ପ୍ରତି କୋଭିଡ୍‌ ମୃତ୍ୟୁ ପରିଗଣିତ ହେବ: କେନ୍ଦ୍ର

ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଦେଇହେବନି

ବେଙ୍ଗାଲୁଲୁ: ସ୍ଥାନ, କାଳ ନିର୍ବିଶେଷରେ ଦେଶର ପ୍ରତ୍ୟେକଟି କୋଭିଡ୍‌ ମୃତ୍ୟୁ ବିଧିବଦ୍ଧ ଭାବେ ପରିଗଣିତ ହେବା ଉଚିତ୍‌ ବୋଲି କେନ୍ଦ୍ର ସରକାର ଗତକାଲି ବିଳମ୍ବିତ ରାତିରେ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ଏପରିକି ଏଥିରେ ଖିଲାଫ କରୁଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସରକାର ଜଣାଇଛନ୍ତି। ସୂଚନା ଥାଉ କି, ଅତି କମ୍‌ରେ ଦେଶର ୬ଟି ରାଜ୍ୟରେ ବାସ୍ତବ କୋଭିଡ୍‌ଜନିତ ମୃତ୍ୟୁ ଓ ସରକାରୀ ତାଲିକା ମଧ୍ୟରେ ବ୍ୟାପକ ଫରକ ରହୁଛି ବୋଲି ଗଣମାଧ୍ୟମରେ ପ୍ରକାଶିତ ଏକାଧିକ ରିପୋର୍ଟକୁ ଭିତ୍ତି କରି ସୁପ୍ରିମକୋର୍ଟ କରିଥିବା ନୋଟିସ୍‌ର ଜବାବରେ କେନ୍ଦ୍ର ସରକାର ୧୮୩ ପୃଷ୍ଟାର ସତ୍ୟପାଠ ଦାଖଲ କରିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା କେବଳ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ କୌଣସି କୋଭିଡ୍‌ ପୀଡ଼ିତଙ୍କର ମୃତ୍ୟୁ ଘଟିଲେ ତାହାକୁ କୋଭିଡ୍‌ ମୃତ୍ୟୁ ଭାବେ ପରିଗଣିତ କରାଯାଉଛି। ମାତ୍ର ଘରେ କି ଏପରିକି ଡାକ୍ତରଖାନା ପରିସରରେ ଏପରି ମୃତ୍ୟୁକୁ କୋଭିଡ୍‌ ମୃତ୍ୟୁର ମାନ୍ୟତା ମିଳୁନଥିବାରୁ ଦେଶର ବାସ୍ତବ କୋଭିଡ୍‌ ମୃତ୍ୟୁ ଓ ସରକାରଙ୍କ ପ୍ରକାଶିତ ମୃତ୍ୟୁତାଲିକା ଭିତରେ ଢେର ପାର୍ଥକ୍ୟ ରହୁଛି। ଏପରିକି ଏହାଦ୍ବାରା ଲକ୍ଷାଧିକ କୋଭିଡ୍‌ ମୃତକ ତାଲିକାଭୁକ୍ତ ହୋଇନଥିବା ଅଭିଯୋଗ ହୋଇ ଆସୁଛି। ଏ ପରିପ୍ରେକ୍ଷୀରେ କେବଳ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଦିଲ୍ଲୀ ଆଦି ଏହି ୫ଟି ରାଜ୍ୟରେ ପ୍ରାୟ ୪.୮ ଲକ୍ଷ ପ୍ରକୃତ କୋଭିଡ୍‌ ମୃତ୍ୟୁ ସରକାରୀ ତାଲିକାରୁ ବାଦ୍‌ ପଡ଼ିଛି ଯାହାକି ସରକାରୀ ନଥିରେ ଅସ୍ପଷ୍ଟୀକୃତ ମୃତ୍ୟୁ ଭାବେ ରହିଥିବା ଏକ ବେସରକାରୀ ଆକଳନରୁ ଜଣାଯାଇଛି।

Representative image

ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଦେଇହେବନି
ନୂଆଦିଲ୍ଲୀ: ମହାମାରୀ କୋଭିଡ୍-୧୯ରେ ମୃତ ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇପାରିବ ନାହିଁ ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ଏପରି ହେଲେ ଆମ ଦେଶର ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଖାଲି ହୋଇଯିବ ବୋଲି ସରକାର ସତ୍ୟପାଠ ଜରିଆରେ ସ୍ପଷ୍ଟ କରିଛନ୍ତି। ଅପରପକ୍ଷେ, କେବଳ ଭୂମିକମ୍ପ ଓ ବନ୍ୟା,ବାତ୍ୟା ପରି ପ୍ରାକୃତିକ ଦୁର୍ବିପାକ ପୀଡ଼ିତଙ୍କୁ ସହାୟତା ପାଇଁ ବିପର୍ୟ୍ୟୟ ପରିଚାଳନା ଆଇନରେ ନିଶ୍ଚିତ କରାଯାଇଛି ବୋଲି ସରକାର ସଫେଇ ଦେଇଛନ୍ତି। କୋଭିଡ୍‌ ମୃତକଙ୍କ ପରିବାରକୁ ସର୍ବନିମ୍ନ ରିଲିଫ୍‌ ଯୋଗାଣ ଓ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଆଗତ ଏକ ଜନସ୍ବାର୍ଥ ମାମଲାରେ ସର୍ବୋଚ୍ଚ ଅଦାଲତ ଲୋଡ଼ିଥିବା ଜବାବରେ ସରକାର ଏପରି ସ୍ପଷ୍ଟୀକରଣ ଦେଇଛନ୍ତି।

ସରକାରଙ୍କ କହିବାନୁସାରେ, ମହାମାରୀର ଆବିର୍ଭାବ ପରଠାରୁ ଦେଶରେ ଅଦ୍ୟାବଧି ପାଖାପାଖି ୪ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି। ସୁତରାଂ ଯଦି ପ୍ରତି ମୃତକଙ୍କୁ ଏପରି ୪ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଏ, ତେବେ କେବଳ ଏହି ଅନୁକମ୍ପା ରାଶି ପ୍ରଦାନରେ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି(ଏସ୍‌ଡିଆର୍‌ଏଫ୍‌) ସରିଯିବ ଏବଂ ମୋଟ ଖର୍ଚ୍ଚ ଅଟକଳ ଆହୁରି ଯଥେଷ୍ଟ ବଢ଼ିଯିବ। ଅପରପକ୍ଷେ, କୋଭିଡ୍‌-୧୯ର ମୁକାବିଲା ପାଇଁ ଅତ୍ୟାବଶ୍ୟକ ଭେଷଜ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ ସହିତ ବାତ୍ୟା, ବନ୍ୟା ପରି ପ୍ରାକୃତ୍ରିକ ଦୁର୍ବିପାକ ପାଇଁ ପାଣ୍ଠିର ଅଭାବ ରହିବ। ତେଣୁ କୋଭିଡ୍‌ ମୃତକଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ପାଇଁ ଆବେଦନକାରୀ କରିଥିବା ନିବେଦନ ରାଜ୍ୟ ସରକାରମାନଙ୍କ ଆର୍ଥିକ ସାମର୍ଥ୍ୟ ବାହାରେ ବୋଲି କେନ୍ଦ୍ର ସରକାର ଜଣାଇଛନ୍ତି।

ସମ୍ବନ୍ଧିତ ଖବର