“ମୋ ପାଖ ଯାତ୍ରୀ ବୋମା ବିଷୟରେ କଥା ହେଉଥିଲେ..”  ମହିଳାଙ୍କ ଅଭିଯୋଗ ପରେ ଦିଲ୍ଲୀ ଏୟାରପୋର୍ଟରେ ଆତଙ୍କ

ନୂଆଦିଲ୍ଲୀ : ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଭିସ୍ତାରା ଫ୍ଲାଇଟରେ ବୋମା ଗୁଜବ ସୃଷ୍ଟି ହେବାରୁ ଫ୍ଲାଇଟ୍ ପ୍ରାୟ ୨ ଘଣ୍ଟା ବିଳମ୍ବରେ ଛାଡ଼ିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଭିସ୍ତାରା ୟୁକେ ୯୪୧ ଫ୍ଲାଇଟ ଗୁରବାର ଅପରାହ୍ଣ ୪ଟା ୫୫ ମିନିଟରେ ମୁମ୍ବାଇ ଯାତ୍ରା କରିବାର ଥିଲା । କିନ୍ତୁ ଫ୍ଲାଇଟରେ ବସିଥିବା ଜଣେ ମହିଳା ଅଭିଯୋଗ ଗଲେ ଯେ ତାଙ୍କ ପାଖରେ ବସିଥିବା ଜଣେ ଯାତ୍ରୀ ଫୋନରେ ବୋମା ବିଷୟରେ କଥା ହେଉଥିଲେ । ମହିଳାଙ୍କ କହିବା ଅନୁସାରେ, ଉକ୍ତ ବ୍ୟକ୍ତି ଫୋନରେ କହୁଥିଲେ ଯେ ତାଙ୍କ ବ୍ୟାଗେଜରେ ଥିବା ବୋମାକୁ ସିଆଇଏସଏଫ ଧରିପାରିନଥିଲା । ମହିଳା ଜଣକ ଏ ସଂପର୍କରେ ବିମାନ କର୍ମଚାରୀଙ୍କୁ ଜଣାଇବା ପରେ ତୁରନ୍ତ ଉଡ଼ାଣ ବନ୍ଦ କରାଯାଇଥିଲା ଓ  ଗ୍ରାଉଣ୍ଡ ସିକ୍ୟୁରିଟି ଓ ସିଆଇଏସଏଫ ( କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ) କୁ ସୂଚୀତ କରାଯାଇଥିଲା ।

ଏହା ପରେ ସିଆଇଏସଏଫ ପକ୍ଷରୁ ପ୍ରତି ଯାତ୍ରୀଙ୍କ ବ୍ୟାଗେଜ୍ ଯାଞ୍ଚ କରାଯାଇଥିଲା । ଏପରିକି ବିମାନ ବନ୍ଦରର ଟର୍ମିନାଲ ଅଂଚଳରେ ବି ବୋମା ଖୋଜା ଯାଇଥିଲା । ମାତ୍ର ବୋମା ମିଳିନଥିଲା । ଫଳରେ ବୋମା ଥିବା ସୂଚନାଟି ଗୁଜବ ବୋଲି ଜଣାପଡ଼ିଥିଲା । ଏହା ପରେ ବିମାନକୁ ଉଡ଼ାଣ ପାଇଁ ଅନୁମତି ଦିଆଯାଇଥିଲା । ଫଳରେ ସଂଧ୍ୟା ୬ଟା ୪୫ ମିନିଟ ସମୟରେ ବିମାନଟି ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା ।

ସମ୍ବନ୍ଧିତ ଖବର