ଯୁଦ୍ଧ ଟେକନଲୋଜିରେ ଚୀନର ଅଗ୍ରଗତି ଭାରତର ଚିନ୍ତା ବଢାଉଛି; ଭାରତର ପ୍ରତିରକ୍ଷା ବଜେଟ୍ ବହୁତ କମ୍

ନୂଆଦିଲ୍ଲୀ : ବିଗତ ବହୁ ଦଶନ୍ଧି ଧରି ଆମେରିକାର ପ୍ରତିରକ୍ଷା ବାହିନୀ ବିଶ୍ୱର ସବୁଠୁ ଶକ୍ତିଶାଳୀ ସେନାର ମାନ୍ୟତା ପାଇଆସିଛି । ଏବେ ମଧ୍ୟ ଆମେରିକା ସାରା ବିଶ୍ୱରେ ଆଧିପତ୍ୟ ବିସ୍ତାର କରୁଛି । ଆମେରିକାର ଏହି ସଫଳତା ପଛରେ ରହିଛି ଅତ୍ୟାଧୁନିକ ଟେକନଲୋଜି । ଏ କ୍ଷେତ୍ରରେ ଆମେରିକାର ଆଧିପତ୍ୟ ରହିଆସିଛି । ଶୀତଳ ଯୁଦ୍ଧ ସମୟରେ ଆମେରିକାକୁ କଡା ଟକର ଦେଉଥିଲା ସୋଭିଏତ ଋଷ । କିନ୍ତୁ ନବେ ଦଶକ ପ୍ରାରମ୍ଭରେ ସୋଭିଏତ ଋଷର ପତନ ପରେ ଆମେରିକା ବିଶ୍ୱର ଏକମାତ୍ର ସୁପରପାଓ୍ଵାରର ମାନ୍ୟତା ପାଇଲା ।

କିନ୍ତୁ ଧୀରେ ଧୀରେ ଆମେରିକାକୁ ଚ୍ୟାଲେଞ୍ଜ ଦେବାପାଇଁ ଚୀନ ଆଗେଇ ଆସିଲାଣି । ଆମେରିକା ଶକ୍ତିଶାଳୀ ହେବାରେ ମୁଖ୍ୟ କାରଣ ହେଉଛି ତାହାର କ୍ଷେପଣାସ୍ତ୍ର ଓ ଲଢୁଆ ବିମାନ ପ୍ରଯୁକ୍ତି । ଏ କ୍ଷେତ୍ରରେ ମଧ୍ୟ ଚୀନ ଆମେରିକାକୁ ଟକ୍କର ଦେଉଛି । କିଛି ଦିନ ତଳେ ଚୀନ ସେନାରେ ସାମିଲ କରିଥିବା ପିଏଲ-୧୫ କ୍ଷେପଣାସ୍ତ୍ରର ରେଞ୍ଜ ଆମେରିକାର ସମାନ ଧରଣର କ୍ଷେପଣାସ୍ତ୍ରଠାରୁ ଅଧିକ ରହିଛି । କେବଳ ଏତିକିରେ ଚୀନ ଅଟକି ଯାଇ ନାହିଁ, ଚୀନ ଆଗାମୀ ଦିନର ଟେକନଲୋଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ରୋବୋଟିକ୍ସକୁ ପ୍ରତିରକ୍ଷା କ୍ଷେତ୍ରରେ ପ୍ରୟୋଗ କରିବା ଆରମ୍ଭ କଲାଣି ।

ଏ ପରିପ୍ରେକ୍ଷୀରେ ଭାରତୀୟ ପ୍ରତିରକ୍ଷା ବାହିନୀ ପାଇଁ ଭବିଷ୍ୟତର ଆହ୍ଵାନ ବଢିବାରେ ଲାଗିଛି । ଭାରତର ପ୍ରତିରକ୍ଷା ବଜେଟ ଏବେ ମାତ୍ର ୬୫ ବିଲିୟନ ଡଲାର ଥିବାବେଳେ ଚୀନର ପ୍ରତିରକ୍ଷା ବଜେଟ ୨୨୮ ବିଲିୟନ ଓ ଆମେରିକାର ୬୧୦ ବିଲିୟନ ଡଲାର ରହିଛି । ଭାରତ ପାଇଁ ଆଉ ଏକ ଚିନ୍ତାର ବିଷୟ ହେଲା ଚୀନ ଓ ଋଷିଆ ଏବେ ପାକିସ୍ତାନକୁ ଅତ୍ୟାଧୁନିକ ଟେକନଲୋଜି ପ୍ରଦାନ କରୁଛନ୍ତି । ଏସବୁ ଦୃଷ୍ଟିରେ ରଖି ଭାରତ ନିଜର ପ୍ରତିରକ୍ଷା ବଜେଟ ଓ ଗବେଷଣା କ୍ଷେତ୍ରରେ ଅଧିକ ଯୋଜନାବଦ୍ଧ ଭାବେ ଅଗ୍ରଗତି କରିବା ଆବଶ୍ୟକ ।

ସମ୍ବନ୍ଧିତ ଖବର