ଆଜି ଖୁଦୁରୁକୁଣୀ: ରାଜଧାନୀ ଅପେକ୍ଷା ଉପକଣ୍ଠରେ ଉତ୍ସାହ ବେଶି

ଭୁବନେଶ୍ବର: ରାତି ପାହିଲେ ଭାଦ୍ରବ ରବିବାର ତଥା ଓଡ଼ିଆ ପାରମ୍ପରିକ ଓଷା ଖୁଦୁରୁକୁଣୀର ପ୍ରଥମ ପାଳି। କରୋନା ସଂକ୍ରମଣ କମି ଆସିଥିବାରୁ ଓଷା ପାଳନ ପାଇଁ କୁଆଁରି ଝିଅମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। କିନ୍ତୁ ରାଜଧାନୀରେ ସପ୍ତାହାନ୍ତ ସଟ୍‌ଡାଉନ୍‌ କଟକଣା ଜାରି ରହିଥିବାରୁ ଉପକଣ୍ଠ ଗାଁ ଗଣ୍ଡା‌ ଅପେକ୍ଷା କମ୍‌ ଆଗ୍ରହ ଦେଖିବାକୁ ମିଳିଛି। ଆଜି ସହର ଉପକଣ୍ଠ ବାଲିଅନ୍ତା, ବାଲିପାଟଣା, ଯାଁଳା ଆଦି ସ୍ଥାନରେ ମା’ ଖୁଦୁରୁକୁଣୀଙ୍କ ମୂର୍ତ୍ତି ଦୋକାନ ଓ ଫଳ ଦୋକାନରେ ଭିଡ଼ ପରିଲକ୍ଷିତ ହୋଇଥିଲା। କିନ୍ତୁ ରାଜଧାନୀରେ ବିଭିନ୍ନ ସ୍ଥାନରେ ଲୁଚାଛପାରେ ମା’ଙ୍କ ମୂର୍ତ୍ତି ବିକ୍ରି ହୋଇଥିଲା। ତେଣୁ ତାହା ଆଶାନୁରୂପକ ନଥିଲା। ରାଜଧାନୀ ବଜାର‌ରେ ଯେପରି ଭିଡ଼ ଲାଗିବା କଥା, ଏବର୍ଷ ତାହା ଦେଖିବାକୁ ମିଳି ନଥିଲା। ମୂର୍ତ୍ତି ଓ ଅନ୍ୟ ପୂଜା ସାମଗ୍ରୀ ବଜାର ମଧ୍ୟ ମାନ୍ଦା ପଡ଼ିଥିଲା। ତମାଣ୍ଡୋର ମୂର୍ତ୍ତି ବିକ୍ରେତା ରଂଜନ ବିଶ୍ବାଳ କହିଛନ୍ତି, ମହାମାରୀ କାରଣରୁ ମୂର୍ତ୍ତି କାରିଗରମାନେ ଅନେକ କ୍ଷତି ସହିଥିଲେ। ମାଟି ମୂଲ୍ୟ ମଧ୍ୟ ବଢ଼ି ଯାଇଥିବାରୁ ମୂର୍ତ୍ତିର ମୂଲ୍ୟ ୨/୩ଗୁଣ ଅଧିକ ରହିଛି। ତାଙ୍କ ପାଖରେ ୧୦୦ ଟଙ୍କାରୁ ଆରମ୍ଭ କରି ୧୫୦୦ଟଙ୍କା ପର୍ଯ୍ୟନ୍ତ ମୂର୍ତ୍ତି ରହିଛି। କିନ୍ତୁ ଏ ବର୍ଷ ଭଲ ବେପାର ହୋଇନାହିଁ। କରୋନା ଓ କଟକଣା ଭୟରେ ଏବର୍ଷ ଅନେକ ଝିଅ ଖୁଦୁରୁକୁଣୀ ପୂଜା ନିରାଡ଼ମ୍ବର ସହକାରେ କରୁଛନ୍ତି। ତେଣୁ ଏଥରକ ମୂର୍ତ୍ତି ବେପାର ଭଲ ହୋଇନାହିଁ ବୋଲି ସେ କହିଛନ୍ତି।

କିଂବଦନ୍ତି କହେ, ପୁରାତନ ଯୁଗରେ ସାତ ଜଣ ସାଧବ ପୁଅ ବୋଇତ ନେଇ ଦରିଆପାରି ଦୂରଦେଶକୁ ବଣିଜ କରିବା ନିମନ୍ତେ ଯାଇଥିଲେ। ଘରେ ସେମାନଙ୍କ ସ୍ତ୍ରୀ ଓ ଗୋଟିଏ ମାତ୍ର ଅଲିଅଳ ଭଉଣୀ ତଅପୋଇ ଥିଲେ। ଭାଉଜ-ନଣନ୍ଦଙ୍କ ମଧ୍ୟରେ ଭଲ ସଂପର୍କ ଥିଲେ ହେଁ ପର କଥାରେ ପଡ଼ି ଭାଉଜମାନେ ତଅପୋଇକୁ ଅକଥନୀୟ ନିର୍ଯାତନା ଦେଇ ଘରୁ ତଡ଼ି ଦେଇଥିଲେ। ତଅପୋଇ ଜଙ୍ଗଲ ଭିତରେ ବୁଲି ବୁଲି ଭାଇମାନଙ୍କ ଶୁଭ ମନାସି ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା କରିଥିଲେ। ତା’ ପୂଜାର୍ଚ୍ଚନାରେ ସନ୍ତୁଷ୍ଟ ହୋଇ ମା’ ମଙ୍ଗଳା ତା’କୁ ଆଶୀର୍ବାଦ କଲେ ଓ ତଅପୋଇ ନିଜ ସାତ ଭାଇଙ୍କୁ ଫେରିପାଇଥିଲେ। ଏହି କିଂବଦନ୍ତିରୁ ଖୁଦୁରୁକୁଣି ଓଷାର ଜନ୍ମ ବୋଲି କୁହାଯାଏ। ଏହା ଭାଲୁକୁଣି ଓ ଢିଙ୍କି ଓଷା ନାମରେ ମଧ୍ୟ ପରିଚିତ।

ସମ୍ବନ୍ଧିତ ଖବର