ଥରୁରଙ୍କ ‘ହିନ୍ଦୁ ପାକିସ୍ତାନ’ ଝଡ଼ କଂଗ୍ରେସ-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶୀ ଥରୁରଙ୍କ ‘ହିନ୍ଦୁ ପାକିସ୍ତାନ’ ବୟାନକୁ ନେଇ ଆଜି କଂଗ୍ରେସ ଓ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଏମିତି କି ଥରୁର ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି। ୨୦୧୯ ନିର୍ବାଚନରେ ବିଜେପି ବିଜୟ ଲାଭ କଲେ ଭାରତ ‘ହିନ୍ଦୁ ପାକିସ୍ତାନ’ ହୋଇଯିବ ଏବଂ ଏଠାରେ ପରିସ୍ଥିତି ଏଭଳି ହେବ ଯେ କେହି ଏହାକୁ ହିନ୍ଦୁ ପାକିସ୍ତାନ ବୋଲି କହିବେ ବୋଲି ଥରୁର କହିଥିଲେ। ସେ ଆହୁରି କହିଥିଲେ, ବିଜେପି ଦେଶ ପାଇଁ ଏକ ନୂଆ ସମ୍ବିଧାନ ବି ତିଆରି କରିଦେବ। ଏହି ସମ୍ବିଧାନ ମାଧ୍ୟମରେ ଦଳ ଭାରତକୁ ପାକିସ୍ତାନ ଭଳି ରାଷ୍ଟ୍ରରେ ପରିଣତ କରିଦେବ, ଫଳରେ ସଂଖ୍ୟାଲଘୁଙ୍କ ସ୍ୱାଧୀନତା ଉପରେ ହାନି ପହଞ୍ଚିବ। ଥରୁରଙ୍କ ଏଭଳି ମନ୍ତବ୍ୟ ପରେ ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ୍‌ ସ୍ୱାମୀ ତାଙ୍କୁ କଡ଼ା ଭର୍ତ୍ସନା କରି କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଥରୁରଙ୍କର ମାନସିକ ସ୍ୱାସ୍ଥ୍ୟ ଠିକ୍‌ ନ ଥିବା ମନେ ହେଉଛି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଗୁରୁତ୍ୱର ସହ ନେଇ ତାଙ୍କର ଡାକ୍ତରୀ ପରୀକ୍ଷା କରାଇନେବା ଆବଶ୍ୟକ। ଆବଶ୍ୟକ ପଡ଼ିଲେ ତାଙ୍କୁ ମେଣ୍ଟାଲ ହସ୍ପିଟାଲକୁ ପଠାଇ ଦିଅନ୍ତୁ। ମୁଁ ଭାବୁଛି ସେ କୌଣସି ଔଷଧର ଓଭରଡୋଜ୍‌ ନେଇଛନ୍ତି। ଫଳରେ ତାଙ୍କର ମାନସିକ ଅବସ୍ଥା ବଦଳିଯାଇଛି। ସ୍ୱାମୀ କହିଛନ୍ତି, ଥରୁର କ’ଣ ପାକିସ୍ତାନ ବିରୋଧୀ? ଅନେକ ଥର ପାକିସ୍ତାନକୁ ଖୁସି କଲା ଭଳି ମନ୍ତବ୍ୟ ତାଙ୍କ ମୁହଁରୁ ଶୁଣିବାକୁ ମିଳିଛି। ଏମିତି କି କ୍ଷମତାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହଟାଇବା ପାଇଁ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡ଼ିଥିଲେ। ତାଙ୍କର ପାକିସ୍ତାନୀ ବାନ୍ଧବୀ ବି ଅଛନ୍ତି, ଯେଉଁମାନେ ହେଉଛନ୍ତି ଆଇଏସ୍‌ଆଇର ଲୋକ। କିନ୍ତୁ ତାଙ୍କ ମୁହଁରୁ ଏଭଳି ମନ୍ତବ୍ୟ କାହିଁକି ବାହାରୁଛି। ଯଦି ତାଙ୍କୁ ଏବେ ପାକିସ୍ତାନ ପଠାଇ ଦିଆଯାଆନ୍ତା, ତେବେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି।

ଥରୁର କ୍ଷମା ପ୍ରାର୍ଥନା କରନ୍ତୁ: ବିଜେପି
ପାକିସ୍ତାନ ପଠାଇଦେବା ଉଚିତ: ସ୍ୱାମୀ
ଥରୁରଙ୍କୁ କଂଗ୍ରେସର ତାଗିଦ୍‌

ଅନ୍ୟପକ୍ଷରେ ଏଭଳି ବୟାନବାଜି ପାଇଁ କଂଗ୍ରେସ ଥରୁରଙ୍କୁ ତାଗିଦ୍‌ କରିଛି। କିଛି କହିବା ପୂର୍ବରୁ ଭଲ ଭାବେ ଚିନ୍ତା କରିବା ପାଇଁ ଦଳ କହିଛି। କଂଗ୍ରେସ ନେତା ରଣଦୀପ ସିଂହ ସୁର୍ଜେଓ୍ଵାଲା ଟ୍ଵିଟ୍‌ କରି କହିଛନ୍ତି, ବିଜେପି କ୍ଷମତାକୁ ଆସିବା ପରେ ଭାରତରେ ଭିନ୍ନ ବାତାବରଣ ସୃଷ୍ଟି ହୋଇଛି। ୪ ବର୍ଷ ଧରି ଦେଶରେ ବିଭାଜନ, ଘୃଣା, ଅସହିଷ୍ଣୁତା ଆଦି ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ କଂଗ୍ରେସ ଏକତା, ଅଖଣ୍ଡତା, ଦୟା, ନିରପେକ୍ଷତା ଭଳି ମୂଲ୍ୟବୋଧକୁ ଆଖିରେ ରଖି କାର୍ଯ୍ୟ କରୁଛି। ତେଣୁ କୌଣସି ମନ୍ତବ୍ୟ ଦେବା ପୂର୍ବରୁ ଦଳର ମର୍ଯ୍ୟାଦା କଥା ଚିନ୍ତା କରିବାକୁ ସେ କହିଛନ୍ତି। ବିଜେପି ମୁଖପାତ୍ର ସମ୍ବିତ୍‌ ପାତ୍ର ଏ ନେଇ ଥରୁରଙ୍କୁ ସମାଲୋଚନା କରି କହିଛନ୍ତି, କଂଗ୍ରେସ ଯୋଗୁ ପାକିସ୍ତାନ ସୃଷ୍ଟି ହୋଇଛି। ଦଳ ଭାରତରେ ହିନ୍ଦୁମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିବା ସହ ସେମାନଙ୍କୁ ବାରମ୍ବାର ନୀଚା ଦେଖାଇବାକୁ ଚେଷ୍ଟା କରିଛି। ବିଜେପି ନେତା ରାଜ୍ୟବର୍ଦ୍ଧନ ସିଂହ ରାଠୋର ମଧ୍ୟ ଥରୁରଙ୍କୁ ଭର୍ତ୍ସନା କରି କହିଛନ୍ତି, ଦଳ ହାତରୁ କ୍ଷମତା ପଳାଇଥିବା ବେଳେ ଆଗକୁ ଆସିବ କି ନାହିଁ ତା’ର ଗ୍ୟାରେଣ୍ଟି ନାହିଁ। ତେଣୁ ଏହି ଆଶଙ୍କାର ଥରୁର ଶିକାର ହୋଇ ଏଭଳି ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର