ରାହୁଲଙ୍କୁ ଘେରିଲେ ଫଡ଼ନାବିସ; ଇନ୍ଦିରା, ମହାତ୍ମାଙ୍କ ଚିଠିକୁ ଉଦାହରଣ ଭାବେ ଦର୍ଶାଇଲେ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ସ୍ବାଧୀନତା ସଂଗ୍ରାମୀ ବୀର ସବରକରଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଶୁକ୍ରବାର ଦିନ ତାଙ୍କୁ ଘେରିଛନ୍ତି। ଫଡ଼ନାବିସ ରାହୁଲଙ୍କ ଜେଜେ ମା’ ଇନ୍ଦିରା ଗାନ୍ଧିଙ୍କୁ ବିତର୍କକୁ ଟାଣିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଦ୍ବାରା ୧୯୮୦ରେ ଲେଖାଯାଇଥିବା ଏକ ଚିଠିକୁ ରାହୁଲଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରି ଫଡ଼ନାବିସ କହିଛନ୍ତି, ‘ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି (ତୁମର ଜେଜେ ମା’) ସବରକରଜୀଙ୍କ ବିଷୟରେ କ’ଣ କହିଛନ୍ତି କେବଳ ପଢ଼।’ ସବରକରଜୀ ସ୍ବାଧୀନତା ସଂଗ୍ରାମର ଏକ ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ ଏବଂ ଭାରତର ଜଣେ ସୁଯୋଗ୍ୟ ସନ୍ତାନ ବୋଲି ଇନ୍ଦିରା ଗାନ୍ଧି କହିଥିଲେ। ଫଡ଼ନାବିସ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ଚିଠି ମଧ୍ୟ ରାହୁଲଙ୍କ ପଢ଼ିବାକୁ ହେବ ଏବଂ ସେ କ’ଣ ଲେଖିଥିଲେ ତାହା ବୁଝିବାକୁ ହେବ।

ଉଲ୍ଲେଖଯୋଗ୍ୟ, ରାହୁଲ ନିକଟରେ ଏକ କାର୍ଯ୍ୟକ୍ରମରେ କହିଥିଲେ, ‘ମୋ ପାଖରେ ଏକ ସରକାରୀ କାଗଜ ଅଛି, ଯେଉଁଥିରେ ସବରକର ବ୍ରିଟିଶ ଶାସକଙ୍କୁ ଦେଇଥିବା ଚିଠି ଅଛି। ଏହି ଚିଠିର ଶେଷରେ ସବରକର ଲେଖିଛନ୍ତି, ‘ଆଇ ବେଗ୍‌ ଟୁ ରିମେନ୍‌ ୟୋର ମୋଷ୍ଟ ଓବିଡିଏଣ୍ଟ୍‌ ସର୍ଭାଣ୍ଟ୍‌’। ମହାତ୍ମା ଗାନ୍ଧି ମଧ୍ୟ ବ୍ରିଟିଶ ଶାସକଙ୍କୁ ଦେଇଥିବା ଚିଠିରେ ସମାନ କଥା ଲେଖାଯାଇଛି ବୋଲି ଫଡ଼ନାବିସ କହିଛନ୍ତି ।

ସମ୍ବନ୍ଧିତ ଖବର