ଯବାନଙ୍କ ଗୁପ୍ତଚରବୃତ୍ତି ନେଇ ସେନାରେ ଚାଞ୍ଚଲ୍ୟ, ଗୋପନୀୟ ସାମରିକ ଯୋଜନା ଲିକ ହେବା ଆଶଙ୍କା

ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇପାରେ ସେନା

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀର ଉଧମପୁରଠାରେ ଥିବା ଭାରତୀୟ ସେନାର ଉତ୍ତରାଞ୍ଚଳ କମାଣ୍ଡରେ ଏକ ବଡ଼ ଧରଣର ଗୁପ୍ତଚର ଘଟଣା ଧରାପଡ଼ିବା ପରେ ସେନା ଚହଳ ପଡ଼ିଯାଇଛି ।

ସୀମାରେ ଭାରତ ଏବେ ଚୀନ ଓ ପାକିସ୍ତାନ ସହ ବିବାଦରେ ଲିପ୍ତ ଥିବାବେଳେ ଭାରତୀୟ ସେନାର ଜଣେ ଯବାନ ଶତ୍ରୁପକ୍ଷ ପାଇଁ ଗୁପ୍ତଚରବୃତ୍ତି କରିବା ସେନାର ଚିନ୍ତା ବଢାଇଦେଇଛି । ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରାଓ୍ବାଣେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଏକ ଜାତୀୟ ସ୍ତରୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଏହି ଘଟଣାରେ କେତେକ ବରିଷ୍ଠ ସେନା ଅଧିକାରୀ ସଂପୃକ୍ତ ରହିଥିବା ସଂଦେହ କରାଯାଉଛି ଓ ତଦନ୍ତ ରିପୋର୍ଟ ଆସିବା ପରେ କେତେକ ବଡ଼ ମୁଣ୍ଡ ଗଡ଼ିବା ସମ୍ଭାବନା ରହିଛି ।

ଭାରତୀୟ ସେନା ଏବେ ଏକାସମୟରେ ଚୀନ ଓ ପାକିସ୍ତାନ ପଟୁ ବିପଦର ଆଶଙ୍କା କରୁଛି । ଏହାକୁ ଦୃଷ୍ଟିରେ ରଖି ସେନା ପକ୍ଷରୁ ଅପରେସନାଲ ପ୍ଲାନ ପ୍ରସ୍ତୁତ କରାଯାଉଛି । ସେନାର ଏହି ଅତ୍ୟନ୍ତ ଗୋପନୀୟ ଯୋଜନା ଲିକ୍ ହେବା ସେନାକୁ ଚିନ୍ତାରେ ପକାଇଦେଇଛି । ଆଉ ଏକ ଚିନ୍ତାଜନକ ବିଷୟ ହେଉଛି  ଏପରି ଗୁପ୍ତଚର କାଣ୍ଡକୁ ଧରିବା ପାଇଁ ସେନାର ନିଜସ୍ବ ଅନ୍ତରୀଣ ଗୁଇନ୍ଦା ଏଜେନ୍ସି ରହିଛି । କିନ୍ତୁ ଏହି ଗୁଇନ୍ଦା ଏଜେନ୍ସି ଏହି ଘଟଣାକୁ ଧରିବାରେ ବିଫଳ ହୋଇଥିଲା । ଭାରତର ପ୍ରମୁଖ ଗୁଇନ୍ଦା ସଂସ୍ଥା ର’ ପକ୍ଷରୁ ଏ ସଂପର୍କିତ ସୂଚନା ସେନାକୁ ଦିଆଯିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା ।

ସମ୍ବନ୍ଧିତ ଖବର