ଓଡ଼ିଶା ସମେତ ୫ ରାଜ୍ୟର ୭,୦୦୦ରୁ ଅଧିକ ଗ୍ରାମରେ ୪ଜି ମୋବାଇଲ୍‌ ସେବା ଯୋଗାଇବ କେନ୍ଦ୍ର

ନୂଆଦିଲ୍ଲୀ: ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ପ୍ରଭୃତି ୫ଟି ରାଜ୍ୟର ୭,୦୦୦ରୁ ଅଧିକ ଗ୍ରାମରେ ୪ଜି ମୋବାଇଲ୍‌ ସେବା ଯୋଗାଇଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ବୁଧବାର କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ଏହି ଯୋଜନାରେ ୬,୪୬୬ କୋଟି ଟଙ୍କା ଖଚ୍ଚ; ହେବ ବୋଲି ମନ୍ତ୍ରୀ ଶ୍ରୀ ଠାକୁର ସୂଚନା ଦେଇଛନ୍ତି।

ଏନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ଓଡିଶାର ୪୪ଟି ଜିଲ୍ଲାର ୭୦୦୦ରୁ ଅଧିକ ଗ୍ରାମରେ ମୋବାଇଲ ଟାୱାର ସଂଯୋଗ ଯୋଗାଇ ଦିଆଯିବା ସହ ୪ଜି ମୋବାଇଲ ସେବା ଯୋଗାଇଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପ୍ରକଳ୍ପ ବାବଦରେ ୬,୪୬୬ କୋଟି ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରକଳ୍ପ ଦ୍ୱାରା ଲୋକମାନେ ଇ-ଗଭର୍ଣ୍ଣାନ୍‌ସର ଲାଭକୁ ଉପଯୋଗ କରିବାରେ ସକ୍ଷମ ହେବେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଠାକୁର ସୂଚନା ଦେଇ କହିଛନ୍ତି ଯେ ଏହି ସମସ୍ତ ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା (ପିଏମଜିଏସୱାଇ) ଅଧୀନରେ ରାସ୍ତା ନିର୍ମାଣ କରାଯିବ। ଯାହା ସମଗ୍ର ଦେଶରେ ନକ୍ସଲ ଉଗ୍ରବାଦ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ବସବାସ କରୁଥିବା ସାଧାରଣ ଲୋକେ ଉପକୃତ ହୋଇପାରିବେ।
ମାଓ ଉଗ୍ରବାଦ ପ୍ରଭାବିତ ଅଞ୍ଚଳ ଏବଂ ଆଦିବାସୀ ଅଞ୍ଚଳଗୁଡିକର ଲୋକଙ୍କ ପାଇଁ ରାସ୍ତା ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ଏହି ପ୍ରକଳ୍ପରେ ମୋଟ ଖର୍ଚ୍ଚ ୩୩,୮୨୨ କୋଟି ହେବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର