ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଘୋଷଣା କଲେ କେନ୍ଦ୍ର ସରକାର, ଅଧିକ ଦରରେ ବିକ୍ରି କଲେ ଦଣ୍ଡିତ ହେବେ ବ୍ୟବସାୟୀ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫କୁ ବୃଦ୍ଧି ପାଇଥିବା ବେଳେ ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ୧୦ ଜଣ ସଂଦିଗ୍ଧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ତେବେ ସଚେତନତା ଏବଂ ସତର୍କତା ଜରିଆରେ ହିିଁ କରୋନା ଭୁତାଣୁସଂକ୍ରମଣକୁ  ରୋକାଯାଇପାରିବ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

କରୋନାକୁ ରୋକିବା ପାଇଁ ଭାରତରେ ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଜୁନ୍ ୩୦ ତାରିଖ ଯାଏଁ ଏହି ଦୁଇଟି ସାମଗ୍ରୀକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବିବେଚନା କରାଯିବ । ଏହାକୁ ମହଜୁଦ ରଖିବା କିମ୍ୱା ଅଧିକ ମୂଲ୍ୟରେ ବିକ୍ରି କଲେ ବ୍ୟବସାୟୀ ଦଣ୍ଡିତ ହେବେ । ତେବେ ଏହି ଦୁଇଟି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରତି ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି । ଏଥିସହିତ  ଫ୍ରେସ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତକାରୀ କମ୍ପାନୀଗୁଡିକ ଯେପରି ଏହି ସାମଗ୍ରୀ ଗୁଡିକର ଦାମ ବୃଦ୍ଧି ନ କରନ୍ତି ସେଥିପ୍ରତି ଦୃଷ୍ଟି ରଖିବାକୁ ପ୍ରତି ରାଜ୍ୟ ସରକାରଙ୍କୁ କୁହାଯାଇଛି । ଏଥିପାଇଁ ସରକାରଙ୍କ ତରଫରୁ ଏକ ହେଲପଲାଇନ ନମ୍ବର ଏବଂ ୱେବ ପୋର୍ଟାଲ ମଧ୍ୟ ଲଂଚ କରାଯାଇଛି । ଯେଉଁଥିରେ ଏହି ସାମଗ୍ରୀଗୁଡିକର ଫ୍ରିଂଟ ରେଟ୍ ତଥା ଏମଆରପି ସହ ଅଧିକ ବିକ୍ରି, କଳାବଜାରୀ, ଅପମିଶ୍ରଣ ଭଳି ଅଭିଯୋଗ କରିପାରିବେ ।

ରାଷ୍ଟ୍ରୀୟ ଉପଭୋକ୍ତା ହେଲପଲାଇନ ନମ୍ବର- ୧୮୦୦-୧୧-୪୦୦୦

ୱେବ୍ ପୋର୍ଟାଲ : www.consumerhelpline.gov.in,  www.consumeraffairs.nic.in, [email protected], [email protected], [email protected].

ସେହିଭଳି ବଜାରରେ ଫେସ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ଚାହିଦା ବଢିଯାଇଥିବା ଦେଖି କେହି ଏହାର କଳାବାଜାରୀ କଲେ କିଂବା ଲିଖିତ ଦାମ ଠାରୁ ଅଧିକରେ ବିକ୍ରି କଲେ , ଆଇନ ଉଲଂଘନକାରୀଙ୍କୁ ୭ ବର୍ଷ ଜେଲ ଦଣ୍ଡ ଓ ଜରିମାନା ହେବ ବୋଲି କୁହାଯାଇଛି । ଯଦି କେହି ଏହି ଆଇନ ଉଲ୍ଲଂଘନ କରନ୍ତି ତେବେ ଉକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧର କଳାବଜାରୀ ନିବାରଣ ଏବଂ ଅତ୍ୟାବଶୀକୀୟ ସାମଗ୍ରୀ ଯୋଗଣ ଅଧିନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ହୋଇପାରେ । ଏହାଛଡା ସଂପୃକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଦେବାକୁ ପଡିପାରେ ମୋଟା ଅଙ୍କର ଜରିମାନା ।

କରୋନାର ଭୟାବହତାକୁ ନଜରରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଏହାକୁ ମହାମାରୀ ବୋଲି ଘୋଷଣା କରାଯାଇଛି । ତେଣୁ ଏହି ଭୟ ମହାମାରୀକୁ ରୋକିବା ପାଇଁ ଫ୍ରେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର