ବୁଲନ୍ଦସର ହିଂସା: ହତ୍ୟାକାରୀ ଘରୁ ମିଳିଲା ସହିଦ୍‌ ଇନ୍‌ସପେକ୍ଟର ସୁବୋଧ କୁମାର ସିଂଙ୍କ ମୋବାଇଲ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବୁଲନ୍ଦସରରେ ହୋଇଥିବା ଦଙ୍ଗାରେ ପୁଲିସ ଇନ୍‌ସପେକ୍ଟର ସୁବୋଧ କୁମାର ସିଂ ସହିଦ୍‌ ହୋଇଥିଲେ। ସୁବୋଧଙ୍କ ମୋବାଇଲ୍‌ ହତ୍ୟାକାରୀ ପ୍ରଶାନ୍ତ ନଟ ଘରୁ ମିଳିଥିବା ରବିବାର ଖବର ମିଳିଛି। ସ୍ପେଶାଲ୍‌ ଯାଞ୍ଚକାରୀ ଦଳ, କୋର୍ଟରୁ ସର୍ଚ୍ଚ ଓ୍ଵାରେଣ୍ଟି ଆଣିଥିଲେ। ଏହାପରେ ପ୍ରଶାନ୍ତ ନଟ ଘର ଯାଞ୍ଚ କରିବା ସମୟରେ ୬ଟି ମୋବାଇଲ୍‌ ମିଳିଥିଲା। ସେଥିମଧ୍ୟରୁ ଗୋଟିଏ ସହିଦ୍‌ ଇନ୍‌ସପେକ୍ଟର ସୁବୋଧ କୁମାର ସିଂଙ୍କର ବୋଲି ଜଣାପଡ଼ିଛି। ସମସ୍ତ ମୋବାଇଲ୍‌କୁ ଯାଞ୍ଚ ପାଇଁ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୩ ତାରିଖରେ ବୁଲନ୍ଦସହରେ ବ୍ୟାପକ ହିଂସା ଓ ଗଣ୍ଡଗୋଳ ଘଟିଥିଲା। ଏହି ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବାକୁ ଯାଇଥିିବା ଇନ୍‌ସପେକ୍ଟର ସୁବୋଧ କୁମାର ସିଂହ ସମେତ ଚିଙ୍ଗରାବଠି ଗ୍ରାମରେ ବସବାସ କରୁଥିବା ସୁମିତ କୁମାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଶ୍ରୀ ସିଂଙ୍କୁ ଗୁଳିମାରିଥିବା ପ୍ରଶାନ୍ତ ନାଟଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ପରେ ପ୍ରଶାନ୍ତ ନଟ ଗୁଳି ମାରିଥିବା କଥାକୁ ସ୍ୱୀକାର ବି କରିଥିଲା। ପ୍ରାଶନ୍ତ ସମେତ ଏହି ଘଟଣାରେ ସାମିଲ ଥିବା ପୁଲିସ ଜନି ଚୌଧୁରୀ, ରାହୁଲ ଡେବିଡ୍‌ ତଥା ଅନ୍ୟ ଯୁବକକୁ ପୁଲିସ ପୂର୍ବରୁ ହିଁ ଗିରଫ କରି ସାରିଥିଲା।

ଏସ୍‌ପି ଅତୁଲ ଶ୍ରୀବାସ୍ତବଙ୍କ କହିବାନୁସାରେ, ସହିଦ୍‌ ଇନ୍‌ସପେକ୍ଟର ସୁବୋଧ ସିଂହଙ୍କ ମୋବାଇଲ ଲୋକେସନ୍‌ ବିଷୟରେ ସୂଚନା ମିଳିଥିଲା। ଏହି ଲୋକେସନ୍‌କୁ ଆଧାର କରି ସର୍ଚ୍ଚ ଅପରେସନ୍‌ ଚଳା ଯାଇଥିଲା। ଶେଷରେ ହତ୍ୟାକାରୀ ପ୍ରଶାନ୍ତ ନଟ ଘରୁ ମୋବାଇଲ ମିଳିଥିଲା। ହଜିଥିବା ବନ୍ଧୁକର ବି ଅନୁସନ୍ଧାନ ଚଳା ଯାଇଛି।

ସମ୍ବନ୍ଧିତ ଖବର