ଆମେରିକାରେ ଏପ୍ରିଲ୍ ୩୦ଯାଏଁ ସାମାଜିକ ଦୂରତ୍ୱ ବୃଦ୍ଧି କଲେ ରାଷ୍ଟ୍ରପତି ଟ୍ରମ୍ପ୍

ୱାସିଂଟନ୍: ରବିବାର ଦିନ ଆମେରିକାର ରାଷ୍ଟ୍ରପତି ଏପ୍ରିଲ୍ ୩୦ ତାରିଖ ଯାଏଁ ସାମାଜିକ ଦୂରତ୍ୱ ସମେତ କରୋନାଭାଇରସ୍ ମାର୍ଗଦର୍ଶିକା ବୃଦ୍ଧି କରିଛନ୍ତି । ଏଥିସହ ସେ କହିଛନ୍ତି ଯେ କରୋନାଭାଇରସଜନିତ ସର୍ବୋଚ୍ଚ ମୃତ୍ୟୁହାର ଆମେରିକାରେ ଆଉ ଦୁଇ ସପ୍ତାହ ରହିବ ।

ହ୍ୱାଇଟ୍ ହାଉସରେ ଟେଲିଭିଜନ୍ ପ୍ରସାରିତ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ୍ ଦେଶବାସୀଙ୍କୁ ଆଶ୍ୱାସନା ଦେଇ ସେ କହିଛନ୍ତି ଯେ ଜୁନ୍ ୧ ତାରିଖ ବେଳକୁ ଆମେରିକାରେ ଲୋକେ ସୁସ୍ଥ ହେବା ଆରମ୍ଭ କରିବେ ।

ଦୁଇଟି ଶୀର୍ଷସ୍ତରୀୟ ଜନସ୍ୱାସ୍ଥ୍ୟ ଉପଦେଷ୍ଟା ଏବଂ ହ୍ୱାଇଟ୍ ହାଉସ୍ କରୋନାଭାଇରସ୍ ଟାସ୍କ ଫୋର୍ସର ସଦସ୍ୟ ଡାକ୍ତର ଦେବୋରା ବିକ୍ସ ଏବଂ ଡାକ୍ତର ଆନ୍ଥୋନି ଫକ୍ସିଙ୍କ ପରାମର୍ଶ କ୍ରମେ ସେ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା କଥା ସାମ୍ବାଦିକମାନଙ୍କୁ କହିଛନ୍ତି ।

Image Source: Zee News

କରୋନାଭାଇରସ୍ ସଂକ୍ରାନ୍ତରେ ଦ୍ୱିତୀୟ ଥର ପାଇଁ ଗୋଲାପ ବଗିଚାରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ରାଷ୍ଟ୍ରପତି ଟ୍ରମ୍ପ୍ କହିଲେ ଯେ ପରାମର୍ଶଦାତାମାନେ କହିଛନ୍ତି କି, କରୋନାଭାଇରସ୍ ଦମନ ଲାଗି ପଦକ୍ଷେପ ଗ୍ରହଣ କରାସାରିଥିବାରୁ ନୂତନ ସଂକ୍ରମଣ ହାର ହ୍ରାସ ପାଇବ । ଏବଂ ସେଥିଯୋଗୁଁ ମୃତ୍ୟୁହାର ଆପଣାଛାଏଁ କମିଯିବ ।

ସେ ଆହୁରି କହିଲେ ଯେ ନୂତନ ସାମାଜିକ ମାର୍ଗଦର୍ଶିକା ପଦକ୍ଷେପ ଏପ୍ରିଲ ପହିଲାରେ ଘୋଷଣା କରାଯିବ ।

ଏଠାରେ ପ୍ରକାଶଯୋଗ୍ୟ ଯେ ରବିବାର ରାତିସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦, ୦୦୦ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୨, ୪୭୫ରେ ପହଞ୍ଚିଥିଲା । ୧୮, ୦୦୦ ଲୋକ କୋଭିଡ୍-୧୯ରେ ଆକ୍ରାନ୍ତ ବୋଲି କେବଳ ରବିବାର ଦିନ ପ୍ରକାଶ ପାଇଥିବା ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଥିଲା । କରୋନାଭାଇରସ୍ ସଂକ୍ରମଣରେ ଏପର୍ଯ୍ୟନ୍ତ ଯୁ୍କ୍ତରାଷ୍ଟ୍ର ଆମେରିକାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୨୫୫ ଜଣ ଆମେରିକୀୟ ଥିବା କଥା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର