କାବୁଲ ବିମାନବନ୍ଦର ବାହାରେ ରକେଟ ମାଡ଼; ଜଣେ ଶିଶୁ ସମେତ ୨ ମୃତ, ୩ ଆହତ

ପୂର୍ବରୁ ସତର୍କ କରାଇଥିଲା ଆମେରିକା

କାବୁଲ: କାବୁଲ ସହରରେ ପୁଣି ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। କାବୁଲ ବିମାନବନ୍ଦର ପାଖରେ ରକେଟ ମାଡ଼ କରାଯାଇଥିବା ନେଇ ସୂଚନା ମିଳିଛି | ଖବର ଅନୁଯାୟୀ, କାବୁଲ ବିମାନବନ୍ଦର ନିକଟରେ ଥିବା ଏକ ଆବାସିକ ଅଞ୍ଚଳ ଖାଜେହ ବାଗ୍ରାରେ ରକେଟ ମାଡ଼ କରାଯାଇଥିବା ଜଣାପଡିଛି | କୁହାଯାଉଛି ଯେ ଟାର୍ଗେଟ କରି ଘର ଉପରେ ଆକ୍ରମଣ କରାଯାଇଛି। ଏହି ବିସ୍ଫୋରଣରେ ଜଣେ ଶିଶୁ ସମେତ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି।

ଭାଇରାଲ ହେଉଥିବା ଫଟୋରେ ବିମାନବନ୍ଦର ନିକଟରେ କଳା ଧୂଆଁ ଦୃଶ୍ୟମାନ ହେଉଛି | ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂସ୍ଥା ଏହି ଘଟଣା ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି। ଏହାପୂର୍ବରୁ ଅଗଷ୍ଟ ୨୬ରେ କାବୁଲ ବିମାନବନ୍ଦର ଉପରେ ଦୁଇଟି ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୧୭୦ ଜଣଙ୍କର ମୃତ୍ୟୁ ଘଟିଥିଲା।

indiatoday.in

କିଛି ସମୟ ପୂର୍ବରୁ ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ଆଉ ଗୋଟାଏ ଆକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କହିଥିଲେ ଜୋ ବାଇଡେନ୍‌ | ସେ କହିଥିଲେ, ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ଆଉ ଗୋଟାଏ ଆକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆମ କମାଣ୍ଡର୍‌ମାନେ ମୋତେ ସୂଚନା ଦେଇଛନ୍ତି। ତେଣୁ, ସୈନିକମାନଙ୍କ ସୁରକ୍ଷା ନିମନ୍ତେ ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରିବା ଲାଗି ମୁଁ ସେମାନଙ୍କୁ ନିର୍ଦେଶ ଦେଇଛି। କାରଣ, ସେମାନେ ବିମାନ ବନ୍ଦରକୁ ନିରାପଦ ରଖିବା ସହ ଆମେରିକୀୟ ଏବଂ ତାଲିବାନ୍ ଶାସନରୁ ନିସ୍ତାର ପାଇବା ଲାଗି ବ୍ୟାକୁଳ ଅନ୍ୟ ବ୍ୟକ୍ତିବିଶେଷଙ୍କୁ ବିମାନ ଯୋଗେ ସ୍ଥାନାନ୍ତରଣ କରାଇବାରେ ସହାୟକ ହେଉଛନ୍ତି।

ସମ୍ବନ୍ଧିତ ଖବର