ପରୀକ୍ଷା ଖାତାରେ ‘ଖେଲା ହୋବେ’ ଲେଖିବାରୁ ଶିକ୍ଷାର୍ଥୀମାନଙ୍କୁ ପଶ୍ଚିମବଙ୍ଗ ସ୍କୁଲ୍‌ ବୋର୍ଡର ଚେତାବନୀ

କୋଲ୍‌କାତା: ୧୦ମ ଶ୍ରେଣୀ ପରୀକ୍ଷା ଦେଉଥିବା କେତେକ ଶିକ୍ଷାର୍ଥୀ ପରୀକ୍ଷା ଖାତାରେ ଗୋଟାଏ ଜନପ୍ରିୟ ରାଜନୈତିକ ସ୍ଲୋଗାନ୍‌ ଲେଖିଥିବାରୁ ପଶ୍ଚିମବଙ୍ଗ ବୋର୍ଡ ଚେତାବନୀ ଦେଇ କହିଛି ଯେ, ଯଦି ଚାଲିଥିବା ୧୨ଶ ଶ୍ରେଣୀ ପରୀକ୍ଷାରେ ଏହି ସ୍ଲୋଗାନ୍‌ ଲେଖାଯାଏ ତେବେ, ପରୀକ୍ଷାର୍ଥୀଙ୍କ ବିରୋଧରେ ଶାସ୍ତି ବିଧାନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପ୍ରାପ୍ତ ସୂଚନା ଅନୁସାରେ, ଗତ ମାସରେ ‘ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ବୋର୍ଡ’ଦ୍ବାରା ପରିଚାଳିତ ୧୦ମ ଶ୍ରେଣୀ ପରୀକ୍ଷା କରାଉଥିବା କର୍ତ୍ତୃପକ୍ଷମାନେ ଜାଣିବାକୁ ପାଇଛନ୍ତି ଯେ, କେତେକ ପରୀକ୍ଷାର୍ଥୀ ସେମାନଙ୍କ ଉତ୍ତର ଖାତାରେ ଶାସକ ‘ତୃଣମୂଳ କଂଗ୍ରେସ’ର ସ୍ଲୋଗାନ୍‌ ‘ଖେଲା ହୋବେ’ ଲେଖିଛନ୍ତି।

Image Courtesy of India Today

ଏ କଥା ଜାଣିବା ପରେ ୧୨ଶ ଶ୍ରେଣୀ ନିମନ୍ତେ ‘ଉଚ୍ଚ ମାଧ୍ୟମିକ ପରୀକ୍ଷା’ ଆୟୋଜନ କରୁଥିବା ‘ପଶ୍ଚିମବଙ୍ଗ ଉଚ୍ଚ ଶିକ୍ଷା ପରିଷଦ୍‌’ ବୁଧବାର ଦିନ କହିଛି ଯେ, ଯଦି କୌଣସି ପରୀକ୍ଷାର୍ଥୀ ଉତ୍ତର ଖାତାରେ ରାଜନୈତିକ ସ୍ଲୋଗାନ୍‌ କିଂବା ଚିତ୍ର ଅଙ୍କନ କରନ୍ତି, ତାଙ୍କ ବିରୋଧରେ ଶାସ୍ତି ବିଧାନମୂଳକ ପଦକ୍ଷେପ ଗ୍ରହଣ କରାଯିବ।

ଗଣମାଧ୍ୟମକୁ ‘ପଶ୍ଚିମବଙ୍ଗ ଉଚ୍ଚ ଶିକ୍ଷା ପରିଷଦ୍‌’ର ସଭାପତି ଚିରଞ୍ଜିବୀ ଭଟ୍ଟାଚାର୍ଯ୍ୟ କହିଛନ୍ତି, ରାଜନୈତିକ ସ୍ଲୋଗାନ୍‌, ପ୍ରଚାର ଅଭିଯାନ ଅଥବା ବିବାଦୀୟ ପ୍ରସଙ୍ଗ ଲେଖିବା ‘ପଶ୍ଚିମବଙ୍ଗ ଉଚ୍ଚ ଶିକ୍ଷା ପରିଷଦ୍‌’ ନିୟମ ଓ ମାର୍ଗଦର୍ଶିକାର ବିରୁଦ୍ଧାଚରଣ କରୁଛି। ତେଣୁ, ଏଭଳି ଉଲ୍ଲଂଘନ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର