ଗୋଟିଏ ଘରକୁ ଏକାଧିକ ବ୍ୟକ୍ତିଙ୍କୁ ବିକ୍ରୟ କରିବାକୁ କହି ୧୦୦୦ କୋଟି ଟଙ୍କା ହଡପ୍‌ କରିଥିବା ଠକ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ମହାରାଷ୍ଟ୍ରର ନାସିକର ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ସଂପୃକ୍ତ ଅଭିଯୁକ୍ତ ବ୍ୟକ୍ତି ଜଣକ ନୋଏଡାରେ ଫ୍ଲାଟ ବିକ୍ରି କରିବା ବାହାନାରେ ଏକାଧିକ ବ୍ୟକ୍ତିଙ୍କ ଠାରୁ ପ୍ରାୟ ୧,୦୦୦ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା। ଏ ସଂପର୍କରେ ସୂଚନା ଦେଇ ଦିଲ୍ଲୀ ପୁଲିସ୍‌ର ଅଧିକାରୀମାନେ ଶୁକ୍ରବାର ଦିନ କହିଛନ୍ତି ଯେ ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶ ନୋଏଡାର ବାସିନ୍ଦା ପୀୟୂଷ ତିୱାରୀ ଓରଫ ପୁନୀତ ଭରଦ୍ୱାଜ ବୋଲି ଜଣାପଡିଛି।
ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ଘଟିଥିବା ୩୦ରୁ ଅଧିକ ଠକେଇ ମାମଲାରେ ତାଙ୍କୁ ପୁଲିସ୍‌ ଖୋଜୁଥିଲା।

ଅଭିଯୁକ୍ତ ସଂପର୍କରେ ସୂଚନା ପାଇଁ ପୁଲିସ ୫୦,୦୦୦ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରଥିଲା। ଏହି କ୍ରମରେ ଅଭିଯୁକ୍ତ ତିୱାରୀ ନାସିକରେ ରହୁଥିବା ପୁଲିସକୁ ଏକ ସୂଚନା ମିଳିଥିଲା। ପରେ ପୁଲିସ୍‌ ତାକୁ ପିଛା କରିବା ଆରମ୍ଭ କରିଥିଲ। ଏବଂ ମଙ୍ଗଳବାର ଦିନ ତାକୁ ଗିରଫ କରିଥିଲା ବୋଲି ଡେପୁଟି କମିଶନର ଅଫ୍‌ ପୁଲିସ (ଉତ୍ତର) ସାଗର ସିଂ କାଲସି କହିଛନ୍ତି।

ପଚରାଉଚରା ସମୟରେ ଅଭିଯୁକ୍ତ ତିୱାରୀ ସ୍ୱୀକାର କରିଥିଲା ଯେ ସେ ୨୦୧୧ରେ ବିଲଡର ଭାବରେ ନିଜର ବ୍ୟବସାୟ ଆରମ୍ଭ କରିଥିଲ। ସେ ୨୦୧୮ ପର୍ଯ୍ୟନ୍ତ ୧୫-୨୦ ସେଲ୍‌ କମ୍ପାନି ସହିତ ପ୍ରାୟ ଆଠଟି କମ୍ପାନି ପ୍ରତିଷ୍ଠା କରିଥିଲା। ୨୦୧୬ରେ ଆୟକର ବିଭାଗ ତା’ ଘରେ ଚଢାଉ କରି ପ୍ରାୟ ୧୨୦ କୋଟି ଟଙ୍କା ଜବତ କରିଥିଲା ବୋଲି ପୁଲିସ କହିଛି।

ସେ ଏକାଧିକ କ୍ରେତାଙ୍କୁ ଗୋଟିଏ ଫ୍ଲାଟ୍‌ ବିକ୍ରି କରିଥିଲା ଏବଂ ସେମାନଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲା। ତା ବିରୋଧରେ ଅନେକ ମାମଲା ରୁଜୁ ହେବାପରେ ସେ ନାସିକକୁ ପଳାୟନ କରିଥିଲା ବୋଲି ପୁଲିସ କହିଛି। ତିୱାରୀ ପ୍ରଥମେ ଦିଲ୍ଲୀ-ଏନସିଆରରେ ଏକ ବିଜ୍ଞାପନ ଏଜେନ୍‌ସି ଆରମ୍ଭ କରିଥିଲା। ପରେ, ସେ ଏଜେନ୍‌ସି ବିକ୍ରି କରି ନୋଏଡାରେ ଫ୍ଲାଟ୍‌ ନିର୍ମାଣରେ ଟଙ୍କା ବିନିଯୋଗ କରିଥିଲା। ତା’ ପତ୍ନୀ ମଧ୍ୟ ଏକାଧିକ ଠକେଇ ମାମଲାରେ ଜଡିତ ଥିଲା ଏବଂ ବର୍ତ୍ତମାନ ଜେଲରେ ଅଛି ବୋଲି ପୁଲିସ୍‌ କହିଛି।

ସମ୍ବନ୍ଧିତ ଖବର