କଂଗ୍ରେସ ଇତିହାସରେ ପ୍ରଥମ: ମୋବାଇଲ ଓଟିପିରେ ଯୋଡ଼ିହେଲେ ଅଢେଇକୋଟି କର୍ମୀ

ନୂଆଦିଲ୍ଲୀ: ପୁଣି କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ଆରମ୍ଭ କରିଛି ମାଷ୍ଟର ପ୍ଲାନ | ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ଆଲୋଚନା ସହ ଅଧିକ ସଂଖ୍ୟାରେ କିଭଳି କର୍ମୀ ସାମିଲ ହୋଇପାରିବେ ସେନେଇ ଗୁରୁତ୍ୱ ଦେଉଛି ଏହି ଦଳ | ଆଉ ଏହି ପରିପ୍ରେକ୍ଷୀରେ କଂଗ୍ରେସ ଏବେ ୨.୬ କୋଟିରୁ ଅଧିକ ସଦସ୍ୟଙ୍କୁ ଡିଜିଟାଲ୍ ଢଙ୍ଗରେ ଦଳରେ ସାମିଲ କରାଇଛି | ଦେଶର ସର୍ବପୁରାତନ ଦଳର ଇତିହାସରେ ଏହା ପ୍ରଥମ ଘଟଣା ଯେ ପାରମ୍ପରିକ ସଦସ୍ୟତା ବ୍ୟତୀତ ଡିଜିଟାଲ ଢଙ୍ଗରେ କଂଗ୍ରେସ ଏତେ ସଂଖ୍ୟାରେ ସଦସ୍ୟଙ୍କୁ ସାମିଲ କରାଇଛି |

ଏନେଇ କଂଗ୍ରେସର ଡାଟା ଆନାଲିଟିକ୍ସ ବିଭାଗର ଅଧ୍ୟକ୍ଷ ପ୍ରବୀଣ ଚକ୍ରବର୍ତ୍ତୀ କହିଛନ୍ତି ଯେ, ‘କଂଗ୍ରେସ ଦଳର ଇତିହାସରେ ପ୍ରଥମ ଥର ପାଇଁ ସଦସ୍ୟତା ଡିଜିଟାଲ୍ ଢଙ୍ଗରେ ହୋଇଛି। ଏହା ଏକ ବଡ ପରିବର୍ତ୍ତନ ଯାହା ଦଳ ଗ୍ରହଣ କରିଛି। କଂଗ୍ରେସର ସଦସ୍ୟତା ଡ୍ରାଇଭ୍ ନଭେମ୍ବର ୧, ୨୦୨୧ ରେ ଆରମ୍ଭ ହୋଇଥିଲା। ଆମେ ୨.୬ କୋଟି ସଦସ୍ୟଙ୍କୁ ଡିଜିଟାଲ୍ ଢଙ୍ଗରେ ଦଳରେ ସାମିଲ କରାଇଛୁ | ତେବେ ଯେଉଁ ସଦସ୍ୟମାନେ ସାମିଲ ହୋଇଛନ୍ତି ସେମାନେ ଚାରିଟି ପର୍ଯ୍ୟାୟ ଯାଞ୍ଚ ପ୍ରକ୍ରିୟା ଦେଇ ଯାଇଥିଲେ | ଡିଜିଟାଲ୍ ଡ୍ରାଇଭ୍ ଅଧୀନରେ ନୂତନ ସଦସ୍ୟଙ୍କ ମୋବାଇଲ୍ ନମ୍ବରକୁ ଏକ ଓଟିପି ପଠାଯାଇଥିଲା |

ଏହା ପରେ ନିର୍ବାଚନ ଆୟୋଗ ଦ୍ୱାରା ସେମାନଙ୍କର ଭୋଟର ପରିଚୟପତ୍ର ଯାଞ୍ଚ କରାଯାଇଥିଲା’| ଚକ୍ରବର୍ତ୍ତୀ କହିଛନ୍ତି ଯେ ପୁଙ୍ଖାନୁପୁଙ୍ଖ ଯାଞ୍ଚ ହୋଇଥିବା ଦୁଇ କୋଟିରୁ ଅଧିକ ଡିଜିଟାଲ୍ ସଦସ୍ୟ ଆମେ ଯୋଡିଛୁ। ଆଗାମୀ ଦିନରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ଦଳର କର୍ମୀ ଏବଂ ସଦସ୍ୟଙ୍କୁ ଦଳର ନେତୃତ୍ୱ ସହିତ ଯୋଡିବା ପାଇଁ କଂଗ୍ରେସର ସଦସ୍ୟତା ଆପ୍( କଂଗ୍ରେସ ମେମ୍ବରସିପ ଆପ) ବ୍ୟବହାର କରାଯିବ।

ସମ୍ବନ୍ଧିତ ଖବର