ଚାଷୀ ଆନ୍ଦୋଳନ ଗୋଟିଏ ରାଜ୍ୟରେ ସୀମିତ: ତୋମାର

ଚାଷୀଙ୍କୁ କେବଳ ଉସୁକାଯାଉଛି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ତିନିଟି ଯାକ ନୂତନ କୃଷି ଆଇନର ପ୍ରତ୍ୟାହାର ଦାବି କରି ଚାଷୀମାନେ ଚଳାଇଥିବା ଆନ୍ଦୋଳନ କେବଳ ଗୋଟିଏ ରାଜ୍ୟରେ ସୀମିତ ଏବଂ ଅନ୍ୟ ଚାଷୀମାନଙ୍କୁ ଏଥିପାଇଁ ଉସୁକାଯାଉଛି। ଏହି ନୂତନ ଆଇନ ଦ୍ବାରା ଚାଷୀମାନଙ୍କ ଜମିକୁ ଛଡ଼ାଇ ନିଆଯିବ ବୋଲି ସେମାନଙ୍କ ମନରେ ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଇଛି। ବୋଲି ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ରାଜ୍ୟସଭାରେ କହିଛନ୍ତି। ସେହିପରି ଏହି ଆଇନରେ କୋଉଠି ବି ଜଣେ ଶସ୍ୟ ବେପାରୀ କୌଣସି ବି ପରିସ୍ଥିତିରେ ଚାଷୀଙ୍କ ଜମି କବ୍‌ଜା କରିନେବାର ପ୍ରାବଧାନ ରହିଛି ବୋଲି ବିରୋଧୀ ଦଳ ନେତାମାନେ ପ୍ରମାଣ କରନ୍ତୁ ବୋଲି ତୋମର ଆହ୍ବାନ ଦେଇଛନ୍ତି। ବିଭିନ୍ନ ଚାଷୀ ସଂଗଠନ ଓ ବିରୋଧୀ ଦଳ ଏହି ନୂତନ ଆଇନରେ କୌଣସି ପ୍ରକାର ତ୍ରୁଟିବିଚ୍ୟୁତି ଧରିନପାରି ଅଯଥାରେ ବିଶୃଙ୍ଖଳ ପରିସ୍ଥିତି ଉପୁଜାଉଛନ୍ତି ବୋଲି ସେ କହିଛନ୍ତି। ‘କଂଗ୍ରେସ ନେତାମାନେ ସରକାର ରକ୍ତରେ ଚାଷ କରୁଥିବା କଥା କହୁଛନ୍ତି, ଏଭଳି ଘଟଣା କେବଳ କଂଗ୍ରେସ ଶାସନରେ ହିଁ ସମ୍ଭବ ହୋଇପାରିବ’ ବୋଲି କୃଷିମନ୍ତ୍ରୀ କହିଛନ୍ତି। କଂଗ୍ରେସ ସାଂସଦ ଦୀପେନ୍ଦ୍ର ହୁଦା ତାଙ୍କ ଭାଷଣରେ ଚାଷୀଙ୍କ ଜମିକୁ ବେପାରୀ ହଡ଼ପ କରିନେବେ ବୋଲି କହିଥିବାରୁ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ତୋମାର ତାଙ୍କୁ କହିଥିଲେ, ପୁଣି ଥରେ ସଂସଦରେ ଏହି ପ୍ରସଙ୍ଗରେ କିଛି କହିବା ପୂର୍ବରୁ ସେ ନୂଆ କୃଷି ଆଇନକୁ ଭଲଭାବେ ପଢ଼ି ଆସିବା ଦରକାର।

କୃଷିମନ୍ତ୍ରୀ କହିଛନ୍ତି, ସରକାର ଚାଷୀମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ ପୂର୍ବକ ଆଲୋଚନା ପାଇଁ ସର୍ବଦା ଚାହୁଥିବାରୁ ଏହାର ମାନେ ନୁହେଁ ଯେ ଉକ୍ତ ଆଇନରେ କିଛି ତ୍ରୁଟି ରହିଛି ବୋଲି ସରକାର ଏପରି କରୁଛନ୍ତି। ଚାଷୀମାନଙ୍କ ମଙ୍ଗଳ ପାଇଁ ସରକାର ଅଙ୍ଗୀକାରବଦ୍ଧ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଭିତ୍ତିରେ ମଣ୍ଡିମାନଙ୍କରେ ଶସ୍ୟସଂଗ୍ରହ ଜାରି ରହିବ ବୋଲି ସେ କହିଛନ୍ତି। ସରକାର ମଧ୍ୟ ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ନିଜ ସୁବିଧା ଅନୁସାରେ ମଣ୍ଡି ବାହାରେ ବି ବିକିବା ପାଇଁ ଅନୁମତି ଦେଇଛନ୍ତି ଏବଂ ଏଥିପାଇଁ କୌଣସି କର ଲାଗୁ ହେବନାହିଁ। ତେବେ ସମାନ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ଆଦାୟ କରୁଥିବା କର ବିରୋଧରେ ଆନ୍ଦୋଳନ ନହୋଇ ଏପରି କରମୁକ୍ତ ପ୍ରକ୍ରିୟା ବିରୋଧରେ ଆନ୍ଦୋଳନକୁ ଉସୁକାଇବା ଦୁର୍ଭାଗ୍ୟଜନକ ବୋଲି ତୋମାର କହିଛନ୍ତି।

ସମ୍ବନ୍ଧିତ ଖବର