ବିଚାରପତିଙ୍କ ନିଯୁକ୍ତି ରିପୋର୍ଟିଂକୁ ନେଇ ପ୍ରଧାନ ବିଚାରପତି ଅସନ୍ତୁଷ୍ଟ

‘ଗଣମାଧ୍ୟମ ନିଜ ଦାୟିତ୍ବ ପ୍ରତି ସଚେତନ ହୁଅନ୍ତୁ’

ନୂଆଦିଲ୍ଲୀ : ସୁପ୍ରିମ କୋର୍ଟରେ ନୂଆ ବିଚାରପତି ନିଯୁକ୍ତି ସମ୍ପର୍କିତ କଲେଜିୟମ ସୁପାରିସ ନେଇ ଗଣମାଧ୍ୟମ ରିପୋର୍ଟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌ ଭି ରମଣା। ସେ କହିଛନ୍ତି, କୌଣସି ଔପଚାରିକ ଘୋଷଣା ପୂର୍ବରୁ ନିଯୁକ୍ତି ଉପରେ ରିପୋର୍ଟ ପ୍ରକାଶ ପାଇବା ଉଚିତ ନୁହେଁ ଏବଂ ଏହା ବିଭ୍ରାନ୍ତି ମଧ୍ୟ ସୃଷ୍ଟି କରୁଛି। ଜଷ୍ଟିସ୍‌ ନବୀନ ସିହ୍ନାଙ୍କ ଅବସର ଗ୍ରହଣ ପରିପ୍ରେକ୍ଷୀରେ ପ୍ରଧାନ ବିଚାରପତି କହିଛନ୍ତି ଯେ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ପବିତ୍ର ଅଟେ। ଏଥିସହିତ କିଛି ଗରିମା ଜଡ଼ିତ ଅଛି। ଗଣମାଧ୍ୟମର ବନ୍ଧୁମାନେ ଏହି ପ୍ରକ୍ରିୟାର ପବିତ୍ରତାକୁ ବୁଝିବା ଉଚିତ। ଏ ବାବଦରେ ଭ୍ରମାତ୍ମକ ତଥା ଦାୟିତ୍ବହୀନ ରିପୋର୍ଟିଂ କାରଣରୁ ପ୍ରତିଭାସମ୍ପନ୍ନ ଯୋଗ୍ୟ ବ୍ୟକ୍ତିଙ୍କ କ୍ୟାରିୟରକୁ ଆଘାତ ପହଞ୍ଚୁଛି। ଏଭଳି ଅନେକ ଉଦାହରଣ ରହିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଏନେଇ ସେ ଅତ୍ୟନ୍ତ ଦୁଃଖିତ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏଭଳି ଗମ୍ଭୀର ମାମଲା ଉପରେ ଉପର ଠାଉରିଆ ଆକଳନ ନକରି ଗଣମାଧ୍ୟମ ପରିପକ୍ବତା ଦେଖାଇବା ଉଚିତ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ସମ୍ବନ୍ଧିତ ଖବର