୀର ଯେକୌଣସି ଡାକ୍ତରଖାନାରେ ଯିଏ କେହି ଚିକିତ୍ସା ଆବଶ୍ୟକ କରିବ, ଚିକିତ୍ସା ଯୋଗାଇ ଦିଆଯିବ।

ଏଠାରେ ପ୍ରକାଶଯୋଗ୍ୟ ଯେ, ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣର୍ ଅନୀଲ ବୈଜଲ୍ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ର ମୁଖ୍ୟ ହୋଇଥିବାରୁ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବା କ୍ଷମତା ତାଙ୍କ ହାତରେ ରହିଛି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ଏହି କମିଟିରେ ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣର୍‌ଙ୍କର ଡେପୁଟି ଅଟନ୍ତି।

 

ସମ୍ବନ୍ଧିତ ଖବର