ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ୫୦-୫୦ ଫର୍ମୂଲାକୁ ପ୍ରତ୍ୟାଖାନ କଲେ ଦେବେନ୍ଦ୍ର ଫଡ୍ନାବିସ୍; କହିଲେ, ‘୫ ବର୍ଷ ପାଇଁ ମୁଁ ହିଁ ମୁଖ୍ୟମନ୍ତ୍ରୀ ରହିବି’…
ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟ ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଆସନ ଓ ୫୦-୫୦ ଫର୍ମୂଲାରେ ସରକାର ଗଠନ ଦାବିରେ ବିଜେପି ଓ ତାହାର ସହଯୋଗୀ ଶିବସେନା ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ; କିମ୍ବା ସରକାର ଗଠନ ପାଇଁ ସମାଧାନର କୌଣସି ରାସ୍ତା ବାହାରି ପାରୁନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଏପରିସ୍ଥିତିରେ ମହାରାଷ୍ଟ୍ରର ବିଜେପି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାବିସ୍ ଆଜି ସ୍ପଷ୍ଟ କରିଦେଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ପଦବୀକୁ ପାଳିରେ ଭଙ୍ଗାଯାଇ ପାରିବ ନାହିଁ। ମୁଁ ପୁଣି ପାଞ୍ଚ ବର୍ଷ ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିବି। ନିର୍ବାଚନ ପୂର୍ବରୁ ଶିବସେନା ସହିତ ଆସନ ବୁଝାମଣା ବେଳେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଯେଉଁ ଆଲୋଚନା କରିଥିଲେ ସେଥିରେ ୫୦-୫୦ ଫର୍ମୂଲାରେ ସରକାର ଗଠନ ଓ ଉଭୟ ଦଳ ଦୁଇପାଳିରେ ଅଢ଼େଇ ଅଢ଼େଇ ବର୍ଷ କରି ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ କୌଣସି ସର୍ତ୍ତ ନଥିଲା।
ନିର୍ବାଚନ ପରେ ସରକାର ଗଠନ ପୂର୍ବରୁ ଶିବସେନା ପକ୍ଷରୁ ଯେଉଁସବୁ ଦାବି ଉପସ୍ଥାପନ କରାଯାଉଛି ସେସବୁ ସଂପୂର୍ଣ୍ଣ ଅମୂଳକ ଏବଂ ଆଧାରହୀନ। ଏସଂପର୍କରେ ଶିବସେନା କ୍ଷମତା ମୋହରେ ନିଜର ମୁଖପତ୍ର ‘ସାମନା’ରେ ବିଜେପିକୁ ସାଧାରଣରେ ଅପମାନିତ ଓ ନିନ୍ଦିତ କରିବାକୁ ଯେଉଁ ଅପଚେଷ୍ଟା ଆରମ୍ଭ କରିଛି, ତାହାକୁ ମଧ୍ୟ ବିଜେପି ବରଦାସ୍ତ କରିବ ନାହିଁ। ଶିବସେନାର ମୁଖପତ୍ର ‘ସାମନା’ରେ ବିଜେପି ବିରୋଧରେ ଚାଲିଥିବା ଅପପ୍ରଚାର ବନ୍ଦ ନହେବା ପର୍ଯ୍ୟନ୍ତ ବିଜେପି ଶିବସେନା ସହ କୌଣସି ପ୍ରକାରର ଆଳୋଚନା କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ଫଡ୍ନାବିସ୍।