ପ୍ରବାସୀ ଶ୍ରମିକଙ୍କ ଗତିବିଧି ବନ୍ଦ କରିବା ପାଇଁ ରାଜ୍ୟ ଓ ଜିଲ୍ଲା ସୀମାକୁ ସିଲ୍ କରିବାକୁ ନିର୍ଦେଶ ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ରବିବାର ଦିନ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ସମସ୍ତ ରାଜ୍ୟ ତଥା ଜିଲ୍ଲା ସୀମାକୁ ସିଲ୍ କରିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ସହ ଏକ ଭିଡିଓ କନଫରେନ୍ସିଂ ସମୟରେ କ୍ୟାବିନେଟ ସଚିବ ରାଜୀବ ଗୌବା ଏବଂ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଲକଡାଉନ୍ ଜାରି ରହିଥିବାରୁ ସହର କିମ୍ବା ରାଜପଥରେ ଲୋକମାନଙ୍କର କୌଣସି ଗତିବିଧି ଯେମିତି ନଜରକୁ ନଆସେ ତାହାକୁ ନିଶ୍ଚିତ କରିବାକୁ କହିଛନ୍ତି | ଏହା ସହ, ଯେଉଁ ପ୍ରବାସୀ ଶ୍ରମିକମାନେ ନିଜ ଗାଁ ଅଭିମୁଖେ ବାହାରି ସାରିଛନ୍ତି, ସେମାନେ ପହଂଚିବା ପରେ ସେମାନଙ୍କୁ ତୁରନ୍ତ ସରକାରଙ୍କ ଦ୍ୱାରା ପରିଚାଳିତ ସଙ୍ଗରୋଧ କେନ୍ଦ୍ରରେ ୧୪ଦିନ ରଖିବାକୁ ନିର୍ଦେଶ ଦେଇଛନ୍ତି କ୍ୟାବିନେଟ ସଚିବ ରାଜୀବ ଗୌବା |

ରାଜ୍ୟର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ କରିବା ପରେ କ୍ୟାବିନେଟ ସଚିବ ଗୌବା ଏହି ନିର୍ଦ୍ଦେଶ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ସେମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶର କାର୍ଯ୍ୟକାରିତା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ପୁଲିସ ଅଧୀକ୍ଷକ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି କେନ୍ଦ୍ର ସରକାରଙ୍କ ବିବୃତ୍ତିରେ କୁହାଯାଇଛି।

Migrant workers along with their family members wait to board buses to their respective villages, amid a nationwide lockdown in wake of coronavirus pandemic, at Lal Quarter Bus Stand in New Delhi. (PTI Photo)
deccanherald.com

ଜଣେ ସରକାରୀ ଅଧିକାରୀ କହିଛନ୍ତି, “ଦେଶର କେତେକ ଅଂଚଳରେ ପ୍ରବାସୀ ଶ୍ରମିକମାନେ ଆନ୍ଦୋଳନ କରୁଥିବା ଦେଖାଯାଇଛି। ଯାହା ନଜରକୁ ଆସିବା ପରେ ଏବେ ଜିଲ୍ଲା ଓ ରାଜ୍ୟ ସୀମାକୁ ପ୍ରଭାବଶାଳୀ ଭାବେ ସିଲ୍ କରାଯାଉ ବୋଲି ନିର୍ଦ୍ଦେଶ ଦିଆଯିବ ସହ ସହର କିମ୍ବା ରାଜ୍ୟ ରାଜପଥରେ ଲୋକଙ୍କ ଗତିବିଧି ଯେମିତି ନଜରକୁ ନଆସେ ସେ ନେଇ ରାଜ୍ୟ ସରକାରମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହା ସହ ସେମାନଙ୍କ କାର୍ଯ୍ୟସ୍ଥଳରେ ପ୍ରବାସୀ ଶ୍ରମିକଙ୍କ ସମେତ ଗରିବ ଏବଂ ଅଭାବୀ ଲୋକଙ୍କ ଖାଦ୍ୟ ଏବଂ ଆଶ୍ରୟସ୍ଥଳ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବ ବୋଲି ଅଧିକାରୀ କହିଛନ୍ତି। ବର୍ତ୍ତମାନ କେବଳ ମାତ୍ର ଅତ୍ୟାବଶ୍ୟକ ଦ୍ରବ୍ୟର ପରିବହନକୁ ଅନୁମତି ଦିଆଯିବା ଉଚିତ୍ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି |

ସମ୍ବନ୍ଧିତ ଖବର