ଆମକୁ ନେଇ ଭୋଟ ବ୍ୟାଙ୍କ ରାଜନୀତି କରନି : ବ୍ରିଟେନକୁ ଚେତାଇଲା ଭାରତ

କୃଷି ଆଇନ ସମ୍ପର୍କରେ ବ୍ରିଟିଶ ସଂସଦରେ ବିତର୍କ, ତୀବ୍ର ବିରୋଧ କଲା ଭାରତ

ନୂଆଦିଲ୍ଲୀ : ନୂଆ କୃଷି ଆଇନ ସମ୍ପର୍କରେ ବ୍ରିଟିଶ ସଂସଦରେ ବିତର୍କ ହେବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ନୂଆଦିଲ୍ଲୀ । ଏହି ପ୍ରସଙ୍ଗରେ ନୂଆଦିଲ୍ଲୀରେ ଅବସ୍ଥାପିତ ବ୍ରିଟିଶ ଉଚ୍ଚାୟୁକ୍ତଙ୍କୁ ଡକାଇ ଭାରତର ଅସନ୍ତୋଷକୁ ଜଣାଇଦେଇଛନ୍ତି ବୈଦେଶିକ ସଚିବ ହର୍ଷ ସିଂଗଲା ।
ଏକ ବୟାନ ଜାରି କରି ଭାରତର ବୈଦେଶିକ ମନ୍ତ୍ରାଳୟପକ୍ଷରୁ କୁହାଯାଇଛି ଯେ ଅନ୍ୟ ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ଏହା ଏକ ଅଯଥା ହସ୍ତକ୍ଷେପ । ବ୍ରିଟିଶ ସାଂସଦମାନେ ଅନ୍ୟ ଏକ ରାଷ୍ଟ୍ର ସମ୍ପର୍କିତ ତଥ୍ୟକୁ ବିଭ୍ରାନ୍ତ କରି ଭୋଟ ବ୍ୟାଙ୍କ ରାଜନୀତି ନ କରନ୍ତୁ ବୋଲି ଭାରତ କହିଛି ।

ଏହି ବୟାନରେ ଭାରତ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ବ୍ରିଟିଶ ଗଣମାଧ୍ୟମ ସହ ସବୁ ବିଦେଶୀ ଗଣମାଧ୍ୟମ ରିପୋର୍ଟିଂ କରିଛନ୍ତି । ଏଣୁ ଭାରତରେ ଗଣମାଧ୍ୟମର ସ୍ବାଧୀନତା ନ ଥିବାର ପ୍ରଶ୍ନ ଉଠୁନାହିଁ ।

ବ୍ରିଟିଶ ସଂସଦରେ ହୋଇଥିବା ଭାରତର କୃଷି ସଂସ୍କାର ସମ୍ପର୍କିତ ବିତର୍କରେ ଲେବର ପାର୍ଟି ସମେତ କଂଜରଭେଟିଭ ପାର୍ଟିର ସାଂସଦମାନେ ଭାଗ ନେଇଥିଲେ । ଭାରତ ପକ୍ଷରୁ କୁହାଯାଇଛି ଯେ କୌଣସି ଦେଶର ସଂସଦରେ କଣ ଆଲୋଚନା ହେଲା ସେ ସମ୍ପର୍କରେ ଭାରତ ସରକାର କେବେ ବି ନିଜର ମନ୍ତବ୍ୟ ଦିଅନ୍ତି ନାହିଁ । କିନ୍ତୁ ଯେତେବେଳେ ଉକ୍ତ ଆଲୋଚନାରେ ଭାରତ ସମ୍ପର୍କରେ ପ୍ରଶ୍ନ ଉଠାଯାଏ, ସେତେବେଳେ ସ୍ଥିତି ସ୍ପଷ୍ଟ କରିବାର ଆବଶ୍ୟକତା ପଡ଼ିଥାଏ ।

ସମ୍ବନ୍ଧିତ ଖବର