ଦାଗୀ ନେତାଙ୍କ ରାଜନୈତିକ କାର୍ଯ୍ୟକ୍ରମକୁ ରୋକି ହେବନି

ସୁପ୍ରିମ କୋର୍ଟଙ୍କୁ କେନ୍ଦ୍ରର ଜବାବ

ନୂଆଦିଲ୍ଲୀ: ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତିବିଶେଷଙ୍କୁ ରାଜନୈତିକ ଦଳ ଗଢ଼ିବା କିମ୍ବା କୌଣସି ରାଜନୈତିକ ପଦବୀରେ ଅଧିଷ୍ଠତ ହେବାକୁ ରୋକାଯାଇ ପାରିବ ନାହିଁ। ଆଜି ସୁପ୍ରିମକୋର୍ଟରେ ଏହି ସଂକ୍ରାନ୍ତ ଏକ ଆବେଦନ ଉପରେ ଜବାବ୍‌ ଦେଇ କେନ୍ଦ୍ର ସରକାର ଏଭଳି ଆଭିମୁଖ୍ୟ ପୋଷଣ କରିଛନ୍ତି। ରାଜନୀତିରେ ଅପରାଧୀକରଣ ରୋକିବା ଯଦିଓ ଆବଶ୍ୟକତା ରହିଛି ତଥାପି ଏଭଳି ବ୍ୟବସ୍ଥା ଲାଗୁ କରିବା ପାଇଁ ସୁପ୍ରିମକୋର୍ଟ ବାଧ୍ୟ କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହା ବ୍ୟତୀତ, ଅପରାଧିକ ମାମଲା ଥିବା ବ୍ୟକ୍ତି ନିର୍ବାଚନ ଲଢି ପାରିବେ ନାହିଁ କିମ୍ବା ଦଳ ଗଠନ ନ କରିପାରିବା ଭଳି କୌଣସି ଆଇନ ଭାରତୀୟ ସମ୍ବିଧାନରେ ନାହିଁ। ଏହାଛଡ଼ା ଜନପ୍ରତିନିଧି ଆଇନ୍‌ ମୁତାବକ, ନିର୍ବାଚନ କମିସନ ମଧ୍ୟ କୌଣସି ରାଜନୈତିକ ଦଳଙ୍କ ପଞ୍ଜିକରଣ ରଦ୍ଦ କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ଅପରାଧିକ ମାମଲା ଥିବା ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ରାଜନୀତିରୁ ଦୂରେଇ ରଖିବାକୁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ସୁପ୍ରିମକୋର୍ଟରେ ବିଜେପି ନେତା ଅଶ୍ୱିନୀ କୁମାର ଉପାଧ୍ୟାୟ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ଏହି ଆବେଦନ ଉପରେ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଥିଲେ।

ସମ୍ବନ୍ଧିତ ଖବର