ସୁନା ପୁଅ ନୀରଜ ଚୋପ୍ରା ଅସୁସ୍ଥ

ନୂଆଦିଲ୍ଲୀ: ନୀରଜ ଚୋପ୍ରା ମଙ୍ଗଳବାର ପାନିପତସ୍ଥିତ ନିଜର ପୈତୃକ ଗ୍ରାମ ଖଣ୍ଡରାରେ ପହଞ୍ଚିଥିଲେ। ତାଙ୍କ ସ୍ବାଗତରେ ସମାଲଖାରୁ ମତଲୋଡା ୩୫କିମି ପର୍ଯ୍ୟନ୍ତ ରାଲିର ଆୟୋଜନ କରାଯାଇଥିଲା। ରାଲି ସମୟରେ ନୀରଜ ଅସୁସ୍ଥ ଅନୁଭବ କରୁଥିବା ବେଳେ ଏବେ ତାଙ୍କ ସ୍ବାସ୍ଥ୍ୟ ପୁଣି ବିଗିଡ଼ି ଯାଇଥିବା ଖବର ମିଳିଛି। ଏହି କାରଣରୁ ସେ ଗ୍ରାମରେ ସ୍ବାଗତ ପାଇଁ ହୋଇଥିବା କାର୍ଯ୍ୟରୁ ଶୀଘ୍ର ବାହାରି ଯାଇଥିଲେ।  ନୀରଜ ପାନିପତର କମିଶନରଙ୍କ ଗାଡ଼ିରେ ବସି ଘରେ ପହଞ୍ଚିଥିଲେ। ସେଠାରେ ଡାକ୍ତର ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ବିଶ୍ରାମ ନେବାକୁ କହିଥିଲେ।

ନୀରଜଙ୍କ ଦାଦା ସୁରେନ୍ଦ୍ର ଚୋପ୍ରାଙ୍କ କହିବାନୁସାରେ, ନୀରଜଙ୍କ ଶରୀରରେ ସାମାନ୍ୟ ତାପମାତ୍ରା ବୃଦ୍ଧି ପାଇଛି। ବାନ୍ତି ବି ହେଉଛି। ଡାକ୍ତର ନୀରଜଙ୍କୁ ବିଶ୍ରାମ କରିବା ପାଇଁ କହିଛନ୍ତି। ନୀରଜ ଡିସିଙ୍କ ଘରେ ବିଶ୍ରାମ କରୁଛନ୍ତି। ଦ୍ବିପହର ସମୟରେ ନୀରଜ ଔଷଧ ଖାଇବା ସହିତ ଲେମ୍ବୁପାଣି ପିଇଥିଲେ।

କୁହାଯାଉଛି କି, ନୀରଜ ଟୋକିଓ ଅଲିମ୍ପିକ୍ସିରୁ ଫେରିବା ପରେ ବହୁତ ବ୍ୟସ୍ତରେ ରହିଥିଲେ। ଅଗଷ୍ଟ ୧୫ରେ ନୀରଜ ଅସୁସ୍ଥତା ଅନୁଭବ କରୁଥିବା ସତ୍ତ୍ବେ ଲାଲକିଲାରେ ପହଞ୍ଚିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଆମନ୍ତ୍ରିତ କରିଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ନୀରଜଙ୍କୁ ମୋଦୀ ଚୁରମା ଖୁଆଇଥିଲେ। ଏହାପରେ ନୀରଜ ତାଙ୍କ ଗ୍ରାମକୁ ଫେରି ଆସିଥିଲେ। ଟୋକିଓ ଅଲିମ୍ପିକ୍ସରୁ ଫେରିବା ପରେ ନୀରଜ ବିଶ୍ରାମ ନେଇ ନଥିବାରୁ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର