ରାମନାଥଙ୍କ ସ୍ଥାନ ନେଲା ଦ୍ରୌପଦୀଙ୍କ ଫଟୋ

ନୂଆଦିଲ୍ଲୀ : ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋ ଇତି ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟ ଏବଂ ବିଦେଶରେ ଥିବା ଭାରତୀୟ ଦୂତାବାସମାନଙ୍କରେ ଲାଗିବା ଆରମ୍ଭ ହୋଇଛି। ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଫଟୋ ଏହି ସବୁ ସ୍ଥାନ ନେବ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଫଟୋକୁ ହଟାଯାଇ ଉକ୍ତ ସ୍ଥାନରେ ଶ୍ରୀମତୀ ମୁର୍ମୁଙ୍କ ଫଟୋ ସ୍ଥାନିତ ହୋଇଛି।

ସୂଚନା ଅନୁସାରେ, ଏଥିପାଇଁ ରାଷ୍ଟ୍ରପତି ଭବନସ୍ଥିତ ଷ୍ଟୁଡିଓରେ ଏକ ଫଟୋ ସୁଟ୍‌ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରପତି ଭବନର ସରକାରୀ ଫଟୋଗ୍ରାଫର୍‌ ଏହି ଫଟୋ ଉଠାଇଥିଲେ। ଫଟୋ ସୁଟ୍‌ ପରେ ପୂର୍ଣ୍ଣାବୟବ ବିଶିଷ୍ଟ ୩୨ଟି ଫଟୋ ସମ୍ବଳିତ କ୍ୟାଟଲଗ୍‌ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା। ସେଥିରୁ ଶ୍ରୀମତୀ ମୁର୍ମୁ ‘ରାଷ୍ଟ୍ରପତିଙ୍କ ସରକାରୀ ଫଟୋ’ ପାଇଁ ରଙ୍ଗିନ୍‌ ପାଢ଼ି ଥିବା ଧଳା ସମ୍ବଲପୁରୀ ଶାଢ଼ି ଓ ପୂରା ହାତ ଧଳା ବ୍ଲାଉଜ୍‌ ପିନ୍ଧା ଫଟୋକୁ ଚୟନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର