ଚୀନ୍‌-ଆମେରିକା ପ୍ରଥମ ରଣନୀତିକ କଥାବାର୍ତ୍ତା

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନେତୃତ୍ବରେ ଚୀନ୍‌-ଆମେରିକା ମଧ୍ୟରେ ପ୍ରଥମ ରଣନୀତିକ କଥାବାର୍ତ୍ତା ହୋଇଛି। ଅନ୍ତର୍ଜାତୀୟ ସାମରିକ ସହାୟତା ପାଇଁ ଚୀନ୍‌ର ପିପୁଲ୍ସ ଲିବରେସନ ଆର୍ମି ଉପମହାନିର୍ଦ୍ଦେଶକ ମେଜର ଜେନେରାଲ ହୁଆଙ୍ଗ ଜୁଏପିଙ୍ଗ୍‌ ଗତ ସପ୍ତାହରେ ତାଙ୍କ ଆମେରିକା ପ୍ରତିପକ୍ଷଙ୍କ ସହ ଭିଡିଓ କନଫରେନ୍ସ ଦ୍ବାରା ଏକ ବୈଠକ କରିଥିଲେ। ବୈଠକରେ ଆଫଗାନ ସ୍ଥିତି ସଂକ୍ରାନ୍ତରେ ଆଲୋଚନା ‌ହୋଇଥିବା ଜଣାପଡ଼ିଛି। ତେବେ ଏହାକୁ ଆମେରିକା ପ୍ରଘଟ କରିନଥିବା ବେଳେ ଚୀନ୍‌ର ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବାଇଡେନ୍‌ କ୍ଷମତାକୁ ଆସିବାପରେ ଆମେରିକା ସହ ଏଭଳି ବୈଠକ ହେବା ପ୍ରଥମ। ଏହି ବୈଠକରେ ଚୀନ୍‌ ବିଦେଶ ମନ୍ତ୍ରୀ ୱାଙ୍ଗ୍‌ ଜି ଆଫଗାନ ପ୍ରସଙ୍ଗ ଉଠାଇଥିଲେ। କିନ୍ତୁ ତାଙ୍କ ଆମେରିକା ପ୍ରତିପକ୍ଷ ଉକ୍ତ ବିଷୟକୁ ଅଣଦେଖା କରିଥିବା ରିପୋର୍ଟରେ ଦର୍ଶାଯାଇଛି। ଚୀନ୍‌ ଏବଂ ଆମେରିକା ଯଦି ଆଫଗାନ ସ୍ଥିତି ସଂକ୍ରାନ୍ତରେ ଆଲାଚନା କରି କିଛି ମିଳିତ ପଦ‌କ୍ଷେପ ଗ୍ରହଣ କରିଥାନ୍ତେ ତେବେ ୨ ରାଷ୍ଟ୍ରକୁ ଏତେ କ୍ଷତି ସହିବାକୁ ପଡ଼ିନଥାନ୍ତା‌ ବୋଲି ରିପୋର୍ଟରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ୩ ମାସ ପୂର୍ବରୁ ଚୀନ୍‌ ଏହାର ପ୍ରାୟ ସମସ୍ତ ନାଗରିକଙ୍କୁ ଆଫଗାନିସ୍ତାନରୁ ଖାଲି କରିଛି।

ସମ୍ବନ୍ଧିତ ଖବର