ସ୍କୁଲ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଫିଟ୍ ରଖିବା ପାଇଁ ସବୁ ସୁବିଧା ଯୋଗାଇ ଦିଆଯିବ  : ଧର୍ମେନ୍ଦ୍ର ପ୍ରଧାନ

‘ଫିଟ୍ ଇଣ୍ଡିଆ କୁଇଜ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ସମାଜରେ ସକରାତ୍ମକ ଭାବନା ଆଣିବା ପାଇଁ ଆମକୁ ଫିଟ୍ ରହିବା ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଫିଟ୍ ରଖିବା ପାଇଁ ସବୁପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୁଧବାର କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ପ୍ରଥମ ଥର ପାଇଁ ଦେଶବ୍ୟାପୀ ‘ଫିଟ୍ ଇଣ୍ଡିଆ କୁଇଜ’ର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି ।

କ୍ରୀଡାର ପ୍ରୋତ୍ସାହନ ଏବଂ ଏହାକୁ ଲୋକପ୍ରିୟ କରିବା ନିମନ୍ତେ ଏହି ଫିଟ୍ ଇଣ୍ଡିଆ କୁଇଜରେ ଅଂଶଗ୍ରହଣ କରି ଏକ ସୁସ୍ଥ ଭାରତ ପାଇଁ ଫିଟ୍ ଇଣ୍ଡିଆ ମିଶନରେ ସାମିଲ ହେବା ପାଇଁ ଧର୍ମେନ୍ଦ୍ର  ସ୍କୁଲ ଅଧ୍ୟକ୍ଷ ଓ ପିଲାମାନଙ୍କୁ ଆହ୍ବାନ କରିଛନ୍ତି ।

କ୍ରୀଡା, ଶିକ୍ଷା ଏବଂ କ୍ରୀଡା ପରମ୍ପରାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ଯାତ୍ରାରେ ଆମର ଖେଳାଳୀମାନେ ଆମ ଦେଶ ପାଇଁ ଗୋରବ ଆଣନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ କହିଛନ୍ତି । ଟୋକିଓ ଅଲମ୍ପିକରେ ବ୍ୟାଡମିଂଟନ ଖେଳାଳି ପି.ଭି ସିନ୍ଧୁ ଏବଂ ଜାଭେଲିନ୍ ଥ୍ରୋ’ ପ୍ରତିଯୋଗିତାରେ ନୀରଜ ଚୋପ୍ରାଙ୍କ ଭଳି ଅନେକ ଖେଳାଳି ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି । ତେଣୁ ଦେଶରେ ଶିକ୍ଷା ଏବଂ କ୍ରୀଡ଼ାକୁ ଯୋଡ଼ି ନୂଆ ଢ଼ାଂଚା ପ୍ରସ୍ତୁତ କରିବା ପାଇଁ ପ୍ରଥମ ଥର ପାଇଁ ଶିକ୍ଷା ମନ୍ତ୍ରଣାଳୟ ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ମିଳିତ ଭାବେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ‘ଫିଟ୍ ଇଣ୍ଡିଆ କୁଇଜ୍’ ଶୁଭାରମ୍ଭ କରାଯାଇଛି ।

ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନୀତିଶ ପ୍ରମାଣିକ ଉପସ୍ଥିତ ରହିଥିବା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟୋକିଓ ଅଲମ୍ପିକରେ ପଦକ ବିଜେତା ନୀରଜ ଚୋପ୍ରା, ପିଭି ସିନ୍ଧୁ, ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର