ତୃଣମୂଳ କଂଗ୍ରେସ ବିଧାୟକ ହତ୍ୟା ମାମଲା ଚାର୍ଜସିଟ୍‌ରେ ମୁକୁଳ ରାୟଙ୍କ ନାମ ଉଲ୍ଲେଖ କଲା ପଶ୍ଚିମବଙ୍ଗ ‘ସିଆଇଡି’

କୋଲକାତା: ନଦିଆ ଜିଲ୍ଲାର ତୃଣମୂଳ କଂଗ୍ରେସ ବିଧାୟକ ସତ୍ୟଜିତ ବିଶ୍ବାସଙ୍କ ହତ୍ୟା ମାମଲାରେ ଦାଖଲ କରାଯାଇଥିବା ଚାର୍ଜସିଟ୍‌ରେ ପଶ୍ଚିମବଙ୍ଗ ‘ସିଆଇଡି’ ବିଜେପିର ଜାତୀୟ ଉପାଧ୍ୟକ୍ଷ ମୁକୁଳ ରାୟଙ୍କୁ ଜଣେ ଷଡ଼ଯନ୍ତ୍ରକାରୀ ଭାବେ ନାମିତ କରିଛି।

ଶନିବାର ଦିନ ରାଣାଘାଟ ‘ଏସିଜେଏମ୍‌’ ଅଦାଲତରେ ପଶ୍ଚିମବଙ୍ଗ ‘ସିଆଇଡି’ ଏ ମାମଲାରେ ଏକ ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କରିଛି।

ମୁକୁଳ ରାୟଙ୍କ ଓକିଲ ସୁମନ ରାୟ କହିଛନ୍ତି, ମୁକୁଳ ରାୟଙ୍କୁ ଜଣେ ଅଭିଯୁକ୍ତ ଭାବେ ନାମିତ କରାଯାଇଥିଲା। ଏପର୍ଯ୍ୟନ୍ତ ଚାର୍ଜସିଟ୍‌ରେ ସମୁଦାୟ ପାଞ୍ଚଜଣଙ୍କୁ ନାମିତ କରାଗଲାଣି। ଏଥିରେ ବିଜେପିର ମୁକୁଳ ରାୟ ଏବଂ ସାଂସଦ ଜଗନ୍ନାଥ ସର୍କାରଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।

ମାର୍ଚ ମାସରେ ‘ସିଆଇଡି’ ପଚରା ଉଚୁରା କରିଥିବା ମୁକଳ ରାୟଙ୍କୁ କାଲ୍‌କାଟା ହାଇକୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଥିଲେ।

Image Courtesy of Free Press Journal

ଚାର୍ଜସିଟ୍‌ରେ ତାଙ୍କ ନାଁ ରହିଥିବା କଥାରେ ପ୍ରତିକ୍ରିୟା ପ୍ରକାଶ କରି ମୁକୁଳ ରାୟ କହିଛନ୍ତି, ମୋ ନାଁରେ ୪୪ଟି ମାମଲା ରହିଛି। ମୁଁ ଚିନ୍ତିତ ନୁହେଁ। ସେମାନେ ମୋତେ ଗିରଫ କରି ପାରିବେ ନାହିଁ। କିନ୍ତୁ, ମୁଁ ପଚାରୁଛି ପଶ୍ଚିମବଙ୍ଗର ପୁଲିସ ମନ୍ତ୍ରୀ କିଏ? ତାଙ୍କ (ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ) ନିର୍ଦେଶରେ କ’ଣ ମୋ ନାଁ ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି? ବିଚାର ବିଭାଗ ଉପରେ ମୋର ପୂର୍ଣ୍ଣ ଆସ୍ଥା ରହିଛି।

ଏହି ମାମଲାରେ ଏ ପର୍ଯ୍ୟନ୍ତ ନାମିତ ହୋଇଥିବା ଦ୍ବିତୀୟ ହାଇ ପ୍ରୋଫାଇଲ୍‌ ନେତା ହେଉଛନ୍ତି ମୁକୁଳ ରାୟ। ପୂର୍ବରୁ ରାଣାଘାଟ ବିଜେପି ସାଂସଦ ଜଗନ୍ନାଥ ସର୍କାରଙ୍କ ନାମ ମଧ୍ୟ ପଶ୍ଚିମବଙ୍ଗ ‘ସିଆଇଡି’ ଚାର୍ଜସିଟ୍‌ରେ ଉଲ୍ଲେଖ କରିଥିଲା। ଏହି ହତ୍ୟାକାଣ୍ଡ ମାମଲାରେ ‘ସିଆଇଡି’ ବହୁବାର ସର୍କାରଙ୍କୁ ପଚରାଉଚୁରା କରିସାରିଲାଣି।

କୃଷ୍ଣଗଞ୍ଜ ବିଧାନସଭା ନିର୍ବାଚନ ମଣ୍ଡଳୀର ତୃଣମୂଳ କଂଗ୍ରେସ ବିଧାୟକ ସତ୍ୟଜିତ ବିଶ୍ବାସଙ୍କୁ ଗତବର୍ଷ ଫେବ୍ରୁଆରି ୯ ତାରିଖ ଦିନ ନଦିଆ ଜିଲ୍ଲାରେ ଗୁଳି ମାରି ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର