ଚାର୍ଲସ୍‌ ରାଜା ହେଲେ କମିଲା ରାଣୀ ହେବେ: ରାଣୀ ଦ୍ବିତୀୟ ଏଲିଜାବେଥ୍‌

ଲଣ୍ଡନ୍‌: ଯୁବରାଜ ଚାର୍ଲସ୍‌ ରାଜା ହେଲେ ‘ଡଚେସ୍‌ ଅଫ୍‌ କର୍ଣ୍ଣୱାଲ୍‌’ କମିଲା ରାଣୀ ହେବେ ବୋଲି ରାଜୁତିର ୭୦ ବର୍ଷ ପୂର୍ତ୍ତି ପୂର୍ବ ସନ୍ଧ୍ୟାରେ ଇଂଲଣ୍ଡର ରାଣୀ ଦ୍ବିତୀୟ ଏଲିଜାବେଥ୍‌ କହିଛନ୍ତି।

ରାଜତନ୍ତ୍ରର ଭବିଷ୍ୟତ ନିର୍ଦ୍ଧାରଣ କରିବା ଯାଇ ଶନିବାର ଦିନ ‘ପ୍ଲାଟିନମ୍‌ ଜୁବିଲି’ ଅବସରରେ ଦେଇଥିବା ଜାତୀୟ ବାର୍ତ୍ତାରେ ରାଣୀ ଦ୍ବିତୀୟ ଏଲିଜାବେଥ୍‌ କମିଲାଙ୍କ କଥା ଉଲ୍ଲେଖ କରିଥିଲେ। ଏକାନ୍ତ ଇଚ୍ଛା ପରିପ୍ରକାଶ କରି ସେ କହିଛନ୍ତି, ଯୁବରାଜ ଚାର୍ଲସ୍‌ ରାଜା ହେଲେ ତାଙ୍କ ପତ୍ନୀ କମିଲା ରାଣୀ ଭାବେ ପରିଚିତ ହେବେ।

Image Courtesy of Daily Express

ସମ୍ପ୍ରତି ୯୫ ବର୍ଷ ବୟସରେ ପଦାର୍ପଣ କରି ସାରିଥିବା ରାଣୀ ଦ୍ବିତୀୟ ଏଲିଜାବେଥ୍‌ ଏକ ଲିଖିତ ବାର୍ତ୍ତାରେ କହିଛନ୍ତି, ସମର୍ଥନ ଦେଇଥିବାରୁ ଆପଣମାନଙ୍କ ପ୍ରତି ଧନ୍ୟବାଦ ଜ୍ଞାପନ କରୁଛି। ଆପଣମାନଙ୍କ ଠାରୁ ପାଉଥିବା ଆନୁଗତ୍ୟତା ଏବଂ ଶ୍ରଦ୍ଧା ଯୋଗୁଁ ମୁଁ ଚିର କୃତଜ୍ଞ ଏବଂ ଅଭିଭୂତ।

ମୁଁ ଜାଣେ, ଆପଣମାନେ ମୋତେ ଯେମିତି ସହଯୋଗ କରିଥିଲେ, ସମୟକ୍ରମେ ମୋ ପୁଅ ଚାର୍ଲସ୍‌ ରାଜା ହେଲେ ଆପଣମାନେ ତାକୁ ଏବଂ ତା’ ପତ୍ନୀ କମିଲାଙ୍କୁ ସେପରି ସହଯୋଗ କରିବେ। ମୋର ଏକାନ୍ତ ଇଚ୍ଛା ସେ ସମୟ ଆସିଲେ କମିଲା ରାଣୀ ହୋଇ ତା’ର ରାଜକୀୟ ସେବା ଜାରି ରଖିବେ।

ସୂଚନାଯୋଗ୍ୟ, ସଡ଼କ ଦୁର୍ଘଟଣାରେ ଯୁବରାଣୀ ଡାଏନାଙ୍କ ମୃତ୍ୟୁ ଘଟିବାର ବହୁ ବର୍ଷ ପରେ ଏକ ଘରୋଇ ଉତ୍ସବରେ ୨୦୦୫ରେ ଚାର୍ଲସ୍‌ ତାଙ୍କର ପୂର୍ବତନ ବାନ୍ଧବୀ କମିଲାଙ୍କୁ ବିବାହ କରିଥିଲେ।

ସମ୍ବନ୍ଧିତ ଖବର