ଇଣ୍ଡିଗୋର ୮ ଓ ଗୋଏୟାରର ୩ଟି ଏ-୩୨୦ ଏୟାରବସ ଉଡ଼ାଣ ଉପରେ ନିଷେଧାଦେଶ ଜାରି କଲେ ଡିଜିସିଏ

ନୂଆଦିଲ୍ଲୀ: ଇଣ୍ଡିଗୋ ଏବଂ ଗୋଏୟାର ବିମାନ ଜଳାଚଳ ସଂସ୍ଥା ପକ୍ଷରୁ ଚାଲିଥିବା ୧୧ଟି ଏ-୩୨୦ ଏୟାରବସ୍‌ର ଉଡ଼ାଣ ଉପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ)ଙ୍କ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଛି। ଡିିଜିସିଏଙ୍କ ପକ୍ଷରୁ ନିଷେଧାଦେଶ ଜାରି ହୋଇଥିବା ଏହି ୧୧ଟି ଏ-୩୨୦ ଏୟାରବସ୍‌ ମଧ୍ୟରୁ ଇଣ୍ଡିଗୋର ୮ଟି ରହିଥିବା ବେଳେ ଗୋଏୟାରର ରହିଛି ୩ଟି ବିମାନ। ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ତ୍ରୁଟିଯୁକ୍ତ ପିଡବଲ୍ୟୁ ୧୧୦୦ ଇଞ୍ଜିନ୍‌ ବିଶିଷ୍ଟ ଏହି ୧୧ଟି ଏ-୩୨୦ ଏୟାରବସ୍‌ର ଉଡ଼ାଣ ଉପରେ ଡିିଜିସିଏଙ୍କ ପକ୍ଷରୁ ଏହି ନିଷେଧାଦେଶ ଜାରି ହୋଇଥିବା ଜାଣିବାକୁ ମିଳିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପିଡବଲ୍ୟୁ ୧୧୦୦ ଇଞ୍ଜିନ୍‌ ବିଶିଷ୍ଟ ଇଣ୍ଡିଗୋର ଗୋଟିଏ ଏ-୩୨୦ ଏୟାରବସ ସୋମବାର ଅପରାହ୍ଣରେ ଅହମ୍ମଦାବାଦରୁ ଲକ୍ଷ୍ଣୌ ଅଭିମୁଖେ ଉଡ଼ାଣ ଭରୁଥିବା ବେଳେ ‘ଟେକ୍‌ଅପ୍‌’ ପରେ ପରେ ଏହାର ଗୋଟିଏ ଇଞ୍ଜିନ୍‌ ଅଚଳ ହୋଇ ପଡ଼ିଥିଲା। ଫଳରେ ବିମାନର ପାଇଲଟ୍‌ ବିମାନଟିକୁ ଆଉଥରେ ଅହମ୍ମଦାବାଦ ବିମାନ ବନ୍ଦରକୁ ଫେରାଇ ଆଣି ବିମାନଟିର ଜରୁରୀକାଳିନ ଅବତରଣ କରାଇଥିଲେ। ଜରୁରୀକାଳିନ ଅବତରଣ କରିଥିବା ଇଣ୍ଡିଗୋ ଏୟାର ବସ୍‌ ଏ-୩୨୦ରେ ୧୮୬ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଏହି ଘଟଣା ସଂପର୍କରେ ତଦନ୍ତ ଲାଗି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ (ଡିଜିସିଏ) ନିର୍ଦ୍ଦେଶ ଦେଇଥିଲେ।

ତେବେ, ସନ୍ଧ୍ୟାରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ (ଡିଜିସିଏ)ଙ୍କ ପକ୍ଷରୁ ଜାରି ଏକ ଜରୁରୀକାଳିନ ନିର୍ଦ୍ଦେଶନାମାରେ ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଦେଶରେ ଉଡ଼ାଣ ଭରୁଥିବା ତ୍ରୁଟିଯୁକ୍ତ ପିଡବଲ୍ୟୁ ୧୧୦୦ ଇଞ୍ଜିନ୍‌ ବିଶିଷ୍ଟ ଏହି ୧୧ଟି ଏ-୩୨୦ ଏୟାରବସ୍‌ର ଉଡ଼ାଣ ଉପରେ ସଂପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ପୂର୍ବରୁ ଫେବ୍ରୁଆରି ମାସରେ ୟୁରୋପିଆନ୍‌ ଏଭିଏସନ୍‌ ସେଫ୍ଟି ଏଜେନ୍ସି (ଇଏଏସ୍‌ଏ) ଏ-୩୨୦ ନିଓ ପିଡବଲ୍ୟୁ ୧୧୦୦ ଇଞ୍ଜିନ୍‌ ବିଶିଷ୍ଟ ବିମାନ ଉଡ଼ାଣ ପାଇଁ ସୁରକ୍ଷିତ ନଥିବା ଦର୍ଶାଇ ଏହାର ଉଡ଼ାଣକୁ ନିଷିଦ୍ଧ କରିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର