ଦିଲ୍ଲୀ-ମୁମ୍ବାଇ-କୋଲକାତାରେ ତୃତୀୟ ଲହର ଶୀର୍ଷ ଛୁଇଁ ସାରିଛି: ଆଇଆଇଟି ପ୍ରଫେସର

ଚଳିତ ମାସ ଶେଷ ସପ୍ତାହରେ ବିଭିନ୍ନ ରାଜ୍ୟରେ ଶୀର୍ଷ ଛୁଇଁବ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ନୂଆ ପ୍ରଜାତି ଓମିକ୍ରନ୍‌ କାରଣରୁ ଦେଶବ୍ୟାପୀ ଦ୍ରୁତ ସଂକ୍ରମଣ ଜାରି ରହିଥିବା ବେଳେ ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ ତୃତୀୟ ଲହର ଶୀର୍ଷ ଛୁଇଁ ସାରିଛି ବୋଲି ଆଇଆଇଟି କାନପୁର ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲ କହିଛନ୍ତି। ଚଳିତ ମାସ ଶେଷରେ ଗୁଜରାଟ, ମହାରାଷ୍ଟ୍ର, ହରିୟାଣା ସମେତ ଦେଶର ବିଭିନ୍ନ ରାଜ୍ୟରେ ଏହା ଶୀର୍ଷ ଛୁଇଁବ ବୋଲି ପ୍ରଫେସର ଅଗ୍ରୱାଲ ମତ ରଖିଛନ୍ତି।

ଏଏନ୍‌ଆଇକୁ ଏକ ସାକ୍ଷାତକାରରେ ସେ କହିଛନ୍ତି, ଜାନୁଆରି ଶେଷ ସୁଦ୍ଧା ଦେଶରେ ତୃତୀୟ ଲହର ଶୀର୍ଷ ଅତିକ୍ରମ କରିଯିବ। ତାଙ୍କ ଦ୍ବାରା ବିକଶିତ ଏକ ଗାଣିତିକ ମଡେଲ ଆଧାରରେ ପ୍ରଫେସଲ ଅଗ୍ରୱାଲ ଏଭଳି ଆକଳନ କରିଛନ୍ତି। ଅଧିକାଂଶ ଲୋକଙ୍କଠାରେ କରୋନାର ନୂଆ ପ୍ରଜାତି ମୁକାବିଲା କରିବା ପାଇଁ ରୋଗପ୍ରତିରୋଧକତା ରହିଛି ଏବଂ ଏଥିଯୋଗୁଁ ତୃତୀୟ ଲହର କୌଣସି ବଡ଼ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ ନାହିଁ। ଅଧିକାଂଶ ସଂକ୍ରମିତଙ୍କ କ୍ଷେତ୍ରରେ ଲକ୍ଷଣ ସାମାନ୍ୟ ରହୁଥିବା ବେଳେ ସାଧାରଣ ଉପଚାରରେ ଏହା ଠିକ୍‌ ହୋଇଯାଉଛି। ଆଗାମୀ ସପ୍ତାହରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ତାମିଲନାଡ଼ୁରେ ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ପ୍ରଫେସର ଅଗ୍ରୱାଲ ଆକଳନ କରିଛନ୍ତି। ହରିୟାଣା‌ରେ ୨୦ ଜାନୁଆରି, ଆସାମରେ ୨୬ ଜାନୁଆରି ଏବଂ କର୍ଣ୍ଣାଟକରେ ୨୩ ଜାନୁଆରିରେ ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ସେ ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର